କଟକ,୧୭/୦୩: ଏସସିବି ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣା ସ୍ୱାସ୍ଥ୍ୟ ବିଭାଗ ଆଖିରୁ ନିଦ ହଜେଇ ଦେଇଛି । ଆଇସିୟୁ ପରି ଏକ ସମ୍ବେଦନଶୀଳ ସ୍ଥାନରେ କିପରି ଏତେ ବଡ଼ ଅଘଟଣ ଘଟିଲା ତାହାକୁ ନେଇ ସରକାରୀ ସ୍ତରରେ ଖୋଳତାଡ଼ ଚାଲିଛି । କେଉଁଠୁ ପ୍ରଥମେ ନିଆଁ ଝରିଲା ଓ କାହିଁକି, ତାହାର କାରଣ ଜାଣିବା ପାଇଁ ସରକାରୀ ସ୍ତରରେ ତଦନ୍ତ ଚାଲିଛି । ୧୧ଟି ଜୀବନ ଏବଂ ଦୁଇ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହେବାର କାରଣ ସମ୍ପର୍କରେ ଜାଣିବା ପାଇଁ ଖୋଳତାଡ଼ ଚାଲିଥିବା ବେଳେ ତଦନ୍ତ ପୂର୍ବରୁ ଜିଇଡି ବିଭାଗ ଏବଂ ଏସ୍ସିବି ମେଡିକାଲ ପ୍ରଶାସନ ସତ ଲୁଚାଇବା ପାଇଁ କସରତ ଆରମ୍ଭ କରି ଦେଇଛନ୍ତି । ଆଇସିୟୁ କାନ୍ଥରେ ଅଗ୍ନି ନିର୍ବାପକ ଉପକରଣ ତଥା ସ୍ପ୍ରିଙ୍କଲର, ଫାୟାର ଆଲାର୍ମ ଆଦି ସବୁ ଉପକରଣ ଥାଇ ମଧ୍ୟ ତାହା କିଛି କାମ କରିନଥିଲା ବୋଲି ଜଣାପଡ଼ିଛି ।
ଆଇସିୟୁ କିମ୍ବା ୬ ମହଲା ବିଶିଷ୍ଟ ଟ୍ରମା କେୟାର କୋଠାରେ ଏତେବଡ଼ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ଲୋକଙ୍କୁ ଆଲର୍ଟ କରିବା ଲାଗି କେଉଁଠି ବି ଫାୟାର ଆଲାମ୍ର୍ ବାଜିନଥିଲା । ଟ୍ରମା କେୟାର ସେଣ୍ଟର ଏକ ଜରୁରୀକାଳୀନ ଚିକିତ୍ସା କେନ୍ଦ୍ର ହୋଇଥିବାରୁ ଅଗ୍ନି ନିରାପତ୍ତା ଓ ଧନଜୀବନର ସୁରକ୍ଷା ଦୃଷ୍ଟିରୁ ବର୍ଷକ ତଳେ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କାର ଅଗ୍ନି ନିର୍ବାପକ ଉପକରଣ ଓ ସରଞ୍ଜାମ ଖଞ୍ଜା ଯାଇଥିଲେ ହେଁ ତାହା କୌଣସି କାମରେ ବ୍ୟବହାର ହୋଇ ପାରିନଥିଲା । ଜିଇଡି ସଂସ୍ଥା ଏସବୁ ତଦାରଖ ଦାୟିତ୍ୱରେ ଥିବା ବେଳେ ଉକ୍ତ ଉପକରଣଗୁଡ଼ିକ କିପରି ଅଗ୍ନିକାଣ୍ଡ ସମୟରେ ବ୍ୟବହାର ଉପଯୋଗୀ ହୋଇପାରିଲା ନାହିଁ ତାହାକୁ ନେଇ ବିବାଦ ଉଠିଛି । ଏସିରେ ସଟ୍ର୍ ସର୍କିଟ୍ ହୋଇ ନିଆଁ ଝରି ଅଗ୍ନିକାଣ୍ଡ ଘଟିଛି ବୋଲି ଏସ୍ସିବିର କିଛି ଅଧିକାରୀ କହୁଥିବା ବେଳେ ଭେଣ୍ଟିଲେଟର୍ରୁ ସଟ୍ର୍ ସର୍କିଟ୍ ହୋଇ ଆଇସିୟୁରେ ନିଆଁ ଲାଗିଥିବା ଜିଇଡି ଅଧିକାରୀ ସଫେଇ ଦେଉଛନ୍ତି । ସରକାରୀ ଅଧିକାରୀଙ୍କ ସ୍ତରରେ ଏପରି ଭିନ୍ନମତକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।
