ଭୁବନେଶ୍ୱର,୨୮/୧୨ : ରାଜ୍ୟର ୧୬ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ଚିନ୍ତାଜନକ ଅବସ୍ଥାରେ ରହିଛି । ଏହି ୧୬ ଜିଲ୍ଲାର ୨୯ଟି ବ୍ଲକ୍‌ରେ ମାତୃ ଓ ଶିଶୁ ମୃତ୍ୟୁ ସଂଖ୍ୟା କମାଇବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁସ୍ଥ ଶିଶୁ ଜନ୍ମ ବା ବର୍ଣ୍ଣ ହେଲ୍‌ଦି ଯୋଜନା ଆରମ୍ଭ କରିବ ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ ବିଭାଗ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । 

ପରିବାର କଲ୍ୟାଣ ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଶିଶୁ ଓ ମା’ଙ୍କ ମୃତ୍ୟୁ ସଂଖ୍ୟା କମାଇବା ଲାଗି ତୃଣମୂଳସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ସେଥିପାଇଁ ବିଶେଷଜ୍ଞଙ୍କୁ ନେଇ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଉଛି । ଏହି ବିଶେଷଜ୍ଞମାନେ ବ୍ଲକ୍‌ସ୍ତରରେ ପ୍ରଶିକ୍ଷଣ ଦେଉଛନ୍ତି । ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରସ୍ତୁତ ଧାରା ଅନୁଯାୟୀ ଚିକିତ୍ସା କରାଯିବ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ ଅନୁଯାୟୀ ଓଡ଼ିଶାରେ ଜନ୍ମ ହେବାର ୨୮ ଦିନ ଭିତରେ ନବଜାତ ଶିଶୁଙ୍କ ମଧ୍ୟରୁ ପ୍ରତି ୧୦ ହଜାରଙ୍କ ମଧ୍ୟରେ ୨୮ ଜଣଙ୍କ ମୃତ୍ୟୁ ହେଉଛି । ଜନ୍ମର ବର୍ଷେ ଭିତରେ ପ୍ରତି ୧୦ ହଜାରରେ ୩୫ ଶିଶୁଙ୍କ ମୃତ୍ୟୁ ହେଉଛି । ସେହିପରି ଏକ ଲକ୍ଷ ପ୍ରସୂତିଙ୍କ ମଧ୍ୟରୁ ୧୧୯ ଜଣଙ୍କ ମୃତ୍ୟୁ ହେଉଛି ବୋଲି ପରିସଂଖ୍ୟାନରୁ ଜଣାପଡ଼ିଛି । ଏଭଳି ସ୍ଥିତିରେ ମାତୃ ଓ ଶିଶୁ ମୃତ୍ୟୁ ସଂଖ୍ୟା କମାଇବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଖସଡ଼ା ପ୍ରସ୍ତୁତ କରିଛି ।