ନୂଆଦିଲ୍ଲୀ,୦୩/୦୫; ଏକଦା ଆଇପିଏଲର ସବୁଠୁ ଶକ୍ତିଶାଳୀ ଦଳ ଭାବେ ଗଣା ହେଉଥିବା ୫ଥର ଚାମ୍ପିଅନ୍ ମୁମ୍ବାଇ ଚଳିତ ବର୍ଷ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖି ବିଦାୟ ଦ୍ୱାରରେ ଛିଡା ହୋଇଛି । ଶନିବାର ଉପଲ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ୪୪ତମ ଲିଗ୍ ମ୍ୟାଚରେ ଦଳ ଘରୋଇ ଚେନ୍ନାଇ ଠାରୁ ୮ ୱିକେଟ୍‌ରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୭ ୱିକେଟ୍ ବିନିମୟରେ ୧୫୯ ରନ ସଂଗ୍ରହ କରିଥିଲା । ଜବାବରେ ଚେନ୍ନାଇ ୧୮.୧ ଓଭରରେ ୨ ୱିକେଟ୍ ହରାଇ ଆବଶ୍ୟକ ରନ କରି ନେଇଥିଲା । ଏହି ବିଜୟ ସହ ଚେନ୍ନାଇ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି । ମୁମ୍ବାଇ ୯ଟି ମ୍ୟାଚରୁ ୭ଟି ହାରିଛି । ପ୍ଲେ-ଅଫରେ ପ୍ରବେଶ କରିବାକୁ ହେଲେ ଦଳକୁ ଶେଷ ୫ଟି ଯାକ ମ୍ୟାଚ ଜିତିବାକୁ ହେବ । ୫ ଥରର ଆଇପିଏଲ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସରେ ଏପରି ସ୍ଥିତି କାହିଁକି ? କେଉଁଠି ରହିଲା ତ୍ରୁଟି ?

ଏହା କେବଳ ଏକ ପରାଜୟ ନୁହେଁ...ଏହା ଏକ ସିଷ୍ଟମର ଏକ୍ସ-ରେ ଯାହାର ଫାଟ ଆଉ ଲୁଚି ରହିନାହିଁ । ଏହି ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର କାହାଣୀ ଗୋଟିଏ କିମ୍ବା ଦୁଇଟି ଖରାପ ଦିନ ନୁହେଁ, ବରଂ ସମଗ୍ର ଗଠନର ବଫଳତା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନିଜେ କୁହନ୍ତି, "ଏହି ସମ୍ପୂର୍ଣ୍ଣ ସିଜିନ ଆମର ନଥିଲା," ଏହା କେବଳ ନିରାଶା ନୁହେଁ, ବରଂ ସତ୍ୟର ଏକ ସ୍ପଷ୍ଟ ସ୍ୱୀକାରୋକ୍ତି - ଯାହାକୁ ଆଉ ପରିସଂଖ୍ୟାନ କିମ୍ବା ବାହାନା ସାହାଯ୍ୟରେ ଲୁଚାଇ ରଖାଯାଇପାରିବ ନାହିଁ ।

