ମୁମ୍ବାଇ,୧।୧୨ : ବଲିଉଡର ଭେଟରାନ୍ ଆକ୍ଟର ଓ ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ସପ୍ତାହେ ବିତିଛି। ତାଙ୍କର ପରଲୋକ ସିନେମା ଦୁନିଆ ପାଇଁ ବହୁତ ବଡ଼ କ୍ଷତି। ଫ୍ୟାନ୍ସଙ୍କୁ ଲାଗିଛି ଗଭୀର ଆଘାତ। ଧର୍ମେନ୍ଦ୍ରଙ୍କ ତରବରିଆ ଭାବରେ ହୋଇଥିବା ଅନ୍ତିମ ସଂସ୍କାରକୁ ନେଇ ବାରମ୍ବାର ପ୍ରଶଂସକ ପ୍ରଶ୍ନ ଉଠାଉଛନ୍ତି। ନିଜର ପ୍ରିୟ ହିରୋକୁ ଭଲ ଭାବରେ ଅନ୍ତିମ ବିଦାୟ ଦେଇ ପାରିନଥିବାରୁ ଦୁଃଖ ରହିଯାଇଛି। ଏହା ଭିତରେ ସ୍ବର୍ଗତ ଅଭିନେତାଙ୍କ ପତ୍ନୀ ତଥା ଅଭିନେତ୍ରୀ ହେମା ମାଳିନୀଙ୍କୁ ଭେଟିଛନ୍ତି ୟୁଏଇର ଫିଲ୍ମମେକର ହମାଦ ଅଲ୍ ରେୟାମୀ। ସେ ଏହି ସାକ୍ଷାତକୁ ନେଇ ପୋଷ୍ଟ କରିଛନ୍ତି।

ଚଳଚ୍ଚିତ୍ର ନିର୍ମାତା ହମାଦ ଅଲ୍ ରାୟମି ଆରବି ଭାଷାରେ ହେମା ମାଳିନୀଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଶୋକର ତୃତୀୟ ଦିନରେ, ମୁଁ ପ୍ରଖ୍ୟାତ ଅଭିନେତ୍ରୀ ହେମା ମାଳିନୀଙ୍କୁ ଭେଟିବାକୁ ଯାଇଥିଲି। ଏହା ପ୍ରଥମ ଥର ପାଇଁ ଥିଲା ଯେତେବେଳେ ମୁଁ ତାଙ୍କୁ ମୁହାଁମୁହିଁ ଭେଟିଥିଲି, ଯଦିଓ ମୁଁ ତାଙ୍କୁ ପୂର୍ବରୁ ଅନେକ ଥର ଦୂରରୁ ଦେଖିଥିଲି। କିନ୍ତୁ ଏହି ସମୟ ଭିନ୍ନ ଥିଲା... ଏକ ଯନ୍ତ୍ରଣାଦାୟକ, ହୃଦୟ ବିଦାରକ ମୁହୂର୍ତ୍ତ, ଏକ ଦୁଃଖ ଯାହା ପ୍ରାୟ ବୁଝିବା ସମ୍ଭବ ନୁହେଁ। ମୁଁ ତାଙ୍କ ପାଖରେ ବସିଥିଲି, ମୁଁ ତାଙ୍କ ମୁହଁରେ ମନ ଭିତରର ଥିବା ଦୁଃଖକୁ ଦେଖି ପାରୁଥିଲି ଯାହାକୁ ସେ ଲୁଚାଇବାକୁ ଚେଷ୍ଟା କରୁଥିଲେ।’ଫିଲ୍ମ ନିର୍ମାତା ଲେଖିଛନ୍ତି, ସେ (ହେମା) ମୋତେ ଦୁଃଖଭରା ଥର ଥର କଣ୍ଠରେ କହିଥିଲେ, ମୁଁ ଦୁଇ ମାସ ସେ ଦିନ ଯେଉଁ ଦିନ କ୍ଷେତରେ ଧର୍ମେନ୍ଦଙ୍କ ସହ ଥିଲି, ଆଜି ସେଇଠି ଥାଆନ୍ତି ହେଲେ.. ମୁଁ ତାଙ୍କୁ ଦେଖିପାରନ୍ତି ହେଲେ...।’

