ମୁମ୍ୱାଇ,୧୮/୧୨: ଖୁବଶୀଘ୍ର ହେବାକୁ ଯାଉଛି ୯୭ତମ ଏକାଡ଼େମୀ ପୁରସ୍କାର । ଏହାରି ମଧ୍ୟରେ ଭାରତୀୟ ସିନେ ପ୍ରେମୀଙ୍କୁ  ଲାଗିଛି ବଡ଼ ଝଟକା  ।  ଓସ୍କାର  ରେସରୁ ବାଦ୍ ପଡ଼ିଲା  ‘ଲାପତା ଲେଡିଜ୍‌’ ।  କିରଣ ରାଓଙ୍କ  ନିର୍ଦ୍ଦେଶିତ  ଏହି ଫିଲ୍ମଟି ରେସରୁ ବାଦ ପଡିଛି । ଯାହାକୁ ନେଇ ସମସ୍ତେ ନିରାଶ ହୋଇଛନ୍ତି । ଏକ ଛୋଟ  ବଜେଟରେ କରାଯାଇଥିବା ଏହି  ଚଳଚ୍ଚିତ୍ରଟି  ବକ୍ସ ଅଫିସରେ  ବହୁତ ଭଲ ପ୍ରଦର୍ଶନ କରି ରୋଜଗାର ମଧ୍ୟ କରିଥିଲା ।  ତେଣୁ ଏହି ଫିଲ୍ମଟି  ୯୭ତମ ଏକାଡ଼େମୀ ପୁରସ୍କାରରେ  ଭାରତର ପ୍ରତିନିଧିତ୍ବ  କରିବାକୁ ମନୋନୀତ ହୋଇଥିଲା । ମାତ୍ର ଏବେ  ଫିଲ୍ମଟିକୁ  ଓସ୍କାର ରେସରୁ  ବାହାର କରିଦିଆାଯାଇଛି ।

ତେବେ ଭେଟେରାନ ଚଳଚ୍ଚିତ୍ର ନିର୍ମାତା ହଂସଲ ମେହେଟ୍ଟା ଓସ୍କାର ୨୦୨୫ ପାଇଁ 'ଲାପତା ଲେଡିଜ'କୁ ଭୁଲ ପସନ୍ଦ ବୋଲି କହିଛନ୍ତି । ଏଥିପାଇଁ ହଂସଲ ମେହେଟ୍ଟା ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆକୁ କଡ଼ା ସମାଲୋଚନା କରିଛନ୍ତି। ହଂସଲ ମେହେଟ୍ଟା ଶ୍ରେଷ୍ଠ ଆନ୍ତର୍ଜାତୀୟ ବୈଶିଷ୍ଟ୍ୟ ବର୍ଗର ସର୍ଟଲିଷ୍ଟ ଫିଲ୍ମର ସ୍କ୍ରିନସଟ ସେୟାର କରି ଏକ ପୋଷ୍ଟରେ ସେୟାର କରିଛନ୍ତି । ସେ ଲେଖିଛନ୍ତି, 'ଫିଲ୍ମ ଫେଡେରେସନ୍ ପୁଣିଥରେ ନିଜର ଭୁଲ୍ ପୁନରାବୃତ୍ତି କରିଛି। ପ୍ରତିବର୍ଷ ସେମାନଙ୍କର ଚୟନ ପ୍ରକ୍ରିୟା ଏବଂ ଚଳଚ୍ଚିତ୍ର ବାଛିବା ପଦ୍ଧତି ସମାନ ରହିଥାଏ ।' ଏହି ସମୟରେ ହଂସଲ ମେହେଟ୍ଟାଙ୍କ ପୋଷ୍ଟରେ ଅନେକ ୟୁଜର୍ସ ନିର୍ଦ୍ଦେଶକଙ୍କୁ ସମର୍ଥନ କରିଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, 'ଓସ୍କାରରୁ ଲାପତା ହେଲା ଭାରତୀୟ ଚଳଚ୍ଚିତ୍ର'। ଅନ୍ୟ ଜଣେ ଲେଖିଛନ୍ତି, 'ଅଲ ଉଇ ଇମୋଜିନ ଇଜ ଲାଇଟ ମଧ୍ୟ ଶ୍ରେଷ୍ଠ ଥିଲା ।'

ସେହିପରି ଗ୍ରାମି ବିଜେତା ରଚନା ରିକି କେଜ୍ ମଧ୍ୟ ଏ ବାବଦରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ଦ ଏକାଡେମୀ ଓସ୍କାର ସର୍ଟଲିଷ୍ଟ ଶେଷରେ ଏଠାରେ ଅଛି, ଲାପତା ଲେଡିଜ୍ ଏକ ମହାନ ଚଳଚ୍ଚିତ୍ର, କିନ୍ତୁ ଓସ୍କାର ପାଇଁ ଭୁଲ ପସନ୍ଦ । ଯାହା ଅନୁମାନ କରାଯାଉଥିଲା, ଏହା ହାରିବ ବୋଲି ତାହା ହିଁ ହେଲା । ଆମେ ବୁଝିବାକୁ କେତେ ବର୍ଷ ଲାଗିବ ଯେ ପ୍ରତିବର୍ଷ ଆମେ ଭୁଲ ଚଳଚ୍ଚିତ୍ର ଚୟନ କରୁଛୁ । ଭାରତରେ ଅନେକ ମହାନ ଚଳଚ୍ଚିତ୍ର ନିର୍ମିତ ଏବଂ ଆମେ ପ୍ରତିବର୍ଷ 'ଆନ୍ତର୍ଜାତୀୟ ଫିଚର ଚଳଚ୍ଚିତ୍ର' ବର୍ଗରେ ଓସ୍କାର ଜିତିବା ଉଚିତ୍।'' ପ୍ରକାଶ ଥାଉକି, ସେପ୍ଟେମ୍ବରରେ FFI ଦ୍ୱାରା ଓସ୍କାର ଏଣ୍ଟ୍ରି ଭାବରେ 'ଲାପତା ଲେଡିଜ୍' ଚୟନ କରାଯାଇଥିଲା । ସେହି ସମୟରେ ୨୮ଟି ଚଳଚ୍ଚିତ୍ରକୁ ଚୟନ କରାଯାଇଥିଲା ।