ନୂଆଦିଲ୍ଲୀ,୦୬/୦୮: ତାରିଖ ୬ ଅଗଷ୍ଟ, ବର୍ଷ- ୧୯୪୫ । ସ୍ଥାନ- ଜାପାନର ହିରୋସିମା । ସକାଳ ୮ଟା ୧୫ ମିନିଟ୍ । ଆମେରିକାର ପ୍ରତିଶୋଧର ନିଆଁ ଘର, ସ୍କୁଲ, ବଜାର ଏବଂ ହସୁଥିବା ମୁହଁକୁ ପାଉଁଶ କରିଦେଇଥିଲା । ଏହା ମାନବଜାତି ଇତିହାସର ଏକ କଳା ଦିନ ଥିଲା, ଯାହା ଆଜି ବି ବିଶ୍ୱକୁ ଥରାଇ ଦିଏ । ବିଜ୍ଞାନ ଶକ୍ତି ଦ୍ୱାରା ଜାପାନ ଉପରେ ହୋଇଥିବା କ୍ଷତ ଆଜି ବି କେହି ଭୁଲି ନାହାହିଁ । ପ୍ରତିବର୍ଷ ଅଗଷ୍ଟ ୬ ତାରିଖକୁ ହିରୋସୀମା ଦିବସ ପାଳନ କରାଯାଏ । ଏହି ଦିନ ଆମକୁ ୧୯୪୫ ମହିସାରେ ଜାପାନର ହିରୋସିମା ସହର ଉପରେ ପରମାଣୁ ବୋମାର ଭୟାବୟ ରୂପକୁ ମନେ ପକାଇଦିଏ । ଆଜି ସେହି ଧ୍ୱଂସକୁ ୮୦ ବର୍ଷ ପୂରଣ ହୋଇଛି । ଘଣ୍ଟା କଣ୍ଚାର ସେ ଟିକ୍ଟିକ୍ ଶଦ୍ଦ ଭିତରେ ହିରୋସିମା ଆଜି ପୁଣି ଛିଡ଼ା ହୋଇଛି, ତାର କ୍ଷତକୁ ଭୁଲିଛି । କିନ୍ତୁ ତାର ପବନ ଏବେ ବି ବିଶ୍ୱକୁ ବାର୍ତ୍ତା ଏବଂ ଚେତାବନୀ ଦେଉଛି କି, ଯେତେବେଳେ ଯୁଦ୍ଧର ଭାଷା ନୀରବ ହୋଇଯାଏ, ଶାନ୍ତିର ସ୍ୱର ଶୁଣାଯାଏ । ଆଜି ହିରୋସିମା ଏକ ସହର ନୁହେଁ ବରଂ ମାନବଜାତି ସମ୍ମୁଖରେ ପ୍ରାର୍ଥନା, ଅନୁତାପ ଏବଂ ପୁଣି ଥରେ ଛିଡା ହୋଇଥିବା ଆଶାର ପ୍ରତୀକ ହୋଇଛି ।
୬ ଅଗଷ୍ଟ ୧୯୪୫ରେ ଆମେରିକା ହିରୋସିମା ଉପରେ 'ଲିଟିଲ୍ ବୟ' ପରମାଣୁ ବୋମା ପକାଇଥିଲା । ଏହି ଆକ୍ରମଣ ପରେ, ବିସ୍ଫୋରଣ ସ୍ଥାନର ତାପମାତ୍ରା ୩ ରୁ ୪ ହଜାର ଡିଗ୍ରୀ ସେଲସିୟସ୍ ମଧ୍ୟରେ ରେକର୍ଡ କରାଯାଇଥିଲା । ଏହାର ୩ ଦିନ ପରେ ଜାପାନ ଆତ୍ମସମର୍ପଣ ନକରିବାରୁ ଶିଳ୍ପ ସହର ନାଗାସାକି ଉପରେ ପରମାଣୁ ବେମା 'ଫ୍ୟାଟ୍ ମ୍ୟାନ୍' ପକାଇଥିଲା । ଆଗକୁ ଯେପରି ଏମିତି ନ ଘଟେ ତାହା ସମଗ୍ର ବିଶ୍ୱ ପାଇଁ ଭଲ । ତଥାପି, ଯଦି କୌଣସି ସ୍ଥାନରେ ପରମାଣୁ ବୋମା ପଡ଼ିଯାଏ, ତେବେ କେତେ ବଡ଼ ବିପର୍ଯ୍ୟୟ ଘଟିବ ତାହାର ସତ୍ୟ ବିଶ୍ୱକୁ ଚକିତ କରିଦେବ । ଏ ବିଷୟରେ କହିବା ପୂର୍ବରୁ, ଆସନ୍ତୁ ପ୍ରଥମେ ଇତିହାସର ସେହି ପୃଷ୍ଠାଗୁଡ଼ିକୁ ଓଲଟାଇବା, ଯାହା ଜାପାନକୁ ଯନ୍ତ୍ରଣା ଦେଇଥିଲା ।
