ଭୁବନେଶ୍ୱର,୧୯/୦୨: ଜାତୀୟ ରାଜପଥରେ ହେବ ମହୁମାଛି କରିଡର (‘ବି’ କରିଡର) । କଥାଟା ଟିକିଏ ବିସ୍ମୟକର ଲାଗିପାରେ, ମାତ୍ର ଏଭଳି ଯୋଜନା ଚଳାଇଛନ୍ତି ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ । ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଏଭଳି ଗଛ ଲାଗିବ, ଯେଉଁଠି ବର୍ଷ ତମାମ ଭଳି କି ଭଳି ଫୁଲ ଫୁଟିବ । ଏମିତି ଫୁଲ ଗଛ ଲାଗିବ, ଯାହା ମହୁମାଛିଙ୍କୁ ଆକର୍ଷତ କରିବ ।
ଆହୁରି ପଢ଼ନ୍ତୁ :- ରସୁଲଗଡ଼ରୁ ପଳାଶୁଣି ଯାଏ ନିର୍ମାଣ ହେବ ସ୍କାଏ ୱାକ: ଖର୍ଚ୍ଚ ହେବ ୨୦ କୋଟି, ଚାଲିଛି ଡିପିଆର
ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଦେଇ ଯାଇଥିବା ୧୬ ନମ୍ବର ଏନଏଚରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଉଛି । ଏନଏଚ-୧୬ରେ ମଙ୍ଗୁଳି ଟୋଲ୍ ପ୍ଲାଜା ପାଖରେ ହେବ ‘ବି’ କରିଡର ବା ମହୁମାଛି କରିଡର । ରାସ୍ତାର ଦୁଇ ପାଶ୍ୱର୍ରେ ସବୁଜିମା ହସିବ ଆଉ ମହୁମାଛି ଆସି ବସିବେ । ବର୍ଷ ସାରା ଯେଭଳି ଫୁଲ ଫୁଟିବ, ସେଭଳି ଗଛ ଲଗାଯିବ । ବଡ଼ ବଡ଼ ଫୁଲ ଗଛ ଲାଗିବ । ଏଥିରେ ଆକୃଷ୍ଟ ହୋଇ ମହୁ ମାଛି ଉଡ଼ି ଆସିବେ । କେବଳ ଫୁଲ ଗଛ ନୁହେଁ, ରାସ୍ତା ପାଶ୍ୱର୍ରେ ନିମ୍ବ, କରଞ୍ଜ, ମହୁଆ, ପଳାଶ, ବୋତଲ ବ୍ରଶ୍, ଜାମୁ, ସିରିଷ ଭଳି ଗଛ, ଗୁଳ୍ମ, ଔଷଧ ଓ ଘାସ ଗଛ ଲଗାଯିବ । ପରିବେଶର ସୁରକ୍ଷା ଓ ସନ୍ତୁଳନ ରକ୍ଷା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ) ଏଭଳି କରିଡର କରିବାକୁ ଯୋଜନା କରିଛନ୍ତି ।
ଆହୁରି ପଢ଼ନ୍ତୁ :- ଭୂତ ଭୟ ! ସଞ୍ଜ ନଇଁଲେ ଗାଁ ମୁଣ୍ଡ ଗଛରୁ ବାହାରୁଛି ଧୂଆଁ, ରାତିରେ ଶୁଭୁଛି ବିକଟାଳ ଶବ୍ଦ
ଏନଏଚଏଆଇ ଅଧିକାରୀ କହିଛନ୍ତି, ରାସ୍ତା ପାଶ୍ୱର୍ରେ ପୂର୍ବରୁ ଗଛ ଲଗାଯାଉଥିଲା । ସବୁଜିମା ଭିତରେ ମହୁମାଛି ବଂଶ ବୃଦ୍ଧି ପାଇଁ ଯୋଜନା କରାଯାଉଛି । କାରଣ ଦେଶରେ ମହୁମାଛି ବଂଶ ବୃଦ୍ଧି ପାଇଁ ସବୁ ଅଞ୍ଚଳରେ ବର୍ଷ ତମାମ ଆବଶ୍ୟକ ଫୁଲ ଗଛ ମିଳୁନି । ସେଥିପାଇଁ ଏହି ଯୋଜନାର ପରିକଳ୍ପନା କରାଯାଇଛି । ଦେଶରେ ନୂଆ କରି ଏହି ମହୁମାଛି କରିଡର କରିବାକୁ ଏନଏଚ୍ଆଇ ପଦକ୍ଷେପ ନେଉଛି । ୫୦୦ ମିଟରରୁ ୧କିମି ଯାଏ ଏହି କରିଡରରେ ବିଭିନ୍ନ କିସମର ଗଛ ଲଗାଯିବ । ପ୍ରଥମେ ମଙ୍ଗୁଳି ଟୋଲ ଗେଟ ପାଖରେ ଏଭଳି କରିଡର ନିର୍ମାଣ ଯୋଜନା ରହିଛି । ଏ ଦିଗରେ ବର୍ତ୍ତମାନ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଉଛି । କେଉଁ ଗଛ ଲାଗିବ, ସେ ନେଇ ବିଚାର କରାଯାଉଛି । ଏ ନେଇ ବିସ୍ତୃତ ଅନୁଧ୍ୟାନ ପରେ ପ୍ରସ୍ତାବ ଚୂଡ଼ାନ୍ତ ରୂପ ନେବ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଅଞ୍ଚଳରେ ଏଭଳି କରିଡର କରାଯିବ ।