ସୋରଡା, ୩୦/୧୧: ଗାଁ ଆକାଶରେ ୨/୩ ଥର ଚକ୍କର କାଟିଲା ହେଲିକପ୍ଟର୍ । ଶେଷରେ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ୍ ଗୋପାଳପୁର ଶାସନ ଗାଁକୁ ଲମ୍ବିଥିବା ଏକ ଅଣଓସାରିଆ କଂକ୍ରିଟ୍ ରାସ୍ତା ଉପରେ ଜରୁରୀ ଅବତରଣ କରିଥିଲା ।ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟାରେ ଦୁର୍ଘଟଣା ଘଟିବା ଆଶଙ୍କାରେ ଏଭଳି ଜରୁରୀ ଅବତରଣ କରିଥିବା କହିଛନ୍ତି ପାଇଲଟ୍ । ଏହା ଥିଲା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର୍ । ତେବେ ଏଥିରେ ସାଂସଦ ପଣ୍ଡା ନଥିଲେ, କେବଳ ପାଇଲଟ୍ ଥେରୁବାଲିରୁ ଭୁବନେଶ୍ୱର ଯାଉଥିଲେ ।
ମେଘୁଆ ପାଗ ସହ ଝିପିଝିପି ବର୍ଷା କାରଣରୁ ହେଲିକପ୍ଟରଟି ଗାଁ ରାସ୍ତାରେ ଅଚାନକ ଓହ୍ଲାଇଥିଲା । ଏହାକୁ ଦେଖିବା ପାଇଁ ଆଖାପାଖ ଗାଁ ଗୋପାଳପୁରଶାସନ, ହରିପୁର, ପାଲକୋଟ, ନୂଆଗାଁ, ସୋରଡା, ଜୟସିଙ୍ଗି, ରତ୍ନପୁର, ଲାଉଖାଲ, ବାଦୁଆପଲ୍ଲୀ ଆଦି ୧୫ଟି ଗାଁର ଲୋକ ଏଠାକୁ ଛୁଟି ଆସିଥିଲେ । କିଛି ଜଣ ମୋବାଇଲ୍ରେ ସେଲ୍ଫି ଓ ଫଟୋ ନେଉଥିବା ଦେଖିବାକୁ ମିଳିଥିଲା । ଅପରାହ୍ନ ୪ଟାରେ ସ୍କୁଲ ଛୁଟି ହୋଇଥିବା ବେଳେ ଏହି ଘଟଣା ଘଟିଥିବାରୁ ଅଧିକାଂଶ ସ୍କୁଲ ପିଲା ମଧ୍ୟ ସେଠାରେ ଭିଡ ଜମାଇଥିଲେ । କାଳେ ପିଲାମାନେ କିଛି ଅଘଟଣର ସାମନା କରିବେ ସେହି ଆଶଙ୍କାରେ ଶିକ୍ଷକମାନେ ମଧ୍ୟ ପିଲାଙ୍କୁ ରୋକିବାକୁ ନାକେଦମ୍ ହୋଇଥିଲେ । ସୋରଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଶନିବାର ପାଗରେ ଉନ୍ନତି ହେଲେ ହେଲିକପ୍ଟରଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଉଡାଣ ଭରିବ ବୋଲି ଜଣାପଡିଛି ।