• ଗାଡ଼ି ନଅଟକି ଅଟୋମେଟିକ୍ କଟିବ ଟୋଲ୍
  •  ଟୋଲ ଟ୍ୟାକ୍ସ ଭରିବାକୁ ପଡ଼ିବନି
  • ଏହି ସିଷ୍ଟମ ୨୬ ଜାନୁଆରୀ ଯାଏ ଚାଲୁ ହେବାର ସମ୍ଭାବନା

ନୂଆଦିଲ୍ଲୀ - ଜାତୀୟ ରାଜପଥରେ ଯାତ୍ରା କରୁଥିବା ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର। ଯଦି କହିବା ଏହା ଆଶ୍ୱସ୍ତି ଦେବା ଭଳି ଖବର । ଏବେ ହରିଆଣାର କରନାଲ ଜିଲ୍ଲାରେ ଥିବା ବସତାଡା ଟୋଲ ପ୍ଲାଜାରେ ଏବେ ଟୋଲ୍ ଟ୍ୟାକ୍ସ ଭରିବା ପାଇଁ ଗାଡ଼ିକୁ ରୋକିବାକୁ ପଡ଼ିବ ନାହିଁ। ଏଠାରେ ଅଟୋମେଟିକ୍ ଟୋଲ୍ କଟି ଯିବ। କୁହାଯାଉଛି ଯେ, ବସତାଡା ଟୋଲ୍ ପ୍ଲାଜାରେ ମଲ୍ଟି ଲେନ୍ ଫ୍ରି ଫ୍ଲୋ ( ଏମଏଲଏଫଏଫ୍) ସିଷ୍ଟମ ପ୍ରାୟ ପ୍ରସ୍ତୁତ ହୋଇ ସାରିଛି। ଏହା ଭାରତର ଦ୍ୱିତୀୟ ଏମିତି ହାଇଟେକ୍ ଟୋଲ ପ୍ଲାଜା ହେବ, ଯେଉଁଠି ଅଟୋମେଟିକ୍ ଟୋଲ୍ କଟି ଯିବ।

ଅଧିକାରୀଙ୍କ ଅନୁସାରେ , ଏହି ବ୍ୟବସ୍ଥା ଉଚ୍ଚ ପ୍ରଦର୍ଶନ ଥିବା ରେଡିଓ-ଫ୍ରିକ୍ୱେନ୍ସି ଆଇଣ୍ଡେଟିଫିକେସନ (ଆରଏଫଆଇଡି) ରିଡର ଓ ସ୍ୱଚାଳିତ ନମ୍ୱର ପ୍ଲେଟ୍ ରେକଗ୍ନିସନ (ଏଏନପିଆର) କ୍ୟାମେରା ମାଧ୍ୟମରେ ଫାଷ୍ଟାଗ୍ (FASTag) ଓ ଗାଡ଼ି ପଞ୍ଜୀକରଣ ସଂଖ୍ୟା (ଭିଆରଏନ)ର ବ୍ୟବହାର କରି ବିନା ଅଟକାଇ ଇଲେକ୍ଟ୍ରନିକ ଟୋଲ୍ ସଂଗ୍ରହକୁ ସମ୍ଭବ କରିବ। ବସତାଡା ଟୋଲ୍ ପ୍ରବନ୍ଧକ ମୁକେଶ ଶର୍ମା କହିଛନ୍ତି ଯେ, ଉପକରଣର ସ୍ଥାପନାର କାମ ଚାଲିଛି, ଯାହା ପରେ ବୁଥ୍ ଓ ବ୍ୟାରିୟର ହଟେଇ ଦିଆଯିବ। ଏହି ଅନୁସାରେ , ଏହି ସିଷ୍ଟମ ୨୬ ଜାନୁଆରୀ ଯାଏ ଚାଲୁ ହେବାର ସମ୍ଭାବନା ଅଛି।

କହି ରଖୁଛୁ ଯେ, ଏନଏଚ୍-୪୪ (ପାନୀପତ-ଜଳନ୍ଧର)ରେ ପାଖାପାଖି ୫୦୦ ମିଟର କ୍ଷେତ୍ରରେ ବିସ୍ତୁତ କରନାଲ ଟୋଲ୍ ପ୍ଲାଜା ଘରୋଣ୍ଡା ଉପମଣ୍ଡଳ ଅନ୍ତର୍ଗତ ଏବଂ ଏହା ଭାରତରେ ଏମଏଲଏଫଏଫ ସହ ଯୁକ୍ତ ଦ୍ୱିତୀୟ ଏମିତି ସୁବିଧା। ସର୍ବ ପ୍ରଥମେ ଏନଏଚ-୪୮ରେ ଗୁଜରାଟର ଚୋର୍ୟାସି ଟୋଲ ପ୍ଲାଜାକୁ NHAI ଦ୍ୱାରା ପ୍ରବର୍ତ୍ତିତ କମ୍ପାନୀ ଇଣ୍ଡିଆନ ହାଇୱେଜ୍ ମ୍ୟାନେଜମେଣ୍ଟ କମ୍ପାନୀ ଲିମିଟେଡ୍ (ଆଇଏଚଏମସିଏମ) ଓ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟରେ ଚୁକ୍ତି ଅନୁସାରେ ଦେଶର ପ୍ରଥମ ବାଧା-ମୁକ୍ତ ଟୋଲ୍ ପ୍ଲାଜା କରାଯାଇ ଥିଲା।