ନୂଆଦିଲ୍ଲୀ,୨୫/୦୧: ଦେଶର ଅଧିକାଂଶ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଥିବାବେଳେ ଅନ୍ୟ ଅଞ୍ଚଳରେ ବର୍ଷା ହୋଇଛି। ପ୍ରବଳ ତୁଷାରପାତ ଯୋଗୁଁ ପୂରା ଅଞ୍ଚଳ ବରଫ ଚାଦରରେ ଆଚ୍ଛାଦିତ ହୋଇଥିବା ପରି ଦେଖାଯାଉଛି। ଫଳରେ ସଡ଼କ ଓ ଆକାଶମାର୍ଗରେ ଯାତାୟାତ ପ୍ରଭାବିତ ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ, ଆଗକୁ ତୁଷାରପାତ ଜାରି ରହିବ,ଯାହାକୁ ନେଇ ଆଗାମୀ ଦିନରେ ସତର୍କତା ଜାରି କରାଯାଇଛି। ପ୍ରାୟ ତିନି ମାସର ଖରା ପରେ ଏହା ଋତୁର ପ୍ରଥମ ତୁଷାରପାତ। ମନାଲି ନିକଟରେ ୧୦୦ ରୁ ଅଧିକ ଯାନବାହନ ବରଫରେ ଫସି ରହିଛି। ଜମ୍ମୁ-କାଶ୍ମୀରରେ ମଧ୍ୟ ବହୁ ସଂଖ୍ୟକ ଲୋକ ଫସି ରହିଛନ୍ତି।
ଦେଶର ବିଭିନ୍ନ ସ୍ଥାନରେ ହଠାତ୍ ତୁଷାରପାତ ଏବଂ ବର୍ଷା ଯୋଗୁଁ ଉତ୍ତର ଭାରତରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ହିମାଚଳ ପ୍ରଦେଶରେ ତୁଷାରପାତ ଯୋଗୁଁ ଦୁଇଟି ଜାତୀୟ ରାଜପଥ ସମେତ ୬୮୦ ରୁ ଅଧିକ ରାସ୍ତା ବନ୍ଦ ହୋଇଯାଇଛି। କାଶ୍ମୀରରେ ମଧ୍ୟ ତୁଷାରପାତ ଯୋଗୁଁ ଜାତୀୟ ରାଜପଥ ବନ୍ଦ ହୋଇଯାଇଛି।ମରାମତି କାର୍ଯ୍ୟ ଜାରି ରହିଥିବାରୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଲଗାତାର ଦ୍ୱିତୀୟ ଦିନ ପାଇଁ ସମସ୍ତ ଯାନବାହନ ବନ୍ଦ ରହିଛି। ଉଧମପୁରର ଜଖାନିରେ ମଧ୍ୟ ବର୍ତ୍ତମାନ ଶହ ଶହ ଯାନବାହନ ଅଟକି ରହିଛି, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଟ୍ରାଫିକ୍ ପୁଲିସ ସମସ୍ତ ଯାତାୟାତକୁ ବନ୍ଦ କରିଛି।
ବିନୟ ଗୁପ୍ତା କହିଛନ୍ତି, "ତୁଷାରପାତ ଯୋଗୁଁ ଗତକାଲି ରାତିରୁ ଜାତୀୟ ରାଜପଥ ବନ୍ଦ ଅଛି। ପାଟନିଟପ୍ ଯାତ୍ରା କରୁଥିବା ପର୍ଯ୍ୟଟକଙ୍କ ପାଇଁ ରାସ୍ତାକୁ ଅସ୍ଥାୟୀ ଭାବରେ ଖୋଲାଯାଇଛି। ଆମେ ସେମାନଙ୍କୁ ପାଟନିଟପ୍ ଯିବାକୁ ଅନୁମତି ଦେବା ପୂର୍ବରୁ ସେମାନଙ୍କର ହୋଟେଲ ବୁକିଂ ଏବଂ ପରିଚୟପତ୍ର ଯାଞ୍ଚ କରୁଛୁ। ଶ୍ରୀନଗରକୁ ଯିବା ପାଇଁ ରାସ୍ତା ବନ୍ଦ ରହିଛି। ଡୋଡା-କିସ୍ତୱାର ରାସ୍ତା ମଧ୍ୟ ବନ୍ଦ ଅଛି। ସେଠାରେ ମରାମତି କାର୍ଯ୍ୟ ଚାଲିଛି।" ଜମ୍ମୁ ଏବଂ କାଶ୍ମୀରର ଅନେକ ଅଞ୍ଚଳରେ ତୁଷାରପାତ ଜାରି ରହିଛି। ଗୁଲମାର୍ଗ ଏବଂ ବାଣୀ ଭଳି ସ୍ଥାନଗୁଡ଼ିକ ବରଫର ଘନ ଚାଦରରେ ଆଚ୍ଛାଦିତ, ଯାହା ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଗୁଲମାର୍ଗରେ ତାପମାତ୍ରା ମାଇନସ୍ ୧୨ ଡିଗ୍ରୀ ସେଲସିୟସ୍ ଏବଂ ଶ୍ରୀନଗରରେ ମାଇନସ୍ ୧.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଏହି ତୁଷାରପାତ ଯୋଗୁଁ ଅନେକ ପର୍ଯ୍ୟଟକ ଫସି ରହିଛନ୍ତି। ସେନା ଏବଂ ପ୍ରଶାସନ ଫସି ରହିଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିଛନ୍ତି, ସେମାନଙ୍କୁ ଖାଦ୍ୟ ଏବଂ ଆଶ୍ରୟ ଯୋଗାଇ ଦେଇଛନ୍ତି। ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରୟାସ ଜାରି ରହିଛି।
ଆହୁର ପଢନ୍ତୁ-ଆମେରିକାର ୧୮ ରାଜ୍ୟରେ ବରଫ ଝଡ଼ର ଚେତାବନୀ, ଜରୁରି ପରିସ୍ଥିତି ଘୋଷଣା; ୯ ହାଜର ବିମାନ ଉଡ଼ାଣ ବାତିଲ