ଭୁବନେଶ୍ୱର, ୨।୧୧ : ମଧ୍ୟାହ୍ନ ଭୋଜନରେ ଅନିୟମିତତା  କରିବା ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି। ପ୍ରଧାନଶିକ୍ଷକ ଜଣକ ହେଲେ  ଝାଡ଼େଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ଦେହୁରୀ।  

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ସ୍ବାଦିଷ୍ଟ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ପିଏମ-ପୋଷଣ ଅଭିଯାନ କାର୍ଯ୍ୟ କରିଆସୁଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି । ଏଥିରେ ଖିଲାପ୍ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛି ବିଭାଗ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅଧିନସ୍ଥ ଟୋଲକାନି ଅଞ୍ଚଳର ଝାଡ଼େଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅନିୟମିତତାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ଦେହୁରୀଙ୍କୁ  କାର୍ଯ୍ୟରୁ ନିଲମ୍ବନ କରାଯାଇଛି । 

 ସୂଚନାଯୋଗ୍ୟ, ଗତ କିଛି ଦିନ ହେଲାଣି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ସହ କେବଳ ଲୁଣ ଲଙ୍କା ଦିଆଯାଉଥିବା ଅଭିଯୋଗ ହୋଇଥିଲା ।  ଅଭିଯୋଗ ହସ୍ତଗତ ହେବା ପରେ ଏ ସମ୍ବନ୍ଧରେ ବିଭାଗ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହି ତଦନ୍ତର ଫଳାଫଳ ଅନୁଯାୟୀ କାର୍ଯ୍ୟରେ ଅବହେଳା ଯୋଗୁଁ କାର୍ଯ୍ୟରତ ପ୍ରଧାନଶିକ୍ଷକଙ୍କୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।