ପୁରୀ,୧୭/୦୩: ସରକାରୀ ୱେବ୍‌ସାଇଟ୍‌ ରହିବ ଅପ୍‌ଡେଟେଡ୍‌ । ଜାତୀୟ ସ୍ତରଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରାଶାସନିକ ବିଭାଗର ଖୋଲାଯିବ ‘ଏକ୍ସ’ ହ୍ୟାଣ୍ଡେଲ । ସବୁବେଳେ ଅଫିସ ଦୌଡ଼ିବାର ଆବଶ୍ୟକ ପଡ଼ିବନାହିଁ । ‘ଏକ୍ସ’ରେ ସରକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିହେବ । ବିଭାଗ ସମ୍ପର୍କିତ ତଥ୍ୟ ସରକାରୀ ୱେବସାଇଟ୍‌ ଏବଂ ‘ଏକ୍ସ’ ହ୍ୟାଣ୍ଡେଲରୁ ମିଳିପାରିବ । କେବଳ ସେତିକି ନୁହେଁ ଫୋନ୍‌ରେ ମଧ୍ୟ ଦେଇ ହେବ ଅଭିଯୋଗ ଏବଂ ଫୋନ୍‌ରେ ହୋଇପାରିବ ସମାଧାନ । ଏଭଳି ଅନେକ ଘୋଷଣା । ହେଲେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । କେତେବେଳେ ଗ୍ରିଭାନ୍ସରେ ଫୋନ କଲେ ଏକ ବାଇକ୍‌ ସୋ’ ରୁମ୍‌କୁ ଫୋନ ଲାଗୁଛି । କେଉଁଠି ସରକାରୀ ୱେବ୍‌ସାଇଟ୍‌ରେ ବର୍ଷବର୍ଷ ପୁରୁଣା ଅଧିକାରୀଙ୍କ ନାଁ ରହିଛି । 

ପୁରୀ ପ୍ରଶାସନ ଅଧୀନ ଅଧିକାଂଶ ବିଭାଗର ୱେବ୍‌ସାଇଟ୍‌ ବର୍ଷବର୍ଷ ଧରି ଅପ୍‌ଡେଟ୍‌ ହେଉନି । କେତେକ ବିଭାଗର ‘ଏକ୍ସ’ ହ୍ୟାଣ୍ଡେଲ ଏଯାଏ ଖୋଲାଯାଇନାହିଁ । ଯେଉଁ ସବୁ ବିଭାଗର ‘ଏକ୍ସ’ ହ୍ୟାଣ୍ଡେଲ ଖୋଲିଛି ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇ ପଡ଼ିଛି । ଯେଉଁ କେତେକ ହାତଗଣତି ‘ଏକ୍ସ’ ହ୍ୟାଣ୍ଡେଲ ସକ୍ରିୟ ଅଛି ସେସବୁ ସମସ୍ୟାର ସମାଧାନ କମ୍‌ ଆତ୍ମପ୍ରଚାର ଅଧିକ କରୁଛନ୍ତି । ପୁରୀ ପ୍ରଶାସନର ୱେବ୍‌ସାଇଟରେ ଥିବା ସୂଚନା ଅଧିକାର ସାଇଟ୍‌କୁ ଅପଡେଟ୍‌ କରାଯାଉନଥିବାରୁ ଲୋକଙ୍କୁ ଭୁଲ ସୂଚନା ପାଇ ଦ୍ୱନ୍ଦ୍ୱରେ ରହୁଛନ୍ତି । ୫ ବର୍ଷ ତଳୁ ବଦଳି ହୋଇଯାଇଥିବା ଅଧିକାରୀଙ୍କ ନାଁ ହଟାଯାଉନାହିଁ । ସୂଚନା ଅଧିକାର ସାଇଟ୍‌ରେ ଥିବା ଅର୍ଦ୍ଧାଧିକ ବିଭାଗରେ ଏବେ ବି ପୁରୁଣା ଅଧିକାରୀଙ୍କ ନାଁ ରହିଛି । ଏବେ ବି ଏହି ସାଇଟ୍‌ରେ ପୁରୀ ଏସ୍‌ପି ଭାବେ ପିନାକ ମିଶ୍ରଙ୍କ ନାଁ ରହିଛି । ପୁରୀ ପୁଲିସ ୱେବସାଇଟ୍‌ ମଧ୍ୟ ଅପଡେଟ୍‌ ହେଉନି । 

