ଭୁବନେଶ୍ୱର,୧୮/୦୩: ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ବିଶାଳ ହ୍ୟାଣ୍ଡଲୁମ୍ ଆଣ୍ଡ୍ ହ୍ୟାଣ୍ଡିକ୍ରାଫ୍ଟ ଏକ୍ସପୋ । ନୂଆଦିଲ୍ଲୀର ସୂଜାତା ହ୍ୟାଣ୍ଡଲୁମ୍ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀ ଚଳିତମାସ ୧୬ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଏପ୍ରିଲ ୨୮ ତାରିଖ ପର୍ଯ୍ୟନ୍ତ ମୋଟ ୪୫ଦିନ ଧରି ଚାଲିବ । ପ୍ରଦର୍ଶନୀରେ ଓଡ଼ିଶା ସମେତ ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ତେଲଙ୍ଗାନା, ଆସାମ ଓ ପୁଡୁଚେରୀ ଭଳି ୨୦ଟି ରାଜ୍ୟ ଭାଗ ନେଇ ନିଜନିଜ ପ୍ରାନ୍ତର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ କରିଛନ୍ତି ।
ଏଠାରେ ମୋଟ ୧୨୦ଟି ଷ୍ଟଲ ରହିଛି । ଓଡ଼ିଶାର ସମ୍ବଲପୁରୀ ଶାଢ଼ି ଓ ଅନ୍ୟାନ୍ୟ ବସ୍ତ୍ର ଗ୍ରାହକଙ୍କ ଅଧିକ ଆକର୍ଷିତ କରିଛି । ସେହିପରି ସୋନପୁରର ସିଲ୍କ ଶାଢ଼ି, ନୂଆପାଟଣାର ଖଣ୍ଡୁଆ, ବୋମକାଇ, ବରଗଡ଼ ପସାପାଲି, ନବକୋଠି ଶାଢ଼ି ରହିଛି । ଯାହାକୁ ଗ୍ରାହକମାନେ କିଣୁଛନ୍ତି । ଏକ୍ସେପାର ଆୟୋଜକ ରାଜେନ୍ଦ୍ର ଚୌଧୁରୀ କହିଛନ୍ତି, ସାରାଦେଶର ହସ୍ତଶିଳ୍ପ, ହସ୍ତତନ୍ତକୁ ଆମେ ଗୋଟିଏ ସ୍ଥାନରେ ଏକାଠି କରିଛୁ । ଯାହା ସବୁବର୍ଗର ଗ୍ରାହକଙ୍କ ମନକୁ ଛୁଇଁବ । ପ୍ରଦର୍ଶନୀରେ ଥିବା ହସ୍ତଶିଳ୍ପ ଉପରେ ୨୦ ପ୍ରତିଶତ ରିହାତି ଅଫର ଥିବା ବେଳେ ଏହା ସମସ୍ତଙ୍କ ପାଇଁ ସକାଳ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାରହିବ ।