ଭୁବନେଶ୍ୱର,୧୭/୧୨:ଚମକିବ ଖଣ୍ଡଗିରି-ଉଦୟଗିରି ଚେହେରା । ବଦଳିବ ପାରିପାଶ୍ୱିର୍କ ରୂପରେଖ । ନୂଆ ରୂପ ପାଇବ ପାଖରେ ଥିବା ବିଭିନ୍ନ ମଠ, ମନ୍ଦିର । ଆରମ୍ଭ ହେବ ଐତିହ୍ୟ ପରିକ୍ରମା ପ୍ରକଳ୍ପ । ପୁନଃନିର୍ମାଣ, ଉନ୍ନତୀକରଣ ସାଙ୍ଗକୁ ଏହି ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀର ସମନ୍ୱିତ ବିକାଶ ହେବ । ଏନେଇ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତ କରିଛି ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌) । ମଙ୍ଗଳବାର ପୂର୍ବାହ୍ଣରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖଣ୍ଡଗିରି-ଉଦୟଗିରିରେ ପାହାଡ଼ ପାଦଦେଶରେ ପହଞ୍ଚି ଡିପିଆର୍‌ର ସମୀକ୍ଷା କରିଥିଲେ । ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂଙ୍କ ସହିତ ଖଣ୍ଡଗିରି-ଉଦୟଗିରି ପରିଦର୍ଶନ କରିଥିଲେ । ବିଭିନ୍ନ ଗୁମ୍ଫା ବୁଲି ଦେଖିବା ସହ ଐତିହ୍ୟ ସ୍ମାରକୀ ବିଷୟରେ ଅବଗତ ହୋଇଥିଲେ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ଯୋଜନା ସମ୍ପର୍କରେ ବିଭାଗର ସଚିବ ବଲୱନ୍ତ ସିଂ ଓ ଓଟିଡିସି ଅଧିକାରୀଙ୍କୁ ପଚାରି ବୁଝିଥିଲେ । ଏହାପରେ ବିଭାଗୀୟ ଅଧିକାରୀ ମନ୍ତ୍ରୀଙ୍କୁ ଡିପିଆର୍‌ ଦେଖାଇ ବିସ୍ତୃତ ଯୋଜନା ବିଷୟରେ ବିଶଦ ଆଲୋଚନା କରିଥିଲେ ।

ପ୍ରସ୍ତାବିତ ପ୍ରକଳ୍ପ ଦ୍ୱାରା ଉଭୟ ପାହାଡ଼ ଚାରିପାଖର ବିକାଶ ହେବ । ଖଣ୍ଡଗିରି-ଉଦୟଗିର ପାହାଡ଼ ପାଦଦେଶରେ ଏକ ଆରାଇଭାଲ୍‌ ପ୍ଲାଜା(ସ୍ୱାଗତ) ସହ ଇଣ୍ଟର୍‌ପ୍ରିଟେସନ୍‌ ସେଣ୍ଟର୍‌(ବ୍ୟାଖ୍ୟାନ କେନ୍ଦ୍ର) ଏବଂ କାଫେଟେରିଆ ରହିବ । ବ୍ୟାଖ୍ୟାନ କେନ୍ଦ୍ରରେ ଶବ୍ଦ-ଆଲୋକର ଶୋ’ ସହ ଖଣ୍ଡଗିରି-ଉଦୟଗିରିର ଇତିହାସ, ଗୁମ୍ଫା, ଶିଳାଲେଖ, ଐତିହ୍ୟ ଏବଂ ସମ୍ରାଟ ଖାରବେଳଙ୍କ ବିଷୟରେ ସବିଶେଷ ସୂଚନା ମିଳିବ । ଯାହାଦ୍ୱାରା ପର୍ଯ୍ୟଟକମାନେ ଖଣ୍ଡଗିରି-ଉଦୟଗିରିର ସମ୍ପର୍କରେ ସବିଶେଷ ତଥ୍ୟ ପାଇବେ । ଏଥି ସହିତ ନୂଆ ରାସ୍ତା, ଚଲାପଥ, ଅଧିକ ସ୍ଥାନ ଥିବା ପାର୍କିଂ ବା ଗାଡ଼ି ରହଣୀ ସ୍ଥଳ, ପ୍ରବେଶ ଫାଟକ, ଆଲୋକୀକରଣ, ଶୌଚାଳୟ, ଭେଣ୍ଡିଂଜୋନ୍‌ ସାଙ୍ଗକୁ ନୂଆ ଟିକଟ୍‌ କାଉଣ୍ଟର୍‌ ନିର୍ମାଣ ହେବ । ଖୁବ୍‌ଶୀଘ୍ର ଏହି ପ୍ରକଳ୍ପ ଗୁଡ଼ିକର କାମ ଆରମ୍ଭ ହେବ । ଏଥିପାଇଁ ୫୨ କୋଟି ଟଙ୍କା ଖର୍ଚ୍ଚ ହେବ ।

ପ୍ରକଳ୍ପ ତ୍ୱରାନ୍ୱିତ ପାଇଁ ଗତ ନଭେମ୍ବର ୨୬ ତାରିଖରେ ରାଷ୍ଟ୍ରୀୟ ସ୍ମାରକୀ ପ୍ରାଧିକରଣ(ଏନ୍‌ଏମ୍‌ଏ) ପକ୍ଷରୁ ଓଟିଡିସିକୁ ଏନ୍‌ଓସି ଦିଆଯାଇଛି । ଏନ୍‌ଏମ୍‌ଏ ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ନିୟମକୁ ଦୃଷ୍ଟିରେ ରଖି କାମ ହେବ । ଐତିହ୍ୟ ସଂରକ୍ଷଣ ଓ ସୁରକ୍ଷା ନିୟମ ଆଧାରରେ ସମସ୍ତ କାମ କରିବ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ବୋଲି ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ପର୍ଯ୍ୟଟକଙ୍କ ସୁବିଧା ପାଇଁ ଉଦୟଗିରି ପାହାଡ଼ ପାଦଦେଶରେ ଏଏସ୍‌ଆଇର ଟିକଟ୍‌ କାଉଣ୍ଟରକୁ ଲାଗି ମୁକ୍ତ ପାର୍କିଂ ରହିଛି । ଯେଉଁଠି ଦୁଇ, ତିନି ଓ ଚାରିଚକିଆ ଯାନ ରହୁଛି । ବାକି ବସ୍‌ ଗୁଡ଼ିକ ରାସ୍ତା କଡ଼ରେ ରହି ଭିଡ଼ ସୃଷ୍ଟି ସାଙ୍ଗକୁ ଯାତାୟାତରେ ବାଧା ଉପୁଜାଉଛି । ପର୍ଯ୍ୟଟନ ଋତୁରେ ଏ ସ୍ଥିତି ପୂରା ଅସମ୍ଭାଳ । ତେଣୁ ଖଣ୍ଡଗିରି-ଉଦୟଗିରି ସମ୍ମୁଖ ଭାଗ (ଜାତୀୟ ରାଜପଥ ପାଶ୍ୱର୍) ନୂତନ ଟିକଟ୍‌ କାଉଣ୍ଟର୍‌ ରାସ୍ତାରେ ଆଉ ଏକ ପାର୍କିଂ ସ୍ଥଳ ପାଇଁ ଆଲୋଚନା ହୋଇଥିଲା ।

 ସେହିପରି ସମ୍ମୁଖ ଭାଗ ରାସ୍ତାକୁ ପ୍ରଶସ୍ତ କରିବା ସହ ପଛପାଖ (ଘାଟିକିଆ ପାଶ୍ୱର୍) ରାସ୍ତା ବାହାର କରିବାକୁ କୁହାଯାଇଥିଲା । ଏଥିପାଇଁ ଜବରଦଖଲକାରୀଙ୍କୁ ହଟାଯିବ । ପର୍ଯ୍ୟଟକଙ୍କ ସୁବିଧା ଦୃଷ୍ଟିରୁ ଉଭୟ ପାଶ୍ୱର୍ରେ ପାର୍କିଂ ସ୍ଥଳ ସହ ଟିକଟ୍‌ କାଉଣ୍ଟର୍‌ ଖୋଲାଯିବ । ଫଳରେ ପର୍ଯ୍ୟଟକମାନେ କୌଣସି ସମସ୍ୟା ବିନା ଖଣ୍ଡଗିରି-ଉଦୟଗିରି ବୁଲି ପାରିବେ । ଖଣ୍ଡଗିରି-କୋଳଥିଆ ଏବଂ ଜୟଦେବ ବାଟିକା ରାସ୍ତାକୁ ପୁନଃନିର୍ମାଣ କରାଯିବ । ବ୍ୟବସାୟୀଙ୍କ ପାଇଁ ଭେଣ୍ଡିଂ କିଓସ୍କୋ, ସାଇକେଲ ପାଇଁ ସ୍ୱତନ୍ତ୍ର ରାସ୍ତା, ଛୋଟପିଲାଙ୍କ ପାଇଁ କ୍ରୀଡ଼ା ସ୍ଥଳ ଓ ବସିବା ପାଇଁ ଆରାମଦାୟକ ଚୌକିର ବ୍ୟବସ୍ଥା ରହିବ । ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ସାଙ୍ଗକୁ ପାହାଡ଼ଦ୍ୱୟ ମଝି ରାସ୍ତାରେ ଯାନବାହାନ ଯାତାୟାତକୁ ବନ୍ଦ କରାଯାଇଥିଲେ ବି ଅବିରତ ପର୍ଯ୍ୟଟକଙ୍କୁ ନେବା ଆଣିବା ଲାଗି ଗାଡ଼ି ଚାଲିଛି । ଯାହା ଐତିହ୍ୟ ପ୍ରତି ବିପଦ ଟାଣି ଆଣୁଛି । ତେଣୁ ଆଗକୁ କଟକଣାକୁ କଡ଼ାକଡ଼ି ସହ ବ୍ୟାଟେରୀ ଚାଳିତ ଗାଡ଼ିର ବ୍ୟବସ୍ଥା କରିବାର ଯୋଜନା ରହିଛି । ତେବେ ଖଣ୍ଡଗିରି-ଉଦୟଗିରି ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସ୍ଥାନୀୟ ବିଧାୟକ ବାବୁ ସିଂ ସାଧୁସନ୍ଥ, ସ୍ଥାନୀୟ ନେତୃବୃନ୍ଦ ଓ ବାସିନ୍ଦାଙ୍କ ସହଯୋଗ ଲୋଡ଼ିଛନ୍ତି । ଐତିହାସିକ, ପୌରାଣିକ ଏବଂ ଧାର୍ମିକ ଦୃଷ୍ଟିକାଣରୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଖଣ୍ଡଗିରିଉଦୟଗିରି ପରିଦର୍ଶନ କରି ଆନନ୍ଦିତ । ଏହି ସ୍ଥାନର ସର୍ବାଙ୍ଗୀନ ଉନ୍ନତି, ଐତିହ୍ୟର ସଂରକ୍ଷଣ ଏବଂ ଭିତ୍ତଭୂମି ବିକାଶ ପ୍ରତି ଆମ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି । 

ବାରଭୁଜା ମନ୍ଦିର, ଐତିହ୍ୟ କୁଣ୍ଡର ପୁନରୁଦ୍ଧାର ହେଉ
 ମା’ ବାରଭୁଜା ହେଉଛନ୍ତି ଖଣ୍ଡଗିରିର ଆରାଧ୍ୟା ଦେବୀ । ପ୍ରତିବର୍ଷ ବିଶ୍ୱପ୍ରସିଦ୍ଧ ଐତିହ୍ୟ ସମ୍ପନ୍ନ ଖଣ୍ଡଗିରି ମାଘ ମେଳା ବା କୁମ୍ଭ ମେଳା ଆସିଲେ ମନ୍ଦିରକୁ ସାରା ଭାରତରୁ ସାଧୁସନ୍ଥମାନେ ଆସି ପାହାଡ଼ ପାଦଦେଶରେ ଯଜ୍ଞ କରିବା ସହ ଦେବୀଙ୍କ ଆଶୀର୍ବାଦ ନିଅନ୍ତି । ହେଲେ ଦୁଃଖର କଥା, ଏହି ମନ୍ଦିର ଏବେ ବିପଦରେ । ସେହିପରି ଖଣ୍ଡଗିରି-ଉଦୟଗିରି ପଞ୍ଚତୀର୍ଥ କୁଣ୍ଡ ଓ ତା’ର ଜଳ ନଷ୍ଟ ହୋଇଗଲାଣି । ତେଣୁ ମନ୍ଦିର ଓ କୁଣ୍ଡ ଗୁଡ଼ିକର ପୁନଃରୁଦ୍ଧାର କରାଯାଉ । ଆଜି ଖଣ୍ଡଗିରି-ଉଦୟଗିରି ପରିଦର୍ଶନରେ ଆସିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆସନ୍ତା କୁମ୍ଭ ମେଳା ବିଷୟରେ ଆଲୋଚନା ସହ ମା’ଙ୍କ ପାଖରେ ସମସ୍ତଙ୍କ ମଙ୍ଗଳକାମନା କରି ପ୍ରାର୍ଥନା କରିଥିଲେ । ଏହି ଅବସରରେ ଅନେକ ସାଧୁସନ୍ଥ ଓ ମା’ ବାରଭୁଜା ମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ସ୍ଥାନୀୟ ବାସିନ୍ଦାମାନେ ମା’ଙ୍କ ପୀଠ ଏବଂ ପଞ୍ଚତୀର୍ଥ କୁଣ୍ଡ ଗୁଡ଼ିକର ସମସ୍ୟା ବିଷୟରେ ଜଣାଇଥିଲେ । ଏହା ଉପରେ ଧ୍ୟାନ ଦିଆଯିବ । ଆଗାମୀ ଦିନରେ ମା’ଙ୍କ ମନ୍ଦିରର ନୂଆ ଛାତ ସହ କାନ୍ଥ ଗୁଡ଼ିକର ମରାମତି କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପ୍ରତିଶ୍ରୁତି ଦେଇଥିବା କମିଟିର କୋଷାଧ୍ୟକ୍ଷ ଦୀନବନ୍ଧୁ ଜେନା କହିଛନ୍ତି ।