ଭୁବନେଶ୍ୱର,୧୯/୧୦: ଆସନ୍ତା ୨୧ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ । ୨୩ ତାରିଖ ବେଳକୁ ଅବପାତ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିନ୍ତୁ ଏହା ଅଧିକ ଘନୀଭୂତ ହେବନି । ବାତ୍ୟା ହେବାର କୌଣସି ଆଶଙ୍କା ନାହିଁ । ଉପକୂଳ ଛୁଇଁବା ପୂର୍ବରୁ ଅବପାତ ଦୁର୍ବଳ ହୋଇଯିବ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ଅବପାତ ପ୍ରଭାବରେ ରାଜ୍ୟରେ ୨୪ ତାରିଖରୁ ମଧ୍ୟମରୁ ଭାରୀ ବର୍ଷା ହେବ ।
୨୪ ତାରିଖରେ ଖୋର୍ଦ୍ଧା ସମେତ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ସଂଲଗ୍ନ ଜିଲ୍ଲାରେ ମଧ୍ୟମ ପରିମାଣର ବର୍ଷା ହୋଇପାରେ । କିଛି ସ୍ଥାନରେ ଭାରୀ ବର୍ଷା ଆଶଙ୍କା ଅଛି । ଉପକୂଳ ସଂଲଗ୍ନ ଅଞ୍ଚଳରେ ସବୁଠୁ ଅଧିକ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି । କିଛି ମଡେଲର ଆକଳନ ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଅବପାତ ଅଧିକ ଘନୀଭୂତ ହୋଇପାରେ । କିନ୍ତୁ ଓଡ଼ିଶା ପାଇଁ କୌଣସି ବାତ୍ୟା ପୂର୍ବାନୁମାନ ଦିଆଯାଇନି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି । ରବିବାର ଉପକୂଳ ଜିଲ୍ଲାରେ କାଁ ଭାଁ ହାଲୁକା ବର୍ଷା ହୋଇପାରେ । ୨୦ ଓ ୨୧ ତାରିଖ ପାଗ ଶୁଖିଲା ରହିବ । ୨୨ ଓ ୨୩ ତାରିଖ ବିକ୍ଷିପ୍ତ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ୨୪ରୁ ୨୬ ତାରିଖ ମଧ୍ୟମରୁ ଭାରୀ ବର୍ଷା ହେବ ବୋଲି ସେ କହିଛନ୍ତି । ୨୦ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପରେ ୨୧ରେ ଏହା ଲଘୁଚାପ ରୂପ ନେବ । ୨୨ ତାରିଖ ସୁଦ୍ଧା ଏହା ଅବପାତ ଓ ୨୪ ସକାଳ ସୁଦ୍ଧା ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ଛୁଇଁବ । ସେତେବେଳକୁ ଏହା ଦୁର୍ବଳ ହୋଇ ସାରିଥିବ । ସେହି ଦୁର୍ବଳ ଘୂର୍ଣ୍ଣିବଳୟ ଅବସ୍ଥାରେ ଏହା ଆନ୍ଧ୍ର ଓଡ଼ିଶା ଉପକୂଳଠାରୁ ଦୂରରେ ରହିବ ।
କିନ୍ତୁ ଓଡ଼ିଶାକୁ ପବନ ବା ବାତ୍ୟାର କୌଣସି ଭୟ ନାହିଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । କିଛି ମଡେଲ ବାୟୁମଣ୍ଡଳର ଆର୍ଦ୍ରତା, ଉପର ବାୟୁମଣ୍ଡଳରେ ବାୟୁ ବିଚ୍ଛୁରଣ ଓ ସିଷ୍ଟମ ଷ୍ଟ୍ରକଚର ଗଠନକୁ ନେଇ ବାତ୍ୟା ଆକଳନ କରିଛନ୍ତି । କିନ୍ତୁ ବାତ୍ୟା ହେବାର କୌଣସି ଆଶଙ୍କା ନାହିଁ । ମେଡେନ ଜୁଲିଅନ ଓସିଲେସନ (ଏମଜେଓ)ର ଚତୁର୍ଥ ପର୍ଯ୍ୟାୟ ଏହି ମାସ ୨୮ ତାରିଖ ସୁଦ୍ଧା ସରିଯିବ । ଏଣୁ କୌଣସି ମେଘ ଗଠନ ପାଇଁ ଏହା ଅନୁକୂଳ ପରିବେଶ ସୃଷ୍ଟି କରିବନି । କିନ୍ତୁ ସମୁଦ୍ର ଓ ବାୟୁମଣ୍ଡଳରେ କିପରି ପରିବର୍ତ୍ତନ ହେବାକୁ ଯାଉଛି, ତାକୁ ଅନୁଶୀଳନ କରିବା ପରେ ଆଗାମୀ ପୂର୍ବାନୁମାନ କରାଯିବ ବୋଲି ସେ କହିଛନ୍ତି ।