ହେମାମାଳିନୀ ମୋତେ କହିଥିଲେ କିପରି ସେ ସବୁବେଳେ ଧର୍ମେନ୍ଦ୍ରଙ୍କୁ ପଚାରୁଥିଲେ, ‘କାହିଁକି ତୁମେ ନିଜର ସୁନ୍ଦର ସୁନ୍ଦର କବିତା ଏବଂ ଆର୍ଟିକିଲ ସବୁ ପବ୍ଲିଶ୍ କରୁନାହଁ?' ଧର୍ମେନ୍ଦ୍ର ଉତ୍ତରରେ କହୁଥିଲେ, 'ଏବେ ନୁହେଁ... ପ୍ରଥମେ କିଛି କବିତା ଶେଷ କରିବାକୁ ଦିଅ।' କିନ୍ତୁ ସମୟ ତାଙ୍କୁ ଏପରି କରିବାକୁ ଅନୁମତି ଦେଲା ନାହିଁ, ଏବଂ ସେ ଛାଡି ଚାଲିଗଲେ।’ ହେମା ଖୁବ୍ ଉଦାସ ହୋଇ କହିଥିଲେ,ଏବେ ଅଜଣା ଲୋକେ ଆସିବେ, ତାଙ୍କ ବିଷୟରେ ଲେଖିବେ, ସେମାନେ ବହି ଲେଖିବେ, କିନ୍ତୁ ତାଙ୍କ ଶବ୍ଦ କେବେ ସାମନାକୁ ଆସିବନି। ଏହା ବହୁତ ଦୁଃଖର କଥା। ଏହା ଜୀବନର ଏକ ଅବଶୋଷ ରହିଗଲା ଯେ, ତାଙ୍କର ଅନ୍ତିମ ଦର୍ଶନର ସୁଯୋଗ ତାଙ୍କ ଫ୍ୟାନ ମିଳି ପାରିଲାନି। ଏହାର କାରଣ ମଧ୍ୟ ହେମାମାଳିନୀ କହିଛନ୍ତି।

ସେ କହିଛନ୍ତି, ଧର୍ମେନ୍ଦ୍ର ତାଙ୍କ ଜୀବନସାରା କେବେ ଚାହିଁ ନଥିଲେ ଯେ କେହି ତାଙ୍କୁ ଦୁର୍ବଳ କିମ୍ବା ଅସୁସ୍ଥ ଦେଖନ୍ତୁ। ସେ ତାଙ୍କ ନିକଟତମ ସମ୍ପର୍କୀୟଙ୍କଠାରୁ ମଧ୍ୟ ତାଙ୍କ କଷ୍ଟ ଏବଂ ଯନ୍ତ୍ରଣାକୁ ଲୁଚାଇ ରଖିଥିଲେ। ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ପରେ, ନିଷ୍ପତ୍ତି ପରିବାରର।’ ତା'ପରେ ସେ ଅଟକିଗଲେ, ଲୁହ ପୋଛିଲେ ଏବଂ ମୋତେ ସ୍ପଷ୍ଟ ଭାବରେ କହିଲେ, ‘କିନ୍ତୁ ଯାହା ଘଟିଥିଲା ତାହା ଏକ ଦୟା ଥିଲା... କାରଣ, ହମାଦ, ତୁମେ ତାଙ୍କୁ ସେହି ଅବସ୍ଥାରେ ଦେଖିପାରିଲ ନାହିଁ। ତାଙ୍କ ଶେଷ ଦିନରେ, ସେ ବହୁତ ଅସୁସ୍ଥ ଥିଲେ... ଖୁବ୍ ଯନ୍ତ୍ରଣାଦାୟକ... ଏବଂ ଆମେ ମଧ୍ୟ ତାଙ୍କୁ ସେହି ଅବସ୍ଥାରେ ଦେଖିବା କଷ୍ଟକର ଥିଲା।