ବରଗଡ଼ ,୧୦/୦୬: ବରଗଡ଼ ଆରଟିଓ ଅଫିସ ସାମ୍ନାରେ ଥିବା ଏକ ହୋଟେଲରୁ ଜଣେ ଷ୍ଟାଫଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ହେଲେ ହୋଟେଲ କର୍ମଚାରୀ ବଲାଙ୍ଗୀର ଜିଲ୍ଲା ବୁଡ଼ି ସିଣ୍ଡୋଲ ଗାଁର ୨୧ ବର୍ଷୀୟ ରୁଜୁ ସେଠ୍ । ଏହି ଘଟଣାକୁ ନେଇ ଟାଉନ ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି ।
ତେବେ ଯୁବକ ଜଣକ ବରଗଡ଼ରେ ଥିବା ଏକ ହୋଟେଲରେ ହୋଟେଲ ବୟ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ରାତିରେ ଅନ୍ୟ ଷ୍ଟାଫଙ୍କ ସହ ହୋଟେଲରେ ବିଶ୍ରାମ ନେଉଥିଲେ ରୁଜୁ ସେଠ୍ । ହେଲେ ଆଜି ସକାଳୁ ଜଣେ ଷ୍ଟାଫ୍ ଉଠିଥିବା ବେଳେ ରୁଜୁଙ୍କ ଝୁଲନ୍ତା ମୃତଦେହ ଦେଖି ପାଟି କରି ଅନ୍ୟମାନଙ୍କୁ ଉଠାଇଥିଲା। ଏହାପରେ ସେମାନେ ତୁରନ୍ତ ହୋଟେଲ ମାଲିକଙ୍କୁ ଖବର ଦେବା ସହିତ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ତେବେ ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।