ନୂଆଦିଲ୍ଲୀ,୦୯/୧୧: ଷ୍ଟାର ଭାରତୀୟ କ୍ରିକେଟର ପୃଥ୍ବୀ ଶ' । ଆଜି ତାଙ୍କ ଜନ୍ମଦିନ । ୨୫ ବର୍ଷରେ ପଦାର୍ପଣ କରିଛନ୍ତି ପୃଥ୍ବୀ ଶ' । ସମୟ ଥିଲା ତାଙ୍କୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ବିରେନ୍ଦ୍ର ସେହ୍ବାଗ ଏବଂ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରାଯାଉଥିଲା । ଏମିତିକି ଆଇସିସି ପୃଥ୍ବୀଙ୍କୁ ପରବର୍ତ୍ତୀ ସଚିନ ତେନ୍ଦୁଲକର ରୂପରେ ଏକ ଭିଡିଓରେ ନାମିତ କରିଥିଲା । ମାତ୍ର ଏବେ ପୃଥ୍ବୀ ଶଙ୍କ ଭାଗ୍ୟ ତାଙ୍କୁ ସାଥ ଦେଉନାହିଁ । ଭାରତୀୟ ଦଳର ଷ୍ଟାର କ୍ରିକେଟର ପୃଥ୍ବୀ ଏବେ ଘରୋଇ କ୍ରିକେଟ ଖେଳିବାକୁ ସୁଯୋଗ ପାଉନାହାନ୍ତି ।
ଚଳିତ ରଣଜୀ ଟ୍ରଫି ସିଜନରେ ମୁମ୍ବାଇ ଦଳରୁ ପୃଥ୍ବୀଙ୍କୁ ଆଉଟ କରି ଦିଆଯାଇଛି । ଯଦିଓ ସେ ସିଜନ ଆରମ୍ଭରୁ କିଛି ମ୍ୟାଚ ଖେଳିଥିଲେ ମାତ୍ର ଏବେ ଦଳରୁ ବାହାରେ ଅଛନ୍ତି । ରଣଜୀ ଟ୍ରଫିରେ ଚଳିତ ସିଜନରେ ବଡୋଦା ବିପକ୍ଷରେ ତାଙ୍କ ସ୍କୋର ୭ ଓ ୧୨ ଥିଲା । ମହାରାଷ୍ଟ୍ର ବିପକ୍ଷରେ ୧ ଓ ୩୯ ରନ କରିଥିଲେ ।
ଅଧିକ ଓଜନ ପାଇଁ ମିଳୁନି କି ସୁଯୋଗ ?
ମୁମ୍ବାଇ ଟିମ ସିଲେକ୍ସନ ଏବଂ ଟିମ ମ୍ୟାନେଜମେଣ୍ଟ ଅନୁସାରେ ପୃଥ୍ବୀ ଶ'ଙ୍କ ଓଜନ ଆବଶ୍ୟକଠୁ ଅଧିକ ଅଛି । ଏହା ସହ ସେ ନେଟ୍ ପ୍ରାକ୍ଟିସକୁ ମଧ୍ୟ ଗୁରୁତ୍ବ ଦେଉନାହାନ୍ତି । ପୃଥ୍ବୀ ଏବେ ଯାଏ ଭାରତ ପାଇଁ ୫ଟି ଟେଷ୍ଟ, ୬ଟି ଦିନିକିଆ ଏବଂ ୧ଟି ଟି-ଟ୍ବେଣ୍ଟି ଖେଳିଛନ୍ତି । ୨୦୧୮ରେ ରାଜକୋଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଡେବ୍ୟୁ ମ୍ୟାଚ ଖେଳିଥିଲେ । ଯେଉଁଥିରେ ସେ ଶତକ ହାସଲ କରିଥିଲେ ।
ଏହାଛଡା ସେ ୫୮ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ଗୋଟିଏ ଶତକ ଏବଂ ୨ଟି ଅର୍ଦ୍ଧଶତକ ସହ ୩୩୯ ରନ ସଂଗ୍ରହ କରିଛନ୍ତି । ଦିନିକିଆରେ ୧୮୯ ରନ କରିଛନ୍ତି । ୨୦୨୧ ଜୁଲାଇ ୨୫ରେ ସେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଏହା ତାଙ୍କର ଟି୨୦ ଇଣ୍ଟରନ୍ୟାସନାଲ ଡେବ୍ୟୁ ଥିଲା । ଆଇପିଏଲ ୨୦୨୫ ମେଗା ନିଲାମୀରୁ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ପୃଥ୍ବୀ ଶ'ଙ୍କୁ ରିଲିଜ କରିଛି ।
ବିବାଦ ସହ ପୃଥ୍ବୀ ଶ'ଙ୍କ ସମ୍ପର୍କ- କମ ବୟସରୁ ସଫଳତା ହାସଲ କରିଥିବା ପୃଥ୍ବୀ ଅନେକ ସମୟରେ ବିବାଦରେ ଛନ୍ଦି ହୋଇଥିଲେ । ୨୦୧୯ରେ ସେ ବିବାଦ ଘେରକୁ ଆସିଥିଲେ । ଏହା ପରେ ବିସିସିଆଇ ତାଙ୍କ ଉପରେ ବ୍ୟାନ ଲଗାଇଥିଲା । ସେ ପିଉଥିବା କଫ ସିରଫରୁ କିଛି ଏମିତି ଜିନିଷ ମିଳିଥିଲା ଯାହା କାରଣରୁ ଡୋପ ଟେଷ୍ଟରେ ଫେଲ ହୋଇଥିଲେ । ତାଙ୍କ ଉପରେ ୮ ମାସ ବ୍ୟାନ ଲଗାଇଥିଲା ବୋର୍ଡ । ୨୦୨୦-୨୧ରେ ପୃଥ୍ବୀ ଶେଷ ଥର ଭାରତ ପାଇଁ ଖେଳିଥିଲେ । ଏହା ପରେ ଲମ୍ବା ସମୟ ପାଇଁ ଭାରତୀୟ ଦଳରେ କମବ୍ୟାକ କରିନାହାନ୍ତି ପୃଥ୍ବୀ । ୨୦୨୩ରେ ପୃଥ୍ବୀଙ୍କ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସପନା ଗିଲ ଏବଂ ତାଙ୍କ ବନ୍ଧୁଙ୍କ ସହ ଝଗଡା ହୋଇଥିଲା । ହାତାହାତି ଯାଏ କଥା ପହଞ୍ଚିଥିଲା ।