ନୂଆଦିଲ୍ଲୀ,୨୪/୦୭: ହିମାଚଳ ପ୍ରଦେଶର ମଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଖାଇକୁ ଖସିଲା ବସ୍। ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଏନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି।
ସୂଚନା ମୁତାବକ, ମଣ୍ଡିର ମସରିନରେ ବସଟି ମୋଡ଼ ନେଉଥିବା ବେଳେ ନିୟନ୍ତ୍ରଣ ହରାଇ ଖାଇକୁ ଖସିପଡ଼ିଥିଲା । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ସ୍ଥାନୀୟ ଲୋକଙ୍କ ସହିତ ପୁଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଡାକ୍ତରଖାନା ନିଆଯାଇଛି। ସେହିପରି ଏହି ଦୁର୍ଘଟଣାରେ ଗୁରୁତର ଆହତମାନଙ୍କୁ ବିଳାସପୁର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ତେବେ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ଜଣେ ବାଳକ ଥିବା ଜଣାପଡ଼ିଛି। ସେପଟେ ଏହି ଦୁର୍ଘଟଣାର ଖବର ପାଇ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ପ୍ରଶାସନ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। ତେବେ ଏହି ଦୁର୍ଘଟଣା ପୁଣି ଥରେ ହିମାଚଳର ପାହାଡ଼ି ରାସ୍ତାର ଖରାପ ଅବସ୍ଥା ଏବଂ ବର୍ଷା ସମୟରେ ଯାତ୍ରାର ବିପଦକୁ ସ୍ପଷ୍ଟ କରିଛି। ସ୍ଥାନୀୟ ଲୋକମାନେ ପ୍ରଶାସନଠାରୁ ରାସ୍ତାର ଉନ୍ନତି ଏବଂ ସୁରକ୍ଷା ବ୍ୟବସ୍ଥା ଦାବି କରିଛନ୍ତି।