ଯନ୍ତ୍ରଣାରେ ଛଟପଟ ଜୀବନ ।‘ଇଛାମୃତ୍ୟୁ’ଜରୁରୀ କି?ଜୀବନ,ସମ୍ମାନ,ଯନ୍ତ୍ରଣା ଓ ଦୟାର ଏ ପ୍ରସଙ୍ଗକୁ ନେଇ ଏବେ ବିବାଦ ଓ ବିତର୍କ । କିଏ କହୁଛି ହଁ..ଆଉ କିଏ ନା । ଜୀବନ କ’ଣ କେବଳ ନିଃଶ୍ୱାସ ନେବା ନା ସମ୍ମାନର ସହ ବଞ୍ଚିବା?ଜୀବନ ଉପରେ ଯଦି ଅଧିକାର,ମୃତ୍ୟୁ ଉପରେ କାହିଁକି ନୁହେଁ?
ଜୀବନରେ ଦାୟ ନା ମୃତ୍ୟୁରେ?ମୃତ୍ୟୁକୁ ଥିଲା ଅପେକ୍ଷା । ମରଣକୁ ଆବାହନ । କେବେ ଆସିବେ ଯମ ଦେବତା । ପିଣ୍ଡରୁ ନେବେ ପ୍ରାଣ । ଅପେକ୍ଷା...ଆଉ ଅପେକ୍ଷା । ଓଃ....କି ହୃଦୟ ବିଦାରକ । କି ଯନ୍ତ୍ରଣା । ଭଗବାନ ଏମିତି ବି ଦଣ୍ଡ କାହିଁକି ଦିଅନ୍ତି! ମଣିଷ ଜୀବନ ନୁହଁ ମରଣ ମନାସୁଛି । ତଳ କୋର୍ଟରୁ ଉପରକୋର୍ଟ । ଉପରୁ ସବା ଉପର । ସର୍ବୋଚ୍ଚ ସୁପ୍ରିମକୋର୍ଟ ଶେଷରେ ହଁ ମାରିଛନ୍ତି ।‘ଇଛାମୃତ୍ୟୁ’କୁ କରିଛନ୍ତି ଅନୁମୋଦନ । ଜୀବନ ହାରିଲା । ଜିତିଲା ମରଣ । ଅପେକ୍ଷା ଥିଲା କେବେ ଏପାରିରୁ ପ୍ରାଣ ଛାଡ଼ି ଚାଲିଯିବ ଆର ପାରିକୁ । ମୃତ୍ୟୁର ସିଡ଼ିକୁ ଅପେକ୍ଷା କରିଥିଲେ ହତଭାଗ୍ୟ ହରିଶ ରାଣା । କେବେ ମିଳିବ ମୁକ୍ତି?ଜୀବନ ନୁହଁ ମୃତ୍ୟୁ ପାଇଁ ତାଙ୍କ ନୂଆ ଠିକଣା ଥିଲା ଏମସ୍,ନୂଆଦିଲ୍ଲୀ । ଏଇଠି ହିଁ ହରିଶ ଛାଡ଼ିଲେ ଶେଷ ନିଃଶ୍ବାସ।
ସମ୍ମାନର ମରଣ
ଜୀବନ ଉପରେ ଯଦି ଅଧିକାର,ମୃତ୍ୟୁ ଉପରେ କାହିଁକି ନୁହେଁ?ଅସାଧ୍ୟ ରୋଗରେ ମଣିଷ ଛଟପଟ ହେବ ନା ଚାହିଁଲେ ସମ୍ମାନର ସହ ଜୀବନ ହାରିବ?ସମ୍ମାନର ସହ ମୃତ୍ୟୁବରଣ କରିବା- ଏକ ଅଧିକାର କି?ସାରା ବିଶ୍ୱରେ ଏହାକୁ ନେଇ ବିବାଦ ଓ ବିତର୍କ । ଭାରତରେ ଏଭଳି ଏକ ଇଛାମୃତ୍ୟୁ ଆବେଦନ ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ । ୧୩ ବର୍ଷ ହେବ ଶଯ୍ୟାଶାୟୀ ଗାଜିଆବାଦର ହରିଶ ରାଣାଙ୍କ‘ଇଚ୍ଛାମୃତ୍ୟୁ'କୁ ଅନୁମତି ମିଳିଛି । ଜନ୍ମକଲା ପୁଅ ପାଇଁ ବାପ-ମାଆ ଭିକ ମାଗିଲେ‘ମୃତ୍ୟୁ’। ଛାତିରେ କୋହ । ଆଖିରେ ଲୁହ ।