ଭୁବନେଶ୍ୱର, ୧୮/୦୨ (ପ୍ରଜ୍ଞା ଚୌଧୁରୀ) : ପିଲାଟି ଦିନରୁ ଜୀବନ ଥିଲା ଯନ୍ତ୍ରଣାଦାୟକ। ପ୍ରଥମେ ହେଲେ ବାପାଛେଉଣ୍ଡ, ପରେ ହେଲା ବାଲ୍ୟ ବିବାହ, ତା’ପରେ ବନ୍ଧକ ଶ୍ରମିକ, ପୁଣି ଗଣବଳାତ୍କାର । ଏସବୁ ଯନ୍ତ୍ରଣା ପରେ ବି ଭାଗ୍ୟ, ପରିସ୍ଥିତି ଆଉ ସମୟ ସହ ଲଢିଲେ । କଅଁଳ ହୃଦୟକୁ ଚଟାଣ ପରି ଶକ୍ତ କରି ସବୁ ସହିଲେ । ବିଧାତା ଯେଉଁ ପରୀକ୍ଷା ନେଲେ, ସବୁଥିରେ ସାହସ ଦେଖାଇଲେ । ଆଜି ସେ ଆତ୍ମନିର୍ଭର ଆଉ ସଶକ୍ତ । ନିଜ ଭିଟାମାଟିରେ ସଫଳ ଚାଷୀର ପରିଚୟ ପାଇଛନ୍ତି ୩୫ ବର୍ଷିୟା ଆଦିବାସୀ ମହିଳା ଜାନକୀ (ଛଦ୍ମ ନାମ) ।
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ଏକ ଗରିବ ଆଦିବାସୀ ପରିବାରରେ ଜନ୍ମିତ ଜାନକୀ ପିଲାଟି ଦିନରୁ ବାପାଙ୍କୁ ହରାଇଥିଲେ । ମା’ ଥିଲେ ମାନସିକ ରୋଗୀ । ଜାନକୀଙ୍କୁ ସମ୍ପର୍କୀୟ, ପାଖ ପଡ଼ୋଶୀ ମିଶି ୧୫ ବର୍ଷ ବୟସରେ ନିକଟ ଗାଁର ଜଣେ ଯୁବକ ସହ ବାହା କରାଇଦେଲେ । ବାହାଘର ପରେ ସ୍ୱାମୀ କହିଲେ, ସେ ୩୦ ହଜାର ଟଙ୍କା ବଇନା ରଖିଥିବାରୁ ବେଙ୍ଗାଲୁରୁ ଦାଦନ ଶ୍ରମିକ ଭାବରେ କାମ କରିବାକୁ ଯିବାକୁ ପଡ଼ିବ । ନିରୀହ ଜାନକୀଙ୍କ ପାଖରେ କୌଣସି ବିକଳ୍ପ ନଥିଲା । ୨୦୧୦ରେ ସେ ସ୍ୱାମୀଙ୍କ ସହ ବାଙ୍ଗାଲୋର ଯାଇ ଇଟାଭାଟିରେ କାମ କଲେ । ବର୍ଷେ କାଳ ବେଙ୍ଗାଲୁରୁର ଏକ ଇଟାଭାଟିରେ ଜାନକୀ ଅମାନବୀୟ ପରିବେଶରେ ନାଁକୁ ମାତ୍ର ଖାଦ୍ୟ, ଅକଥନୀୟ ନିର୍ଯାତନା ସହି ଦାଦନ ଖଟୁଥିଲେ । ପ୍ରତିଦିନ ସର୍ଦ୍ଦାରର ଅସଭ୍ୟ ଗାଳିଗୁଲଜରେ ନିଦ ଭାଙ୍ଗୁଥିଲା । ଦୈନିକ ୧୫ ଶହ ଇଟା ତିଆରି ନ କଲେ ସେମାନଙ୍କୁ ଫେରିବା ମନା ଥିଲା । ଏତେ ସଂଖ୍ୟକ ଇଟା ତିଆରି ପାଇଁ ସବୁଦିନ ଉଭୟଙ୍କୁ ୧୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗୁଥିଲା । କିନ୍ତୁ ପାଉଣା ବାବଦକୁ ମିଳୁଥିଲା ହଜାରେ ଇଟାକୁ ଅଧିକରୁ ଅଧିକ ୧୦୦ ଟଙ୍କା । ଏପରି ଅନ୍ୟାୟକୁ ବିରୋଧ କରି ସର୍ଦ୍ଦାରଠୁ ମାଡ଼ ଖାଇଲା ଜାନକୀର ସ୍ୱାମୀ ।
ହଠାତ୍ ଦିନେ ଜାନକୀକୁ ଏକା ଛାଡ଼ି ସେ ଗାଁକୁ ଫେରି ଆସିଥିଲା । ସକାଳୁ ଉଠି ଜାନକୀ ଦେଖେ ସ୍ୱାମୀ ନାହାନ୍ତି । ସର୍ଦ୍ଦାର ଏହା ଜାଣିବା ପରେ ପ୍ରତିଶୋଧ ପରାୟଣ ହୋଇ ମୁନସୀ ଓ ଅନ୍ୟ ସହଯୋଗୀଙ୍କୁ ଡାକି ଜାନକୀକୁ ଗଣବଳାତ୍କାର କରିଥିଲେ । ସ୍ୱାମୀ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଏ ବାବଦରେ ଜଣାଇଥିଲେ । ଜିଲ୍ଲା ପ୍ରଶାସନ ଉଦ୍ୟମରେ ଜାନକୀଙ୍କୁ ୨୦୧୧ରେ ଉଦ୍ଧାର କରାଗଲା । ଅଭିଯୁକ୍ତଙ୍କୁ ଗିରଫ କରାଗଲା । ଜାନକୀ ନିଜ ଗାଁକୁ ଫେରି ଆସିଲେ । କିନ୍ତୁ ଏତିକିରେ ବି ସରିନଥିଲା ବିଧାତାର ଦାଉ । ଜାନକୀ ଗଣବଳାତ୍କାରର ଶିକାର ହୋଇଥିବା ଜାଣିବା ପରେ ସ୍ୱାମୀ ପୁଣି ଛାଡ଼ି ଚାଲିଗଲେ । ଶାଶୂଘର ଲୋକ କଥାବାର୍ତ୍ତା କଲେନି । ଏ ସବୁ ପରେ ବି ଜାନକୀ ଭାଙ୍ଗିପଡ଼ି ନଥିଲେ । ଦିନେ ସେ ଜାଣିବାକୁ ପାଇଲେ, ସ୍ୱାମୀ ଦ୍ୱିତୀୟ ବିବାହ କରିସାରିଛନ୍ତି । ଏହା ପରେ ସେ ନିଜ ଜନ୍ମମାଟି ବାପ ଘର ଗାଁକୁ ଫେରି ଆସିଲେ । ଏସବୁ ଭିତରେ ମା’ଙ୍କ ମୃତ୍ୟୁ ଘଟି ସାରିଥିଲା । ତେଣୁ ସେ ଦାଦାଙ୍କ ଘରେ ଆଶ୍ରୟ ନେଲେ । ସେ ତାଙ୍କ ୪ ଏକର ଜମିରେ ଚାଷ କାମ କଲେ । ସ୍ଥାନୀୟ ଏସଏଚଜି ଓ ଅଙ୍ଗନବାଡ଼ିରେ ସହାୟିକା ଭାବେ କାମ କଲେ ।
ଚାଷ ଭଲ ହେବାରୁ ଜାନକୀ ଏବେ କେବଳ ଚାଷକାମ କରୁଛନ୍ତି । ଆଜି ଜାନକୀ ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷୀ । ଧାନ, କପା, ପନିପରିବା ଚାଷରେ ସେ ଅନୁଭବୀ ଆଉ କୁଶଳୀ । ଏଥିସହ ସେ ଗୋପାଳନ ମଧ୍ୟ କରୁଛନ୍ତି । କଥା କମ୍ କୁହନ୍ତି, କାମ ବେଶୀ କରନ୍ତି । ସରକାରୀ ବ୍ୟବସ୍ଥାରେ ତାଙ୍କୁ ଗୋଟିଏ ଘର ଓ ଭତ୍ତା ମିଳିଛି । ସ୍ୱାମୀର ସହଯୋଗ ନ ପାଇ ମଧ୍ୟ ଇଟାଭାଟି ସର୍ଦ୍ଦାର ବିରୋଧରେ ସାକ୍ଷୀ ଦେବାକୁ ସେ ଅନେକ ଥର ବାଙ୍ଗାଲୋର ଯାଇଛନ୍ତି । ଏବେ ବି କୋର୍ଟରେ ମାମଲା ବିଚାରାଧୀନ ରହିଛି । ବନ୍ଧକ ଶ୍ରମିକମାନଙ୍କୁ ଉଦ୍ଧାର ଓ ଥଇଥାନ ପାଇଁ ପୂର୍ବତନ ବନ୍ଧକ ଶ୍ରମିକମାନଙ୍କୁ ନେଇ ପଶ୍ଚିମ ଓଡ଼ିଶାରେ ଏକ ଶ୍ରମବାହିନୀ ଗଠନ କରାଯାଇଛି । ଜାନକୀ ଏହି ଶ୍ରମବାହିନୀରେ ସକ୍ରିୟ ସଦସ୍ୟ ଅଛନ୍ତି । ଜାନକୀଙ୍କ କାହାଣୀ କେବଳ ଆଦିବାସୀ ମହିଳାଙ୍କ ପାଇଁ ନୁହେଁ ସମ୍ପୂର୍ଣ୍ଣ ମହିଳା ଜାତି ପାଇଁ ଉଦାହରଣ । ଅନ୍ୟାୟ, ଶୋଷଣ, ସାମାଜିକ କଳଙ୍କ, ଅପବାଦ, ବିଶ୍ୱାସଘାତକତା ପରେ ବି ଧୈର୍ଯ୍ୟହରା ହୋଇ ନାହାନ୍ତି ଜାନକୀ । ଜୀବନ ଯନ୍ତ୍ରଣାର ଅଗ୍ନିପରୀକ୍ଷାରେ ବିଜେତା ପାଲଟିଛନ୍ତି ଜାନକୀ ।
ଏହି ଖବରଟିକୁ ପଢନ୍ତୁ- ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା : କପି ରୋକିବ ସ୍ଵତନ୍ତ୍ର ସ୍କ୍ୱାଡ୍, ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