ଅନ୍ୟପକ୍ଷରେ ଅଗ୍ନିକାଣ୍ଡରେ ଆଇସିୟୁରେ ଲାଗିଥିବା ପ୍ରାୟ ୧୦ ଟି ଏସିରୁ ୭ ଟି ଜଳି ଯାଇଛି । ଟ୍ରମା ଆଇସିୟୁ ଭିତରେ ପ୍ରବେଶ କରୁ କରୁ ସମ୍ମୁଖରେ ଥିବା ଦୁଇଟି ବେଡ୍ ସମ୍ପୂର୍ଣ୍ଣ ଜଳି ଯାଇଥିବା ଦେଖିବାକୁ ମିଳୁଛି । ଉକ୍ତ ବେଡ୍ ଏସି ଜଳି ପ୍ରଥମେ ନିଆଁ ଝରିଥିଲା । ପରକୁ ପର ଗୋଟିଏ ପରେ ଗୋଟିଏ ଏସି ଜଳି ସମ୍ପୂର୍ଣ୍ଣ ଆଇସିୟୁ ପରିସର ନିଆଁ ବଳୟରେ ରହିଥିଲା । ଏସି ନିଆଁ ଭେଣ୍ଟିଲେଟର ଓ ଅକ୍ସିଜେନ୍ ପାଇପ୍ ଲାଇନ୍କୁ ଧରିବାରୁ ତାହା ଅଧିକ ଜଳିଥିଲା । ଫଳରେ ଛାତ ସିଲିଂରୁ ନିଆଁ ପିଣ୍ଡୁଳା ଖସିଥିଲା । ଆଇସିୟୁରେ ଥିବା ନର୍ସିଂ ଅଫିସର, ମେଡିକାଲର ସୁରକ୍ଷା କର୍ମୀ ପ୍ରଥମେ ଡାକ ପକାଇବା ପରେ କାଜୁଆଲଟିରେ ଡ୍ୟୁଟିରେ ଥିବା ଡାକ୍ତର ଜେପି ବିଶ୍ୱାଳ ଏବଂ ଜଣେ ପୁଲିସ ସିପାହୀ ତଳ ମହଲାରୁ ଏକ ଏକ୍ସ୍ଟିଙ୍ଗୁଇସର୍ ନେଇ ବ୍ୟବହାର କରିଥିଲେ ହେଁ ତାହା ନିଆଁ ଓ ଧୂଆଁକୁ ଆୟତ୍ତ କରିପାରିନଥିଲା । ଧୂଆଁମୟ ହୋଇଯିବାରୁ ଭେଣ୍ଟିଲେଟରେ ଥିବା ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରିବା ସହଜ ହୋଇନଥିଲା । ଫଳରେ ଚିକିତ୍ସାଧିନ ଦୁର୍ଘଟଣାଗ୍ରସ୍ତଙ୍କ ମଧ୍ୟରୁ ଅନେକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।
ଆହୁରି ପଢନ୍ତୁ-ଗ୍ରିଭାନ୍ସକୁ ଫୋନ୍ କଲେ ଧରୁଛି ବାଇକ୍ ସୋ’ ରୁମ୍,ବର୍ଷବର୍ଷ ଧରି ହଟୁନି ପୁରୁଣା ଅଧିକାରୀଙ୍କ ନାଁ
ଏସିରୁ ସଟ୍ର୍ ସର୍କିଟ୍ ହୋଇ ନିଆଁ ଝରିଥିବା କିଛି କର୍ମଚାରୀ କହିଛନ୍ତି । ମାତ୍ର ଜିଇଡି ଯନ୍ତ୍ରୀଙ୍କ ଯୁକ୍ତି ହେଲା, ଭେଣ୍ଟିଲେଟର ସଂଯୋଗ ଥିବା ଏମ୍ସିବି ପଡ଼ିଯାଇଥିବାରୁ ଉକ୍ତ ଚିକିତ୍ସା ଉପକରଣରୁ ସଟ୍ର୍ ସର୍କିଟ୍ ହୋଇଛି ବୋଲି ଜଣାପଡୁଛି । ବାସ୍ତବରେ କିଏ ସତ କହୁଛନ୍ତି, ତାହା ଜଣା ପଡ଼ିନଥିଲେ ମଧ୍ୟ ଦୁଇ ବିଭାଗ ମଧ୍ୟରେ ଭିନ୍ନମତ ରହୁଥିବାରୁ ଅଗ୍ନିକାଣ୍ଡ ଘଟଣା ରହସ୍ୟମୟ ହୋଇଛି । ଏସିରୁ ସର୍ଟ ସର୍କିଟ୍ ହେଉ କିମ୍ବା ଭେଣ୍ଟିଲେଟର ସୁଇଚ୍ ସହ ସଂଯୋଗ ପ୍ଲକ୍ରୁ ସ୍ପାର୍କିଂ ହୋଇ ନିଆଁ ଝରୁ, ଏସବୁର ତଦାରଖ ଜିଇଡି ସଂସ୍ଥା ଦାୟିତ୍ୱରେ ରହିଛି । ମାତ୍ର ଜିଇଡି ସଂସ୍ଥା ଏସବୁ ପ୍ରତି ଦୃଷ୍ଟି ଦେଇନଥିଲା ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଏହି ଅଗ୍ନିକାଣ୍ଡରେ ଆଇସିୟୁରେ ଥିବା ୪ଟି ବେଡ୍ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଆଉ କେତେକ ଅଧା ପୋଡ଼ା ରହିଛି । ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣଗୁଡ଼ିକ ନିଆଁରେ ନଷ୍ଟ ହୋଇଛି । ଏପରି ଦୁଇ କୋଟି ମୂଲ୍ୟର ସମ୍ପତ୍ତି, ସ୍ୱାସ୍ଥ୍ୟ ଭିତ୍ତିଭୂମି ଜଳିପୋଡି ଧ୍ୱସ୍ତ ହୋଇଥିବା ମେଡିକାଲ ପକ୍ଷରୁ ଆକଳନ କରଯାଇଛି ।