‘ଇଚ୍ଛାମୃତ୍ୟୁ'ପାଇଁ ସୁପ୍ରିମକୋର୍ଟରେ କଲେ ପ୍ରାର୍ଥନା । ହଡ଼ବଡ଼ ହୋଇଗଲେ ଅଦାଲତ । ବାସ୍ତବତାକୁ ଗମ୍ଭୀରତାର ସହ ଅନୁଧ୍ୟାନ କରି ବଡ଼ ନିଷ୍ପତ୍ତି ଶୁଣାଇଲେ । ଇଚ୍ଛାମୃତ୍ୟୁ ପାଇଁ ଦେଲେ ଅନୁମତି ।‘ଇଚ୍ଛାମୃତ୍ୟୁ'କୁ ମଞ୍ଜୁରୀ ଦେଲା ବେଳେ ବିଚାରପତିଙ୍କ ମୁହଁ ଓ ଆଖିରେ ଥିଲା ଭାବପ୍ରବଣତାର ଚିତ୍ର ।
ମୃତ ପ୍ରାୟ ଅବସ୍ଥା । ମେସିନରେ ଜୀବନ । ନାନିଃଶ୍ୱାସ ଠିକ୍ରେ ନେଇ ପାରୁଥିଲେ ନା ଖାଦ୍ୟ ଖାଇପାରୁଥିଲେ । ବର୍ଷେ ନୁହଁ କି ଦି ବର୍ଷ । ୧୩ ବର୍ଷ ହେବ ଅଚେତ୍ ହୋଇ ବେଡ୍ରେ ପଡି ରହିଥିଲେ ହରିଶ । ନିଜ ପୁଅର ଏଭଳି ଯନ୍ତ୍ରଣା ଜର୍ଜରିତ ଜୀବନ କେଉଁ ବାପା-ମଆ ବି ସହିବେ?କିନ୍ତୁ ପ୍ରାଣ ତ ଛାଡ଼ୁନି । ପୁଅର ସମ୍ମାନଜନକ ବିଦାୟ ସହ ଯନ୍ତ୍ରଣାରୁ ମୁକ୍ତି ପାଇଁ କୋର୍ଟକୁ ପ୍ରାର୍ଥନା କଲେ । ଆମ ପୁଅକୁ ଦୁନିଆରୁ ବିଦାୟ ନେବାକୁ ଅନୁମତି ଦିଅନ୍ତୁ । ପ୍ଲିଜ...ଆଉ ତା ଅନ୍ତହୀନ ଯନ୍ତ୍ରଣା,ଛଟପଟ ଦେଖି ହେଉନି । କୋର୍ଟ ଦିଲ୍ଲୀ ଏମସର ମତ ନେଲେ । ହରିଶଙ୍କର ସ୍ଥିତିରେ ସୁଧାର ଆସିବନି ବୋଲି ଡାକ୍ତର ସ୍ପଷ୍ଟ କଲା ପରେ ଜୀବନରକ୍ଷା ଚିକିତ୍ସା ସେବ ପ୍ରତ୍ୟାହାର କରିନେବାକୁ ଅନୁମତି ଦେଲେ । ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ଆଇନ ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ହରିଶ ରାଣା । ଚଣ୍ଡିଗଡ଼ରେ ପଢ଼ୁଥିବା ହରିଶ ୨୦୧୩ ମସିହାରେ ତାଙ୍କ ହଷ୍ଟେଲର ଚତୁର୍ଥ ମହଲାରୁ ପଡ଼ିଯାଇଥିଲେ । ଯାହା ଫଳରେ ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା । ସେବେଠାରୁ,ହରିଶ ଥିଲେ ଶଯ୍ୟାଶାୟୀ ।
କ’ଣ କହୁଛି ଆଇନ
‘ସବକୋ ମାଫ୍ କରତେ ହୁଏ...ସବସେ ମାଫି ମାଙ୍ଗ୍ତେ ହୁଏ.. ଅବ୍ ଯାଓ’। ବ୍ରହ୍ମାକୁମାରୀ ଏ ଶେଷବାଣୀ କହିଲା ପରେ ହରିଶ ଗଲେ ଏମସ । ଜୀବନରକ୍ଷାକାରୀ ସୁବିଧା ହଟାଇ ନିଆଗଲା। ଅମ୍ଳଜାନ ଦିଆଗଲାନି। ଭେଣ୍ଟିଲେଟର ବା ଲାଇଫ ସପୋର୍ଟ ସିଷ୍ଟମରେ ନାହାନ୍ତି । ପାଣି,ଖାଦ୍ୟ ବନ୍ଦ । ମୃତ୍ୟୁ ଆସିଲା। ଚାଲିଗଲା ପ୍ରାଣ। ଆପଣଙ୍କ ମନକୁ ଆସୁଥିବ ପ୍ରଶ୍ନ,କ'ଣ ଏହି ଇଚ୍ଛାମୃତ୍ୟୁ?ଭାରତ ଏବଂ ସାରା ବିଶ୍ୱରେ ଏହା ଉପରେ କ’ଣ ଅଛି ଆଇନ?ଇଛାମୃତ୍ୟୁ ବା ୟୁଥାନେସିଆ ହେଉଛି,ଜଣେ ରୋଗୀର ଜୀବନ ଶେଷ କରିବାର ପ୍ରକ୍ରିୟା । ଯିଏ ଦୀର୍ଘଦିନ ଅସହ୍ୟ ଯନ୍ତ୍ରଣାରେ କଲବଲ ହେଉଥିବେ । ଅସାଧ୍ୟ ରୋଗର ଶିକାର ହୋଇଥିବେ,ସୁସ୍ଥ ହେବାର ଆଶା ନଥିବ । ଏହି କ୍ଷେତ୍ରରେ ରୋଗୀ କିମ୍ବା ପରିବାରର ଅନୁରୋଧରେ,ଡାକ୍ତରମାନେ ଚିକିତ୍ସା ବନ୍ଦ କରିଦିଅନ୍ତି । କିମ୍ବା ଏମିତି କିଛି ଇଞ୍ଜେକ୍ସନ ଦିଅନ୍ତି,ଯାହାଦ୍ୱାରା ରୋଗୀ ଜଣକର ମୃତ୍ୟୁ ହୁଏ । ତେବେ ଏଥିପାଇଁ ଆଇନ ପ୍ରଣୟନ ହୋଇଥିବ କିମ୍ବା ଅଦାଲତ ଅନୁମତି ଦେବା ଜରୁରୀ । ଇଛାମୃତ୍ୟୁ ଦୁଇ ପ୍ରକାରର । ସକ୍ରିୟ ଇଛାମୃତ୍ୟୁ ଓ ନିଷ୍ଟ୍ରିୟ ଇଛାମୃତ୍ୟୁ । ସକ୍ରିୟ ଇଛାମୃତ୍ୟୁରେ ଏପରି ଔଷଧ କିମ୍ବା ଇଞ୍ଜେକ୍ସନ ଦିଆଯାଏ,ରୋଗୀର ତୁରନ୍ତ ମୃତ୍ୟୁ ଘଟେ । ନିଷ୍କ୍ରିୟ ଇଛାମୃତ୍ୟୁରେ ରୋଗୀର ଚିକିତ୍ସା ବନ୍ଦ କରିଦିଆଯାଏ । ଭେଣ୍ଟିଲେଟର ଭଳି ଲାଇଫ ସପୋର୍ଟ ମେସିନକୁ ବାହାର କରିଦିଆଯାଏ । ଏହାପରେ ଧୀରେ ଧୀରେ ରୋଗୀର ପ୍ରାଣବାୟୁ ଉଡ଼ିଯାଏ ।
ଭାରତରେ କ'ଣ ରହିଛି ଆଇନ?ଭାରତରେ ଇଚ୍ଛାମୃତ୍ୟୁ ସମ୍ପୂର୍ଣ୍ଣ ଆଇନଗତ ନୁହେଁ । କଠୋର ସର୍ତ୍ତାବଳୀ ଅନୁଯାୟୀ ନିଷ୍କ୍ରିୟ ଇଚ୍ଛାମୃତ୍ୟୁକୁ ଅନୁମତି ଦିଆଯାଇଛି । ୨୦୧୮ ମସିହାରେ,ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତିରେ ନିଷ୍କ୍ରିୟ ଇଚ୍ଛାମୃତ୍ୟୁକୁ ଅନୁମୋଦନ କରିଛନ୍ତି । ଏଥିପାଇଁ ଏକ ମେଡିକାଲ୍ ବୋର୍ଡ ଯାଞ୍ଚ ଆବଶ୍ୟକ । ରୋଗୀଙ୍କ ଆରୋଗ୍ୟ ହେବାର ସମ୍ଭାବନା ଅଛି