ନୂଆଦିଲ୍ଲୀ,୦୯/୦୪; ଚଳିତ ଆଇପିଏଲ ସିଜିନ ୧୯ରେ ଗୁରୁବାର ଦିଲ୍ଲୀ ଏବଂ ଗୁଜରାଟ ମଧ୍ୟରେ ଏକ ହାଇଭୋଲ୍ଟେଜ ମ୍ୟାଚ ଖେଳାଯାଇଥିଲା । ମ୍ୟାଚ ତ ନୁହେଁ ସିନେମା ଥିଲା । ଡେଭିଡ ମିଲରଙ୍କ ବିସ୍ଫୋରକ ଇନିଂସ ଦିଲ୍ଲୀ କ୍ୟାପିଟାଲ୍ସକୁ ବିଜୟର ଦ୍ୱାରରେ ପହଞ୍ଚାଇଥିଲା, କିନ୍ତୁ ମିଲରଙ୍କ ଏକ ଭୁଲ ଯୋଗୁଁ ସେମାନେ ମ୍ୟାଚ୍ ବଞ୍ଚାଇ ପାରିଲେ ନାହିଁ । ଗୋଟିଏ ରନରେ ଗୁଜରାଟଠୁ ହାରିବା ପରେ ଭାଙ୍ଗି ପଡିଥିଲେ ଡେଭିଡ ମିଲର । ଏହି ସମୟରେ ଅଧିନାୟକ ଅକ୍ଷର ପଟେଲ ଆସି ହତାଶା ହୋଇ ଠିଆ ହୋଇଥିବା ମିଲରଙ୍କୁ କୁଣ୍ଢେଇ ପକାଇଥିଲେ । ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଥିଲା ।

ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଟାଇଟାନ୍ସ ୨୧୦ ରନ କରିଥିଲା । ଟାର୍ଗେଟର ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ବି ଦମଦାର ଆରମ୍ଭ କରିଥିଲା । କେଏଲ ରାହୁଲ ଏବଂ ପଥୁମ ନିସାଙ୍କା ପ୍ରଥମ ୱିକେଟ ପାଇଁ ୭୬ ରନର ପାର୍ଟନରସିପ୍ କରିଥିଲେ । ନିସାଙ୍କା ୨୪ ବଲରୁ ୪୧ ରନ କରିଥିଲେ ଏବଂ ରାହୁଲ ୫୨ ବଲରୁ ୪ ଛକା ଏବଂ ୧୧ ଚୌକା ମାରି ୯୨ ରନ କରିଥିଲେ । ଡେଭିଡ୍ ମିଲର ଗୋଟିଏ ପଟେ ଇନିଂସକୁ ହାତରେ ରଖିଥିଲେ । ସେ ୨୦ ବଲରୁ ୩ ଛକା ଏବଂ ୩ ଚୌକା ମାରି ଅପରାଜିତ ୪୧ ରନ କରିବାରେ ସଫଳ ହୋଇଥିଲେ, କିନ୍ତୁ ସେ ଏକ ଭୁଲ କରିଥିଲେ ଯାହା ମ୍ୟାଚ ଛଡାଇ ନେଇଥିଲା । ମ୍ୟାଚ୍ ପରେ ମିଲର ହତାଶ ଏବଂ ଦୁଃଖୀ ହୋଇଯାଇଥିଲେ । ଏହା ପରେ ଅଧିନାୟକ ଅକ୍ଷର ପଟେଲ ତାଙ୍କ ପାଖକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ ।

ଏହା ବି ପଢନ୍ତୁ...ଧୋନିଙ୍କ ଚେନ୍ନାଇକୁ ଆଶ୍ୱିସ୍ତ; ଦିଲ୍ଲୀ ବିପକ୍ଷରେ ଖେଳିବେ ଡିୱାଲ୍ଡ ବ୍ରେଭିସ୍, ଖାତା ଖୋଲିବ ତ ଦଳ ?    

ଡେଭିଡ୍ ମିଲରଙ୍କ ଭୁଲ- ଦିଲ୍ଲୀ କ୍ୟାପିଟାଲ୍ସକୁ ଜିତିବା ପାଇଁ ୧୨ ବଲରୁ ୩୬ ରନ ଆବଶ୍ୟକ ଥିଲା। ମହମ୍ମଦ ସିରାଜ ୧୯ତମ ଓଭର ବୋଲିଂ କରିଥିଲେ, ଦୁଇଟି ଛକା ଏବଂ ଗୋଟିଏ ଚୌକା ଦେଇଥିଲେ । ଏହି ଓଭରରୁ ମୋଟ ୨୩ ରନ୍ ଆସିଥିଲା । ବିଜୟ ପାଇଁ ଶେଷ ଛଅ ବଲରେ ୧୩ ରନ୍ ଦରକାର ଥିଲା। ବିପ୍ରଜ ପ୍ରଥମ ବଲରେ ଚୌକା ମାରିଥିଲେ କିନ୍ତୁ ଦ୍ୱିତୀୟ ବଲରେ ଆଉଟ୍ ହୋଇଥିଲେ । ୩ଟି ବଲରୁ ୮ ରନ ଆବଶ୍ୟକ ଥିବା ବେଳେ, ଡେଭିଡ୍ ମିଲର ଏକ ଛକା ମାରିଥିଲେ। ୨ଟି ବଲରୁ ମାତ୍ର ୨ ରନ ଦରକାର ଥିବା ବେଳେ, ମିଲର ପରବର୍ତ୍ତୀ ବଲରେ ଏକ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ହାତଛଡ଼ା କରିଥିଲେ । ଏକ ସିଙ୍ଗଲ୍ ସହଜରେ ନିଆଯାଇପାରିଥାନ୍ତା, କିନ୍ତୁ ମିଲର ରନ କରିନଥିଲେ । ନଚେତ୍, ସ୍କୋର ସମାନ ହୋଇଥାନ୍ତା । ମିଲର ପରବର୍ତ୍ତୀ ବଲରେ ଏକ ସଟ୍ ଚେଷ୍ଟା କରିଥିଲେ, କିନ୍ତୁ ଏଥର ବଲ ତାଙ୍କ ବ୍ୟାଟକୁ ଛାଡ଼ି ୱିକେଟକିପରଙ୍କ ହାତକୁ ଚାଲିଗଲା । ବଟଲର୍ ସିଧାସଳଖ ଥ୍ରୋ କରିଥିଲେ ଏବଂ କୁଲଦୀପ ରନ ଆଉଟ୍ ହୋଇଥିଲେ । ଦିଲ୍ଲୀ ୧ ରନରେ ମ୍ୟାଚ୍ ହାରିଗଲା ।