ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ଛାଡ଼ିପାରନ୍ତି ମୁମ୍ବାଇ ଇଣ୍ଡିଆନ୍ସ । ଏମିତି ଏକ ଚର୍ଚ୍ଚା ଲାଗି ରହିଥିବାବେଳେ ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି । ପାଣ୍ଡ୍ୟାଙ୍କୁ ନେଇ ଅନ୍ୟ ଟିମ୍ ବାଣିଜ୍ୟିକ ଚୁକ୍ତି କରିପାରନ୍ତି ବୋଲି ଆଲୋଚନା ଚାଲିଛି । ତେବେ ସେ କେଉଁ ଦଳରେ ସାମିଲ ହେବେ ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚମାନ ଦେଖିବାକୁ ମିଳିଛି ।

ହାର୍ଦ୍ଦିକଙ୍କୁ ନେବାକୁ ୭ଟି ଫ୍ରାଞ୍ଚାଇଜ୍ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି । ତଥାପି କୋଲକାତା ଏବଂ ଚେନ୍ନାଇ ପାଣ୍ଡ୍ୟାଙ୍କୁ ନିଜ ଟିମରେ ସାମିଲ କରିବା ପାଇଁ ଆଗରେ ରହିଛନ୍ତି । ଚେନ୍ନାଇ ସୁପରକିଙ୍ଗ୍ସ ହାର୍ଦ୍ଦିକଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଚାହୁଁଛି । ଧୋନୀଙ୍କ ପରେ ଦଳରେ ସନ୍ତୁଳନ ଏବଂ ଅଧିନାୟକତ୍ବ ପାଇଁ ନେଇପାରେ ବୋଲି ଆଲୋଚନା ହେଉଛି । ତଥାପି ଏନେଇ କୌଣସି ଅଫିସିଆଲ ସୂଚନା ମିଳିନାହିଁ ।

ରିପୋର୍ଟରେ ପ୍ରକାଶ ପାଇଛି କି, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ମଧ୍ୟରେ ଆଲୋଚନା ଖୋଲା ଅଛି । ବିଭିନ୍ନ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହେଉଛି । କିନ୍ତୁ ଏନେଇ ଏଯାବତ କୌଣସି ଫ୍ରାଞ୍ଚାଇଜ୍ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ସେପଟେ କୌଣସି ଖେଳାଳିଙ୍କ ବିନା ଅନୁମତିରେ କୌଣସି ଚୁକ୍ତି ମଧ୍ୟ ହୋଇପାରିବ ନାହିଁ । ମାତ୍ର ମୁମ୍ବାଇ ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ଚଳିତ ସିଜିନରେ ଖରାପ ପ୍ରଦର୍ଶନ କରିଥିଲା । ଏଣୁ ତାଙ୍କୁ ସମାଲୋଚନା କରାଯାଇଥିବାବେଳେ ଦଳରେ ମତଭେଦ ରହିଥିବା ମଧ୍ୟ ଆଲୋଚନା ହୋଇଛି । ଯେଉଁ କାରଣରୁ ହାର୍ଦ୍ଦିକ ଦଳ ଛାଡ଼ିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଏହାସହ ପଢ଼ନ୍ତୁ : ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପୂର୍ବରୁ ଗର୍ଜିଲା ବୈଭବଙ୍କ ବ୍ୟାଟ୍, ନେଟ୍ସରେ ମାରିଲେ ଲମ୍ବା ଲମ୍ବା ଛକା