୨୦୧୮- ୨୦୧୯ ମସିହାର ବିଜ୍ଞପ୍ତିକୁ ନୂଆ ବିଜ୍ଞପ୍ତି ଭାବେ ୱେବ୍‌ସାଇଟ୍‌ରେ ପ୍ରଦର୍ଶନ କରାଯାଉଛି । ସେହିଭଳି ପୁରୀ ପ୍ରଶାସନ ୱେବ୍‌ସାଇଟ୍‌ରେ ଅନ୍‌ଲାଇନ ଅଭିଯୋଗ ପ୍ରଦାନ କରିବାକୁ ରହିଥିବା ସାଇଟ ମଧ୍ୟ ଖୋଲୁନାହିଁ । ଫଳରେ ଅନ୍‌ଲାଇନ ଅଭିଯୋଗ ଦେବା ଅସମ୍ଭବ ହୋଇଯାଇଛି । କେବଳ ସେତିକି ନୁହେଁ ପୁରୀ ପ୍ରଶାସନ ୱେବ୍‌ସାଇଟରେ ଥିବା ଟେଲିଫୋନ ନମ୍ବର ମଧ୍ୟ ଅଧିକାଂଶ ସମୟରେ ଲାଗୁନାହିଁ । ସେହିଭଳି ଗୁଗୁଲ୍‌ରେ ପୁରୀ ଗ୍ରିଭାନ୍ସ ବୋଲି ସର୍ଚ୍ଚ କରିଲେ ଯେଉଁ ଫୋନ ନମ୍ବର ଆସୁଛି ତାହା ଏକ ବାଇକ୍‌ ସୋ’ ରୁମ୍‌ରେ ଲାଗୁଛି । ଏଣୁ ସମସ୍ୟାର ସମାଧାନ ପାଇଁ ସାଧାରଣ ଲୋକଟିଏ ଅଫିସ ଦୌଡ଼ିବାକୁ ବାଧ୍ୟ ହେଉଛି । ପୁରୀ ଏସ୍‌ପିଙ୍କ ଆକାଉଣ୍ଟରେ କେବଳ ଆତ୍ମପ୍ରଚାର ହେଉଛି, କୌଣସି ସମସ୍ୟାର ସମାଧାନ ନାହିଁ କି ପ୍ରତିକ୍ରିୟା ନାହିଁ ।

ଆହୁରି ପଢନ୍ତୁ-ଗ୍ୟାସ୍ ପାଇଁ ହାହାକାର: ପ୍ରଶାସନର ତତ୍ପରତା ପରେ ବି ସୁଧୁରୁନି ସ୍ଥିତି, ଡିଲରଙ୍କ ପାଖରେ ଲୋକଙ୍କ ଲମ୍ବା ଲାଇନ୍​​​​​​​

 ପ୍ରତ୍ୟେକ ଥାନାର ସ୍ୱତନ୍ତ୍ର ଆକାଉଣ୍ଟ ଖୋଲାଯିବ ବୋଲି ମଧ୍ୟ ଘୋଷଣା ହୋଇଥିଲା । ଏହା କାର୍ଯ୍ୟକାରୀ ହେଉନାହିଁ । ପୁରୀ ପ୍ରଶାସନର ‘ଏକ୍ସ’ ହ୍ୟାଣ୍ଡେଲ ମଧ୍ୟ କୌଣସି ଅଭିଯୋଗର ପ୍ରତିକ୍ରିୟା ରଖୁନାହିଁ, କେବଳ ଆତ୍ମପ୍ରଚାର କରାଯାଉଛି । ରାଜ୍ୟ ପର୍ଯ୍ୟଟନର ପ୍ରାଣକେନ୍ଦ୍ର ପୁରୀ । କିନ୍ତୁ ପୁରୀ ପର୍ଯ୍ୟଟନ ବିଭାଗର ‘ଏକ୍ସ’ ଆକାଉଣ୍ଟ ନାହିଁ । ଜିଲ୍ଲା ଆପ୍‌ ସଭାପତି ସଞ୍ଜୀବ ମହାନ୍ତି କହିଛନ୍ତି, ପ୍ରତ୍ୟେକ ଲୋକ ସରକାରୀ କାର୍ଯ୍ୟାଳୟ ଆସିବା ସମ୍ଭବପର ନୁହେଁ । ଯଦି ଏହି ସରକାରୀ ୱେବ୍‌ସାଇଟ୍‌, ଟୁଇଟର ଏବଂ ଫୋନ ନମ୍ବରଗୁଡ଼ିକ ସକ୍ରିୟ ରୁହନ୍ତା, ସାଧାରଣ ଲୋକଙ୍କ ପାଖରେ ସୁବିଧା ପହଞ୍ଚାଇବା ଆହୁରି ସହଜ ହୋଇପାରନ୍ତା ।