କି ନାହିଁ ତାହା ଡାକ୍ତରଙ୍କ ଦଳ ନିର୍ଣ୍ଣୟ କରନ୍ତି । ପରିବାରର ସମ୍ମତି ମଧ୍ୟ ଆବଶ୍ୟକ । ଅଧିକାଂଶ ଦେଶରେ,୧୮ ବର୍ଷରୁ କମ୍ ବୟସର ରୋଗୀଙ୍କ ପାଇଁ ଇଚ୍ଛାମୃତ୍ୟୁ ଅନୁମତି ନାହିଁ । ନେଦରଲ୍ୟାଣ୍ଡ ଏବଂ ବେଲଜିୟମରେ,ନାବାଳକ ରୋଗୀମାନେ କିଛି ସର୍ତ୍ତରେ ଇଛାମୃତ୍ୟୁ ଆବେଦନ କରିପାରିବେ । ଲୁଜେମବର୍ଗ,କାନାଡ଼ା ଓ କଲମ୍ବିଆରେ ଅଛି ଇଛାମୃତ୍ୟୁ ଆଇନ ।
ବିତର୍କ ଓ ବିବାଦ
ଜୀବନ ହେଉଛି ଶ୍ରେଷ୍ଠ । ମୂଲ୍ୟବାନ ଜୀବନ ହେଉଛି ଭଗବାନଙ୍କ ବରଦାନ । ହେଲେ ମୃତ୍ୟୁ?ମୃତ୍ୟୁ କଣ ବରଦାନ?ଅସହ୍ୟ ପୀଡ଼ା,ଯନ୍ତ୍ରଣାରେ କଲବଲ ମଣିଷର ସମ୍ମାନର ସହ ମୃତ୍ୟୁବରଣ କରିବା କ’ଣ ମାନବାଧିକାର ନୁହେଁ?ହରିଶ ଏବେ ମୁକ୍ତିକୁ ଅପେକ୍ଷା କରିଛନ୍ତି । ଆଉ ଦିନ କେଇଟାର ଅତିଥି ସେ । କେଉଁ ମୁହୂର୍ତ୍ତରେ ବି ଜୀବନ ବିଦାୟ ନେଇପାରେ । ପୁଅର ମୁକ୍ତିର ଆନନ୍ଦକୁ କୋହ ଆଉ ଲୁହରେ ଦେଖିବେ ପରିବାର । ହରିଶଙ୍କ ଭଳି ହଜାର ହଜାର ହରିଶ ଦହଗଞ୍ଜ ହେଉଥିବେ । ଖଟିଆରେ ପଡ଼ି ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିବେ,ନେଇ ଯାଅ ପ୍ରଭୁ । ମୋତେ ଯନ୍ତ୍ରଣାରୁ ଉଦ୍ଧାର କର । ଦିଅ ମୃତ୍ୟୁର ଉପହାର । ଇଛାମୃତ୍ୟୁ ଅଧିକାର କି?ଏହା ଠିକ୍ ନା ଭୁଲ୍?ଚାଲିଛି ଭିଡ଼ା ଓଟରା ।
ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ କହିଛନ୍ତି,ଜଣେ ମଣିଷକୁ ଗୌରବର ସହ ବଞ୍ଚିବା ପରି ଗୌରବର ସହ ମରିବାର ମଧ୍ୟ ଅଧିକାର ଅଛି । ଗୋଟିଏ ପଟେ ମାନବିକତା,ଅନ୍ୟପଟେ ଧାର୍ମିକ/ସାମାଜିକ କଟକଣା । ଇଛାମୃତ୍ୟୁ ସପକ୍ଷରେ ଓକିଲାତି ଯେ,ଜଣେ ବ୍ୟକ୍ତିଙ୍କୁ ମେସିନ୍ ସାହାଯ୍ୟରେ ଅତି ଯନ୍ତ୍ରଣାରେ ବଞ୍ଚାଇ ରଖିବା ତାଙ୍କ ପ୍ରତି ଅନ୍ୟାୟ । ମରି ମରି ଜିଇଁବାର ଅର୍ଥ କଣ?ଅସାଧ୍ୟ ରୋଗରେ ଛଟପଟ ହେଉଥିବା ରୋଗୀଙ୍କୁ ଅସହ୍ୟ ଶାରୀରିକ ଓ ମାନସିକ କଷ୍ଟରୁ ରକ୍ଷା କରିବା ମାନବତା । ଦୀର୍ଘ ଦିନର ଚିକିତ୍ସା ଖର୍ଚ୍ଚ ଓ ରୋଗୀର ସେବା ପରିବାରକୁ ଆର୍ଥିକ ଓ ମାନସିକ ଚାପ ଦିଏ । ତେଣୁ ଇଛାମୃତ୍ୟୁ ଗାରିମାମୟ ଜୀବନର ଅଂଶବିଶେଷ । ବିପକ୍ଷବାଦୀଙ୍କ ଯୁକ୍ତି,ଧର୍ମ ଅନୁସାରେ ଜୀବନ ହେଉଛି ଭଗବାନଙ୍କ ଦାନ । କେବଳ ସେ ହିଁ ଏହାକୁ ନେଇପାରିବେ । ଡାକ୍ତରଙ୍କ କାମ ଜୀବନ ରକ୍ଷା କରିବା,ଜୀବନ ନେବା ନୁହେଁ । ଏହା ଯଦି ଆଇନ ହୁଏ,ଏହାର ଅପବ୍ୟବହାର ହେବ । ସମ୍ପତ୍ତି ବା ଅନ୍ୟ କୌଣସି ସ୍ୱାର୍ଥ ପାଇଁ କେହି ଜଣକୁ ମୃତ୍ୟୁ ମୁଖକୁ ଠେଲି ଦେଇପାରେ । କାଠଗଡ଼ାରେ ଏବେ ବିତର୍କ ।
ଜୀବନକୁ ଭରସା ନାହିଁ । ହେଇ ଥିବ..ଆଉ ଟିକକୁ ଫୁସ୍ । ପବନ ଅଟକିଗଲେ ମଣିଷ ପାଲଟିଯାଏ ଶବ । ବଦଳିଯାଏ ଦୁନିଆ,ବଦଳେ ଠିକଣା । ସୁପ୍ରିମକୋର୍ଟଙ୍କ‘ଇଛାମୃତ୍ୟୁ’ଅନୁମୋଦନ ପରେ ବିତର୍କ-ଭାରତରେ ଇଛାମୃତ୍ୟୁ ଆଇନ ଆସିବା ଆବଶ୍ୟକ କି?ଇଛାମୃତ୍ୟୁ କେବଳ ଏକ ଆଇନଗତ ପ୍ରସଙ୍ଗ ନୁହେଁ । ମାନବୀୟ ସମ୍ବେଦନା ସହ ଏହା ଜଡ଼ିତ । ଆଧୁନିକ ଚିକିତ୍ସା ବିଜ୍ଞାନ,ବଦଳୁଥିବା ସାମାଜିକ ମୂଲ୍ୟବୋଧ ଭିତରେ ଏ ପ୍ରସଙ୍ଗରେ ସ୍ପଷ୍ଟ ଓ ସୁରକ୍ଷିତ ନିୟମାବଳୀର ଆବଶ୍ୟକତା ରହିଛି । କେହି ଅସହାୟ ବ୍ୟକ୍ତି ଯନ୍ତ୍ରଣା ନପାଉ । କୌଣସି ନିର୍ଦ୍ଦୋଷର ଜୀବନ ଅକାଳରେ ନଯାଉ । ମଣିଷ ଜନ୍ମ ହୁଏ,ବଞ୍ଚେ ଏବଂ ଶେଷରେ ମୃତ୍ୟୁବରଣ କରେ । ଏହା ପ୍ରକୃତିର ନିୟମ । କଳ୍ପନା କରନ୍ତୁ,ଯଦି ଜୀବନ ଅଧିକ ଯନ୍ତ୍ରଣାଦାୟକ ହୋଇଯାଏ?ଯଦି ମୃତ୍ୟୁ ହିଁ ଶେଷ ବିକଳ୍ପ ପାଲଟିଯାଏ?ଶେଷରେ ପ୍ରଶ୍ନ ଉଠେ,ଜୀବନ କଣ କେବଳ ନିଃଶ୍ୱାସ ନେବା?ନା ସମ୍ମାନର ସହ ବଞ୍ଚିବା?ଇଛାମୃତ୍ୟୁ ଏମିତି ଏକ ବିବାଦୀୟ ପ୍ରସଙ୍ଗ ଯୁକ୍ତିର ଅନ୍ତ ନାହିଁ । ମାନବିକତା ଦୃଷ୍ଟିରୁ ଶାନ୍ତିପୂର୍ଣ୍ଣ ବିଦାୟ ପ୍ରତ୍ୟେକ ବ୍ୟକ୍ତିର ଅଧିକାର ବୋଲି କୁହାଯାଉଛି । ଆପଣଙ୍କ ମତରେ ଇଛାମୃତ୍ୟୁ ଠିକ୍ ନା ଭୁଲ୍?