ମୁମ୍ବାଇ ଇଣ୍ଡିଆନ୍ସ ସବୁବେଳେ ଏକ କଠିନ ପରିସ୍ଥିତିରୁ ବାହାରକୁ ବାହାରିବା ପାଇଁ ରାସ୍ତା ଖୋଜୁଥିବା ଦଳ ଭାବରେ ଜଣାଶୁଣା । କିନ୍ତୁ ଏହି ସିଜିନରେ, ଚିତ୍ର ବିପରୀତ - ଏହି ଦଳ ଆଉ ସମସ୍ୟାର ସମାଧାନ ନୁହେଁ, ବରଂ ସମସ୍ୟା ପାଲଟିଛି। ରଣନୀତି ଠାରୁ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ, ମାନସିକତା ଠାରୁ ନେତୃତ୍ୱ ପର୍ଯ୍ୟନ୍ତ, ପ୍ରତ୍ୟେକ ସ୍ତରରେ ଫାଟ ସ୍ପଷ୍ଟ ଭାବରେ ଦୃଶ୍ୟମାନ । ଚଳିତ ସିଜିନରେ ଲଗାତାର ଦ୍ୱିତୀୟ ଥର ଚେନ୍ନାଇ ଠାରୁ ହାରିବା ଏକ ସଦ୍ୟତମ ଉଦାହରଣ। ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜର ବୋଲିଂରେ ମୁମ୍ବାଇ ଉପରେ ଚାପ ପକାଇଥିଲା । ଏହା ପରେ ଋତୁରାଜ ଗାୟକୱାଡ ଶାନ୍ତ, ନିୟନ୍ତ୍ରିତ ଏବଂ ପରିପକ୍ୱ ଇନିଂସ ଚେନ୍ନାଇକୁ ବିଜୟୀ କରାଇଲା । ଏହା କେବଳ ଏକ ବିଜୟ ନୁହେଁ, ବରଂ ଦୁଇ ଦଳ ମଧ୍ୟରେ ଚିନ୍ତାଧାରା, ଯୋଜନା ଏବଂ ଆତ୍ମବିଶ୍ୱାସର ପାର୍ଥକ୍ୟକୁ ପ୍ରଦର୍ଶନ କରିଥିଲା । ଚେନ୍ନାଇ ପ୍ରତ୍ୟେକ ମୁହୂର୍ତ୍ତରେ ମ୍ୟାଚ୍ ନିୟନ୍ତ୍ରଣ କରୁଥିଲା । ମୁମ୍ବାଇ ଆରମ୍ଭରୁ ଶେଷ ଯାଏ ପରିସ୍ଥିତିର ପିଛା କରୁଥିବା ପରି ମନେ ହେଉଥିଲା ।

ଏହା ବି ପଢନ୍ତୁ...ଭାରତ-ପାକ୍ ହ୍ୟାଣ୍ଡସେକ ବିବାଦ; ଟସ ପୂର୍ବରୁ ଜଣାଇଥିଲେ ମ୍ୟାଚ ରେଫରୀ: ସଲମାନ ଆଘା  

​​​​​​​ଏବେ, ପ୍ରଶ୍ନ କେବଳ ପ୍ରଦର୍ଶନ ନୁହେଁ, ଟୁର୍ଣ୍ଣାମେଣ୍ଟରେ ତିଷ୍ଠିବା କଥା ବି ଉଠୁଛି । ଆଗକୁ  ମୁମ୍ବାଇ ଇଣ୍ଡିଆନ୍ସ ଏକ କଠିନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ ।  ଦଳକୁ ତାର ବାକି ମ୍ୟାଚ ଗୁଡିକ ଜିତିବାକୁ ପଡିବ । ଆସନ୍ତାକାଲି ଦଳ ଲକ୍ଷ୍ନୌ ସୁପରଜାଏଣ୍ଟସୁ ଭେଟିବ । ପରବର୍ତ୍ତୀ ମ୍ୟାଚ ଗୁଡିକ ଦଳ ପାଇଁ ଜିତିବା ଯଥେଷ୍ଟ ହେବ ନାହିଁ । ଦଳକୁ ଏହାର ଖରାପ ନେଟ୍ ରନ୍ ରେଟ୍‌କୁ ଉନ୍ନତ କରିବା ପାଇଁ ବଡ଼ ବ୍ୟବଧାନରେ ଜିତିବାକୁ ପଡିବ । ୧୪ ପଏଣ୍ଟ ଅତିକ୍ରମ କରୁଥିବା ଦଳ ସଂଖ୍ୟାକୁ ନିୟନ୍ତ୍ରଣରେ ରଖିବାକୁ ଅନ୍ୟ ଦଳର ଫଳାଫଳ ଉପରେ ମଧ୍ୟ ନିର୍ଭର କରିବାକୁ ପଡିବ ।