ଭୁବନେଶ୍ଵର : ଏବେ ଡିଜିଟାଲ୍‌ ଯୁଗ । ଜୀବନର ସମସ୍ତ ଛୋଟବଡ଼ ଖୁସି ଓ ଖାସ୍‌ ମୁହୂର୍ତ୍ତକୁ ସୋସିଆଲ୍‌ ମିଡିଆରେ ସେୟାର କରିବା ଖୁବ୍‌ ସାଧାରଣ କଥା । ବାସ୍ତବ ପ୍ରେମ କ୍ୟାମେରା ଲେନ୍ସ ଅପେକ୍ଷା ହୃଦୟରେ ବେଶୀ ଅନୁଭବ ହୋଇଥାଏ । ପ୍ରେମ ଅନ୍‌ଲାଇନ ପୋଷ୍ଟ ଅପେକ୍ଷା ଅଫ୍‌ଲାଇନରେ ଅଧିକ ରହିଥିବା ଦରକାର । ପ୍ରେମକୁ ବ୍ୟକ୍ତିଗତ ରଖିବା ଦ୍ୱାରା ଏହା ବହୁଗୁଣା ବଢିଥାଏ । ଡିଜିଟାଲ ଯୁଗରେ ଛୋଟ-ବଡ଼ ସବୁ ଖୁସି ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ଖୁବ୍‌ ସାଧାରଣ ହୋଇପଡିଛି । କିଛି ଲୋକ ନିଜ ଜୀବନସାଥୀ ସହ ନିଜର ଫଟୋ ସେୟାର କରିଥାନ୍ତି । କିନ୍ତୁ କେବେ ଲକ୍ଷ୍ୟ କରିଛନ୍ତି କି? ଯେଉଁ ଦମ୍ପତି ବାସ୍ତବ ଜୀବନରେ ପରସ୍ପର ସହ ଗଭୀରତାର ସହ ଯୋଡ଼ି ହୋଇ ରହିଥାନ୍ତି, ସେମାନେ ଅନଲାଇନ୍‌ ଦୁନିଆରେ ଖୁବ୍‌ କମ୍‌ ଦେଖିବାକୁ ମିଳିଥାନ୍ତି । ମନସ୍ତତ୍ତ୍ୱବିତ୍‌ ଅର୍ପିତା କୋହଲୀଙ୍କ ମତରେ କମ୍‌ ଡିଜିଟାଲ୍‌ ଭିଜିବିଲିଟି ପଛରେ ରହିଥିବା କାରଣ ହେଉଛି- 

ଦେଖାଇ ହେବା ଅପେକ୍ଷା ଖୁସିରେ ବଞ୍ଚିବାରେ ବିଶ୍ୱାସ 
ଖୁସିରେ ରହୁଥିବା ଦମ୍ପତି ଦେଖାଇ ହେବା ଅପେକ୍ଷା ବାସ୍ତବ ଜୀବନରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି । ସେମାନଙ୍କ ପାଇଁ ସୋସିଆଲ୍‌ ମିଡିଆରେ ମିଳୁଥିବା ଲାଇକ୍‌ ଓ କମେଟ୍‌ର କୌଣସି ଅର୍ଥ ନଥାଏ । ସେମାନଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ପରସ୍ପରଙ୍କ ଭାବନାକୁ ବୁଝିବା ସହ ସାଙ୍ଗରେ ସମୟ ବିତାଇବା । ସେହି ସମୟକୁ ସମ୍ପୂର୍ଣ୍ଣ ଭାବେ ଅନୁଭବ କରିବା ।

ବାହାର ଦୁନିଆର ମାନ୍ୟତା ଜରୁରି ନୁହେଁ  
ଯେଉଁ ଦମ୍ପତି ସମ୍ପର୍କରେ ସୁରକ୍ଷିତ ଓ ସନ୍ତୁଷ୍ଟ, ସେମାନଙ୍କୁ ବାହାର ଦୁନିଆରେ ପସନ୍ଦ- ନାପସନ୍ଦ ପ୍ରଭାବ ପକାଇ ନଥାଏ । ଲୋକଙ୍କ ଆଗରେ ସେମାନେ ନିଜ ସମ୍ପର୍କକୁ ପ୍ରମାଣିତ କରିବାକୁ ପସନ୍ଦ କରି ନଥାନ୍ତି । 

ସମ୍ପର୍କ ବ୍ୟକ୍ତିଗତ ରହିବା ହିଁ ସୁନ୍ଦର 
ବୁଦ୍ଧିମାନ ଦମ୍ପତିଙ୍କ ପାଇଁ ସମ୍ପର୍କକୁ ବ୍ୟକ୍ତିଗତ ରଖିବା ଖୁବ୍‌ ଜରୁରି । ସେମାନେ ନିଜ ଜୀବନର ଖାସ୍‌ ସମୟକୁ ନିଜ ଭିତରେ ରଖିବାକୁ ଭଲ ପାଇଥାନ୍ତି । ଏମାନେ ସମ୍ପର୍କକୁ ସାର୍ବଜନୀନ କରିବାକୁ ଭଲ ପାଆନ୍ତିନାହିଁ । ନିଜର ଭଲପାଇବା ଓ ଭାବନାକୁ ଉଭୟଙ୍କ ଭିତରେ ସୀମାବଦ୍ଧ ରଖିବାକୁ ଚାହାନ୍ତି ।