କଟକ,୧୯/୨: ଅଭିଯୁକ୍ତଙ୍କୁ ଗିରଫ ପୂର୍ବରୁ ତାଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଛି ବୋଲି କହିଦେଲେ ହେବ ନାହିଁ । ଗିରଫ ବା ଅଟକ ପୂର୍ବରୁ ପୁଲିସ୍ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫଦାରୀର କାରଣ ସଂକ୍ରାନ୍ତରେ ଲିଖିତ ଭାବେ ଜଣାଇବା ସହ ଏନେଇ ତାଙ୍କର ଏକ ସମ୍ମତିପତ୍ର ଆଣିବାକୁ ପଡ଼ିବ । ଅଭିଯୁକ୍ତ ଯେଉଁ ଭାଷା ବୁଝୁଥିବେ ସେହି ଭାଷାରେ ପୁଲିସ୍ ତାଙ୍କୁ ଗିରଫଦାରୀର କାରଣ ସଂକ୍ରାନ୍ତରେ ଜଣାଇବାକୁ ବାଧ୍ୟ ବୋଲି ହାଇକୋର୍ଟ ଏକ ଜାମିନ ମାମଲାର ରାୟ ପ୍ରକାଶ କରି କହିଛନ୍ତି । ନୟାଗଡ଼ ଜିଲ୍ଲା ମାନ୍ଧାତାପୁର ଅଞ୍ଚଳରେ ହୋଇଥିବା ଏକ ବ୍ୟାଙ୍କ୍ ଲୁଟ୍ ଘଟଣାରେ ଗିରଫ ଦୁଇ ଅଭିଯୁକ୍ତ ପ୍ରମୋଦ ନାୟକ ଏବଂ ଶିବ ଡାକୁଆଙ୍କୁ ଜାମିନ ପ୍ରଦାନ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଗିରଫଦାରୀ ସମୟରେ ପୁଲିସ୍ ଅଧିକାରୀମାନେ ଏହି ନିୟମକୁ ଅନୁସରଣ କରୁନଥିବାରୁ ଅନେକ ଦୁର୍ଦ୍ଦାନ୍ତ ଅପରାଧୀ ଜାମିନ୍ରେ ଖସି ଯାଉଥିବାରୁ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି । ଅଦାଲତ ଏହିଭଳି ଅନେକ କେସ୍ ଦେଖୁଛନ୍ତି, ଯେଉଁଥିରେ ପୁଲିସ୍ ଅଧିକାରୀମାନେ ଗିରଫଦାରୀ ସମୟରେ ନିୟମକୁ ଉପଯୁକ୍ତ ଅନୁସରଣ କରୁନାହାନ୍ତି । ଏନେଇ ଗୃହ ବିଭାଗ ସଚିବ ଏବଂ ପୁଲିସ୍ ଡିଜି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ପୁଲିସ୍ ଅଧିକାରୀଙ୍କୁ ଏହି ଆଇନ ସଂକ୍ରାନ୍ତରେ ଅବଗତ କରିବା ଲାଗି ସ୍ୱତନ୍ତ୍ର ତାଲିମ୍ ଦେବାକୁ ହାଇକୋର୍ଟ ଗୃହ ବିଭାଗ ସଚିବ ଏବଂ ପୁଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ କପିକୁ ଉଭୟ ଅଧିକାରୀଙ୍କୁ ପ୍ରଦାନ ଲାଗି ହାଇକୋର୍ଟ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆହୁରି ପଢନ୍ତୁ-ମଙ୍ଗୁଳି ଟୋଲ୍ ପ୍ଲାଜା ପାଖ ଏନ୍ଏଚ୍ରେ ‘ମହୁମାଛି କରିଡର୍’; ଲାଗିବ ଭଳିକି ଭଳି ଫୁଲ ଗଛ, ଆକର୍ଷିତ ହେବେ ମହୁମାଛ
ମାମଲାରୁ ଜଣାଯାଇଛି ଯେ, ଉଭୟ ଅଭିଯୁକ୍ତ ନୟାଗଡ଼ ଏକ ବ୍ୟାଙ୍କ୍ରୁ ୨୭ଲକ୍ଷ ଟଙ୍କା ଲୁଟ୍ କରିଥିଲେ । ନୟାଗଡ଼ ସଦର ପୁଲିସ୍ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା । ନିମ୍ନ ଅଦାଲତରୁ ଜାମିନ ଖାରଜ ହେବା ପରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ପୁଲିସ୍ ଅଭିଯୁକ୍ତମାନଙ୍କୁ ଗିରଫଦାରୀ କାରଣ ସଂକ୍ରାନ୍ତରେ ଜଣାଇ ନାହିଁ । ତେଣୁ ପୁଲିସ୍ ଗିରଫଦାରୀ ଆଇନର ଉଲ୍ଲଂଘନ କରିଛି । ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ଆଦେଶରେ କହିଛନ୍ତି ଯେ, ବିଏନ୍ଏସ୍ଏସ୍ ଆଇନ ଅନୁଯାୟୀ ଯେତେବେଳେ କୌଣସି ପୁଲିସ୍ ଅଫିସର ଜଣେ ବ୍ୟକ୍ତିଙ୍କୁ ବିନା ୱାରେଣ୍ଟରେ ଗିରଫ କରନ୍ତି, ସେତେବେଳେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫଦାରୀ କାରଣ ଓ ଅଭିଯୋଗ ସଂକ୍ରାନ୍ତରେ ସବିଶେଷ ସୂଚନା ଦେବାକୁ ପଡ଼ିବ । କିନ୍ତୁ ଯେଉଁ ‘ଗିରଫଦାରୀ ମେମୋ’ ପୁଲିସ୍ ଉପସ୍ଥାପନ କରିଛି ସେଥିରେ ଗିରଫଦାରୀ ସଂକ୍ରାନ୍ତରେ କିଛି ସ୍ପଷ୍ଟ ଉଲ୍ଲେଖ ନାହିଁ । ତେଣୁ ପୁଲିସ୍ର ଯୁକ୍ତି ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ତେଣୁ ଗିରଫଦାରୀ ସମୟରେ ନିୟମ ପାଳନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।