ଭୁବନେଶ୍ୱର,୧୩।୭ : ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଜନସାଧାରଣଙ୍କ ସମାବେଶକୁ ନଜରରେ ରଖି ଆବଶ୍ୟକୀୟ ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ, ୧୦ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର କେନ୍ଦ୍ର, ୧୦ ଶଯ୍ୟା ବିଶିଷ୍ଟ ବର୍ଣ୍ଣ ୱାର୍ଡ ଏବଂ ଗୋଟିଏ ଅସ୍ତ୍ରୋପୋଚାର କକ୍ଷର ବ୍ୟବସ୍ଥା କରାଯାଇଛି । ସେହିପରି ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନବନିର୍ମିତ କୋଠାରେ ୧୫୦ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ । ରଥଯାତ୍ରାରେ ସ୍ଵାସ୍ଥ୍ୟସେବା ଯୋଗାଇବାକୁ ୨୩୦ ଜଣ ଡାକ୍ତର, ୬୬ ଜଣ ବିଶେଷଜ୍ଞ, ୨ ଜଣ ହୃଦରୋଗ ବିଶେଷଜ୍ଞ, ୨ଜଣ ସ୍ନାୟୁ ବିଭାଗ ବିଶେଷଜ୍ଞ, ୨ ଜଣ ପ୍ଲାଷ୍ଟିକ ସର୍ଜନ ସମେତ ୨୦୦ ନର୍ସିଂ ଅଫିସର ଏବଂ ୨୨୯ ପାରାମେଡିକ୍ସ ଷ୍ଟାଫ ରହିବେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଗୋଟି ଶୀତ ତାପ ଶଯ୍ୟା, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ୨ଟି ଏବଂ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଗୋଟିଏ ଶଯ୍ୟା ଅଂଶୁଘାତ ମୁକାବିଲା ନିମନ୍ତେ ଉପଲବ୍ଧ କରାଯିବ ।

ବଡଦାଣ୍ଡରେ ଏବଂ ପୁରୀ ସହର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ୩୦ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା କରାଯାଇଛି । ବଡଦାଣ୍ଡରେ ଥିବା ୧୧ଟି ଆଶୁ ଚିକିତ୍ସା କେନ୍ଦ୍ର ଦିବାରାତ୍ର ଖୋଲା ରହିବ । ସେହିପରି ୮ଟି ୧୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଡାକ୍ତରଖାନା ବଡ ଦାଣ୍ଡ ଉଭୟ ପାର୍ଶ୍ଵରେ କାର୍ଯ୍ୟକ୍ଷମ ହେବ ଯାହା ଦ୍ଵାରା ଭିଡ ମଧ୍ୟରେ ରୋଗୀ ଜରୁରୀ ଚିକିତ୍ସା ପାଇପାରିବେ ।

ଚଳିତ ବର୍ଷ ୪୬ ଟି ଆମ୍ବୁଲାନ୍ସ ପୁରୀର ବିଭିନ୍ନ ସ୍ଥାନରେ ଏବଂ ୨ ଟି ଏଏଲଏସ ଆମ୍ବୁଲାନ୍ସ (Advanced Life Support) ପୁରୀ ବଡ ଡାକ୍ତରଖାନାରେ ମୁତୟନ କରାଯିବ । ଖାଦ୍ୟର ମାନ ଯାଞ୍ଚ ନିମନ୍ତେ ଅଧିକ ସଂଖ୍ୟକ ଖାଦ୍ୟ ନିରାପତ୍ତା ଅଧିକାରୀ ମୁତୟନ ହୋଇଛନ୍ତି । ୩୦ ଜଣ ପ୍ରଶିକ୍ଷିତ କର୍ମଚାରୀଙ୍କୁ ଅମ୍ଳଜାନ କ୍ୟାନିଷ୍ଟର ସହ ମୁତୟନ ରଖାଯିବ  ବୋଲି ଜଣାପଡିଛି।

​​​​​​​