ମୁମ୍ବାଇ ୨୮/୧୦: ୨୦୧୧ ରେ ସୁଧୀର ମିଶ୍ରାଙ୍କ ଫିଲ୍ମ 'ୟେ ସାଲି ଜିନ୍ଦେଗୀ' ସହିତ ପରିଚୟ ସୃଷ୍ଟି କରିଥିବା ଅଦିତୀ ରାଓ ହୈଦରୀ ଆଜି ତାଙ୍କର ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ଫ୍ୟାନ୍ସଙ୍କ ସମେତ ଅନେକ ବଲିଉଡ ତାରକା ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଉଛନ୍ତି। ଅଦିତୀ ନିକଟରେ ତାଙ୍କର ଦୀର୍ଘ ଦିନର ପ୍ରେମିକ ସିଦ୍ଧାର୍ଥଙ୍କୁ ବିବାହ କରିଛନ୍ତି। ଅଦିତୀ ହେଉଛନ୍ତି ପୂର୍ବତନ ହାଇଦ୍ରାବାଦ ପ୍ରଧାନମନ୍ତ୍ରୀ 'ଆକବର ହୈଦରୀ'ଙ୍କ ନାତୁଣୀ (୧୮୬୯ ରୁ ୧୯୪୧)। ହାଇଦ୍ରାବାଦର ରାଜ ପରିବାରରେ ଜନ୍ମିତ ଏହି ରାଜକୁମାରୀ ଅଭିନୟ ଜଗତରେ ନିଜର ପରିଚୟ ସୃଷ୍ଟି କରିଛନ୍ତି।

୧୯୭୮ ମସିହାରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିବା ଅଦିତୀ ୨୦୦୬ ରେ ‘ପ୍ରଜାପତି’ ନାମକ ଏକ ଦକ୍ଷିଣ ଫିଲ୍ମରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ପରେ ସେ ୨୦୦୯ ଫିଲ୍ମ 'ଦିଲ୍ଲୀ -୬' ମାଧ୍ୟମରେ ହିନ୍ଦୀ ଫିଲ୍ମରେ ଏଣ୍ଟ୍ରି କରିଥିଲେ। ୨୦୧୧ରେ ରିଲିଜ୍‌ ହୋଇଥିବା ସୁପରହିଟ୍ ଫିଲ୍ମ ‘ରକଷ୍ଟାର’ରେ ଅଦିତୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଜି ବଲିଉଡରେ ଆକ୍ଟିଂ କ୍ୱିନ୍‌ ପାଲଟିଛନ୍ତି ଅଦିତୀ । ୩୫ ରୁ ଅଧିକ ଫିଲ୍ମ ଏବଂ ସିରିଏଲରେ ସେ କାମ କରିଛନ୍ତି। ଏକ ରାଜ ପରିବାରରେ ଜନ୍ମଗ୍ରହଣ କରିଥିବା ଅଦିତୀ ପିଲାଦିନରୁ ଫିଲ୍ମ ଦୁନିଆରେ କାମ କରିବାର ସ୍ୱପ୍ନ ଦେଖିଥିଲେ। ବର୍ତ୍ତମାନ ସେ ବଲିଉଡର ଟପ୍ ଅଭିନେତ୍ରୀଙ୍କ ମଧ୍ୟରେ ଗଣିତ ହୋଇଛନ୍ତି ।



ସଞ୍ଜୟ ଲୀଲା ଭନସାଲୀଙ୍କ ଲୋକପ୍ରିୟ ସିରିଜ୍‌ ହୀରାମଣ୍ଡିରେ ବେବୋଜାନ ଚରିତ୍ରରେ ଜୀବନ ଭରଦେଇଥିଲେ ଅଦିତୀ।ଏହି ସିରଜରେ ସୋନାକ୍ଷୀ ସିହ୍ନାଙ୍କ ସମେତ ସମସ୍ତ ଅଭିନେତ୍ରୀଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ହେଲେ ଅଦିତୀଙ୍କ ଚରିତ୍ର ବେବୋଜାନକୁ ଖୁବ୍‌ ପ୍ରଶଂସା ମିଳିଥିଲା । ଅଦିତୀ ଧର୍ମର ପ୍ରତିବନ୍ଧକ ଅତିକ୍ରମ କରି ୨୪ ବର୍ଷ ବୟସରେ ତାଙ୍କ ହିନ୍ଦୁ ପ୍ରେମିକ ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଥିଲେ। ତେବେ ଏହି ବିବାହ ବେଶୀ ଦିନ ରହିଲା ନାହିଁ ଏବଂ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଅଭିନେତ୍ରୀ ୧୬ ସେପ୍ଟେମ୍ବରରେ ସିଦ୍ଧାର୍ଥଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ।