ଭୁବନେଶ୍ୱର,୧୫/୦୧ : ଦେଶରେ ଏଚ୍‌ଏମ୍‌ପିଭି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଚ୍‌ଏମ୍‌ପିଭିର ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତିକୁ ନେଇ ଆଜି ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ବସିବ । ଏହି ବୈଠକରେ ରାଜ୍ୟର ସମସ୍ତ ସିଡିଏମ୍‌ଓ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ରହିବେ । 

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗର ଏହି ବୈଠକରେ ସବୁ ଜିଲ୍ଲାର ସ୍ଥିତି ଓ ପ୍ରସ୍ତୁତିକୁ ନେଇ ଆଲୋଚନା କରାଯିବ । ସବୁ ଜିଲ୍ଲାର ସିଡିଏମ୍‌ଓ ଉପସ୍ଥିତ ରହିବେ । ଏଚ୍‌ଏମ୍‌ପିଭିକୁ ନେଇ କେନ୍ଦ୍ର ଗାଇଡ୍‌ଲାଇନ୍‌କୁ ଅପେକ୍ଷା କରାଯାଇଛି । ଏହା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ରାଜ୍ୟରେ ନିରୀକ୍ଷଣ ବ୍ୟବସ୍ଥା ଜାରି ରହିଛି । ହସ୍ପିଟାଲ୍‌ରେ ଜ୍ୱର ଜନିତ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଔଷଧ ସମେତ ଅକ୍ସିଜେନ ମହଜୁଦ ରହିଛି । ଆଇଏଲ୍‌ଆର୍‌ (ଇନ୍‌ଫ୍ଲୁଏନଞ୍ଜା ଲାଇକ୍‌ ଇଲ୍‌ନେସ୍‌) ଓ ସାରି (ସିଭିଅର୍‌ ଆକ୍ୟୁଟ ରେସପିରେଟୋରୀ ଇଲ୍‌ନେସ୍‌) ଲକ୍ଷଣ ପ୍ରତି ବିଭାଗ ସଜାଗ ରହିଛି । ଏସବୁ ରୋଗୀଙ୍କର ଏଚ୍‌ଏମ୍‌ପିଭି ପାଇଁ ପରୀକ୍ଷା କରାଯାଉଛି ।

ଅଧିକ ପଢନ୍ତୁ-ଆଜି କର୍ପୋରେସନ ବୈଠକ, ମଶା ମରା ରଣନୀତି ଉପରେ ହେବ ଆଲୋଚନା

ଅନ୍ୟପଟରେ ପୁରୀ ଜିଲ୍ଳା କଣାସରେ ଝାଡ଼ାବାନ୍ତି ଚିନ୍ତା ବଢ଼ାଇଛି । ଝାଡ଼ାବାନ୍ତିରେ ୪୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଦୂଷିତ ପାଣି ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ସନ୍ଦେହ କରାଯାଉଛି । ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ପୁରୀ ସିଡିଏମ୍‌ଓଙ୍କ ତତ୍ତ୍ୱାବଧାନରେ ଘଟଣା ସ୍ଥଳକୁ ଏକ ଟିମ୍‌ ଯାଇଛି । ସେଠାରେ ଚିକିତ୍ସା ବ୍ୟବସ୍ଥା ଜାରି ରହିଛି । ମୃତ୍ୟୁର କାରଣ ସମ୍ପର୍କରେ ସିଡିଏମ୍‌ଓ ତଦନ୍ତ କରୁଛନ୍ତି । ମୃତକ ଏକ ଭୋଜିରେ ଯୋଗଦେଇ ଫେରିବା ପରେ ତାଙ୍କ ଦେହ ଖରାପ ହୋଇଥିଲେ । ପ୍ରଥମେ ସେ ପୁରୀ ଓ ପରେ ଏମ୍‌ସରେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି ।