ନୂଆଦିଲ୍ଲୀ: ଯେଉଁ ଘରେ ମାସେ ତଳେ ହସଖୁସିରେ ପୁରି ଉଠୁଥିଲା, ସେହି ଘର ଏବେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି । ଯେଉଁଠି ଟେଣ୍ଟ ବନ୍ଧା ହୋଇଥିଲା ସେଠି କୋକେଇ ବନ୍ଧାହେଲା । ସମସ୍ତଙ୍କ ଆଖିରୁ ଝରୁଛି ଲୁହ । ଆଉ କାନ୍ଦୁଛନ୍ତି ବାହୁନି ବାହୁନି । ନବବିବାହିତା ଦମ୍ପତ୍ତିଙ୍କ ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କୁ ଦୁଃଖିତ କରିଛି । ବିବାହର ମାତ୍ର ୨୭ ଦିନରେ ସରିଯାଇଛି ସବୁକିଛି । ଉଭୟ ଆତ୍ମହତ୍ୟା କରିଥିବାର ଖବର ଆସିଛି ମଧ୍ୟପ୍ରଦେଶର ଗ୍ବାଲିୟର ଅଞ୍ଚଳରୁ ।

ଗତ ଏପ୍ରିଲ୍ ୨୫ରେ ସିଦ୍ଧାର୍ଥ ଏବଂ ମେଘାଙ୍କ ବିବାହ ହୋଇଥିଲା । ବେଶ ହସଖୁସିରେ ପରିବାର ଚାଲିଥିଲା । ଭବିଷ୍ୟତ ପାଇଁ କେତେ କଣ ସ୍ବପ୍ନ ଦେଖିଥିଲେ । ହେଲେ ମାସେରେ ସବୁ ସ୍ବପ୍ନ ସ୍ବପ୍ନରେ ରହିଯାଇଛି । ଗତ ମେ’ ୧ ତାରିଖରେ ମେଘା ତାଙ୍କ ବାପଘରକୁ ଯାଇଥିଲେ । କିନ୍ତୁ ମେ’ ୨୦ ତାରିଖରେ ସେ ରଶି ଲଗାଇ ଜୀବନ ହାରିଥିଲେ । ଯାହାକି ସମସ୍ତଙ୍କୁ ଚକିତ କରିଥିଲା । ଆଉ ଏହି ଖବର ପାଇବା ପରେ ସିର୍ଦ୍ଧାର୍ଥ ଡିପ୍ରେସନକୁ ପଳାଇଥିଲେ ।

ସ୍ତ୍ରୀଙ୍କୁ ଝୁରି ହୋଇଥିଲେ ସିଦ୍ଧାର୍ଥ । ମନେ ପକାଇ ପକାଇ ଖାଇବା ଛାଡ଼ି ଦେଇଥିଲେ । ଏହାପରେ ସେ ମଧ୍ୟ ମେ’ ୨୨ ତାରିଖରେ ଆତ୍ମହତ୍ୟା କରିଥିଲେ । ଯାହାକି ପରିବାର ଲୋକଙ୍କୁ ଅଧିକ ଦୁଃଖିତ କରିଥିଲା । ତେବେ ଉଭୟ କାହିଁକି ଜୀବନ ହାରିଲେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ । ପୁଲିସ ଖବର ପାଇବା ପରେ ଉଭୟଙ୍କ ମୋବାଇଲକୁ ଜବତ କରିଥିବାବେଳେ ଯଞ୍ଚ କରୁଛି । ଏଥିରୁ କାରଣ ଜଣାପଡ଼ିବ ବୋଲି କୁହାଯାଉଛି । ତେବେ ଏନେଇ ଉଭୟଙ୍କ ପରିବାର ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

​​​​​​​ଏହାସହ ପଢ଼ନ୍ତୁ : Kavya Maran And Anirudh Relationship: କିଏ ଏହି ଅନିରୁଦ୍ଧ ରବିଚନ୍ଦ୍ର, କାବ୍ୟାଙ୍କ ସହ କାହିଁକି ଯୋଡ଼ା ଯାଇଛି ନାଁ ?