ପ୍ରତିବର୍ଷ ୬ ଅଗଷ୍ଟରେ ହିରୋସିମା ଦିବସ ପାଳନ କରାଯାଏ । ଏହି ଦିନଟି କେବଳ ଇତିହାସର ବିନାଶକାରୀ ଘଟଣାକୁ ମନ ପକାଏ ନାହିଁ ବରଂ ମାନବତା ଏବଂ ଶାନ୍ତିର ବାର୍ତ୍ତା ଦିଏ । ବିଶ୍ୱକୁ ବର୍ତ୍ତମାନର ପରମାଣୁ ଅସ୍ତ୍ରର ଅନ୍ଧ ଦୌଡ଼ରୁ ଶିକ୍ଷା ପାଇବା ପାଇଁ ବାର୍ତ୍ତା ଦିଏ । ୧୯୪୫ ମସିହାରେ ଆମେରିକା ପରମାଣୁ ବୋମା ପାଇଁ ହିରୋସିମା ତା'ର ଅସ୍ତିତ୍ୱ ହରାଇଥିଲା । ସମଗ୍ର ସହର ଏକ କବରସ୍ଥାନରେ ପରିଣତ କରିଥିଲା । ୧ ଲକ୍ଷ ୪୦ ହଜାର ଲୋକ ପ୍ରାଣ ହରାଇଥିଲେ । କେବଳ ଏତିକି ନୁହେଁ, ଲକ୍ଷ ଲକ୍ଷ ଜୀବନ ଦୁଃଖ ଭିତରକୁ ଠେଲି ହୋଇଯାଇଥିଲେ । ପ୍ରତି ମୁହୂର୍ତ୍ତ ସେମାନଙ୍କ ପାଇଁ ଯନ୍ତ୍ରଣାଦାୟକ ଥିଲା ।
ଇତିହାସର ସବୁଠୁ ଭୟଙ୍କର ଏବଂ ଅବିସ୍ମରଣୀୟ ସକାଳ- ୬ ଅଗଷ୍ଟର ସେହି ସକାଳେ, ଆମେରିକୀୟ ବିମାନ 'ଏନୋଲା ଗେ' ରୁ ହିରୋସିମା ଉପରେ ଏକ ପରମାଣୁ ବୋମା ପକାଯାଇଥିଲା । ଆଖି ପିଛୁଳାକେ ୧୩ ବର୍ଗ କିଲୋମିଟର ଅଞ୍ଚଳ ଧ୍ୱଂସ ପାଇଯାଇଥିଲା। ଏହି ଆକ୍ରମଣରେ ଉକ୍ତ ଦିନରେ ହିଁ ୭୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ହଜାର ହଜାର ପରିବାର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ପୋଡ଼ିଯାଇଥିବା ଶରୀର ଏବଂ ପାଉଁଶର ଗଦା ଅପେକ୍ଷା ଅଧିକ ଭୟଙ୍କର ଥିଲା ବଞ୍ଚିବା ପାଇଁ ଲୋକଙ୍କ ସଂଘର୍ଷ । ଆକ୍ରମଣର ପରେ ପରେ, ବିକିରଣ ଯୋଗୁଁ ରୋଗ ଏବଂ ପୋଡ଼ାଜଳା ଯୋଗୁଁ ୧.୪ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ।
ଏବେ ଶାନ୍ତିର ପ୍ରତୀକ ହିରୋସିମା- ଆମେରିକୀୟ ଆକ୍ରମଣରେ ଧ୍ୱଂସ ପାଇଥିବା ହିରୋସିମା ସମୟ ସହିତ ନିଜକୁ ଛିଡା କରିଛି । କେବଳ ଏତିକି ନୁହେଁ, ଏହା ସମଗ୍ର ବିଶ୍ୱକୁ ମାନବତାର ବାର୍ତ୍ତା ମଧ୍ୟ ଦେଇଛି । ପ୍ରତିବର୍ଷ ଏହି ଦିନରେ ଜାପାନ ଶାନ୍ତି ସ୍ମାରକୀ ସମାରୋହ ଆୟୋଜନ କରେ । ବିଶ୍ୱର ପ୍ରତ୍ୟେକ କୋଣରୁ ଲୋକମାନେ ପରମାଣୁ ଅସ୍ତ୍ରଶସ୍ତ୍ରର ନିରାକରଣ ପାଇଁ ଦାବି କରିବାକୁ ଏଠାକୁ ଆସନ୍ତି । କିନ୍ତୁ ସମୟ ସହିତ ପରମାଣୁ ଅସ୍ତ୍ରଶସ୍ତ୍ର ଥିବା ଦେଶଗୁଡ଼ିକ ଏପର୍ଯ୍ୟନ୍ତ ଉନ୍ନତିର କୌଣସି ସଙ୍କେତ ଦେଖାଉନାହାଁନ୍ତି ।
ବିଶ୍ୱରେ ପରମାଣୁ ଅସ୍ତ୍ର ପାଇଁ ରେସ୍ ଚାଲିଛି- ଏପରି ପରିସ୍ଥିତିରେ, ଯଦି ଅନ୍ୟ କୌଣସି ସହର କିମ୍ବା ଦେଶ ହିରୋସିମା ପରି ଶିକାର ହୁଏ ତେବେ କ'ଣ ହେବ ? ଏପରି ଚିନ୍ତା କରିବା ମଧ୍ୟ ଭୟଙ୍କର । ଯଦି ହିରୋସିମା ଉପରେ ପକାଯାଇଥିବା ସେହି ବଡ଼ ବୋମା (୧୦ କିଲୋଟନ୍ ବୋମା) ପୁଣି ଥରେ ପଡେ, ତେବେ ଅନେକ କିଲୋମିଟର ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ । ଆଜି ଆମେରିକା ଏବଂ ରୁଷ ଭଳି ଦେଶ ପାଖରେ ୩୦୦ କିଲୋଟନ୍ ରୁ ଅଧିକ ଓଜନର ବୋମା ଅଛି । ଯଦି ଏଗୁଡ଼ିକୁ କୌଣସି ଦେଶ ଉପରେ ପକାଯାଏ, ତେବେ ଆମେ ହିରୋସିମା ଉପରେ ପକାଯାଇଥିବା ବୋମା ସହିତ ବିନାଶର ଘଟଣାକୁ ତୁଳନା କରାଯିବ ।
ପୂର୍ବ ଅପେକ୍ଷା ଅଧିକ ଉନ୍ନତ ପରମାଣୁ ଅସ୍ତ୍ର - ଯଦି ପରମାଣୁ ଯୁଦ୍ଧ ହୁଏ, ତେବେ ବିନାଶର ପରିସର ବହୁତ ବଡ଼ ହେବ । ଆଜିର ଯୁଗରେ ପରମାଣୁ ଅସ୍ତ୍ର ପୂର୍ବ ଅପେକ୍ଷା ଅଧିକ ଉନ୍ନତ ହୋଇଛି । ହିରୋସିମା ଉପରେ ପଡ଼ିଥିବା ବୋମା ଅପେକ୍ଷା ୬୦ ଗୁଣା ଅଧିକ ଶକ୍ତିଶାଳୀ ବୋମା ଅଛି । ଯଦି ପରମାଣୁ ଯୁଦ୍ଧ ହୁଏ ତେବେ ବହୁ ପରିମାଣର ଧୂଳିକଣା ବାୟୁମଣ୍ଡଳରେ ପ୍ରବେଶ କରିବ । ଏହା ଯୋଗୁଁ ସୂର୍ଯ୍ୟକିରଣ ପୃଥିବୀ ପର୍ଯ୍ୟନ୍ତ ପହଞ୍ଚି ପାରିବନାହିଁ, ଯାହା ଫଳରେ ପୃଥିବୀର ତାପମାତ୍ରା ମଧ୍ୟ ହ୍ରାସ ପାଇବ । ଅନାହାର, ଦୁର୍ଭିକ୍ଷ ଏବଂ ବିଶ୍ୱ ସଙ୍କଟ ଜନ୍ମ ନେବ। ବିଶ୍ୱ ଅର୍ଥନୀତି ପ୍ରଭାବିତ ହେବ । ଯୁଦ୍ଧରୁ ବିନାଶ ବ୍ୟତୀତ କିଛି ଲାଭ ହେବ ନାହିଁ । କ୍ଷମତାର ଅନ୍ଧ ଦୌଡ଼ରେ, ପ୍ରତି ମୁହୂର୍ତ୍ତରେ ମାନବଜାତିକୁ ହତ୍ୟା କରାଯିବ । ତେଣୁ, ବିଜ୍ଞାନକୁ କେବଳ ସୃଷ୍ଟି ପାଇଁ ବ୍ୟବହାର କଲେ ଭଲ ହେବ । ଆଶା କରିବା ଏପରି ସଙ୍କଟ କେବେ ନ ଆସୁ ।