ପ୍ରମୂଖ ଖବର
  • ସମ୍ବିଧାନର ଅଷ୍ଟମ ଅନୁସୂଚିତରେ ମୁଣ୍ଡାରି ଭାଷାକୁ ଅନ୍ତର୍ଭୁକ୍ତ କରିବାକୁ ଦାବି କଲେ ବିଧାୟିକା ସଂଞ୍ଜଳୀ ମୁର୍ମୁ
  • ||
  • ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,୫୫୦୦ କୋଟିର ପ୍ରକଳ୍ପ ଲୋକାର୍ପଣ କରିବେ
  • ||
  • ଶିମିଳିପାଳରେ ହାଡଭଙ୍ଗା ଶୀତ, ଉପର ବାର୍ହାକାମୁଡ଼ାରେ ୩ ଡିଗ୍ରୀକୁ ଖସିଲା ପାରଦ
  • ||
  • ତାମିଲନାଡୁ ଘରୋଇ ଅର୍ଥୋପେଡିକ୍‌ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୭ ମୃତ, ୨୮ ଆହତ
  • ||
  • ଜାଡ଼ରେ ଥରିଲା ଓଡ଼ିଶା, ୩ ଡିଗ୍ରୀ ଖସିଲା ପାରଦ: ୧୬ ତାରିଖରୁ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ମଧ୍ୟପ୍ରାଚ୍ୟରେ ବିଗିଡ଼ିଛି ଜଳବାୟୁ ସନ୍ତୁଳନ, ଅଲ୍‌-ଜଫ୍‌ରେ ପ୍ରବଳ ବର୍ଷା, କୁଆପଥର ବୃଷ୍ଟି

Published By : Prameya | November 6, 2024 8:23 AM

ରିୟାଦ,୫ା୧୧(ଏଜେନ୍ସି): ଇତିହାସରେ ପ୍ରଥମ । ଜଳବାୟୁ ପରିବର୍ତ୍ତନର ସଦ୍ୟତମ ଘଟଣା ମାନବତା ପାଇଁ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି । ପ୍ରଥମ ଥର ପାଇଁ ସାଉଦି ଆରବର ମରୁ ଭୂଖଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ହୋଇଛି । ତୁଷାରପାତ ବି ହୋଇଛି । ଶୀତଋତୁର ଆଗମନ ପୂର୍ବରୁ ଶୁଷ୍କ ଜଳବାୟୁ ପାଇଁ ପରିଚିତ ଅଲ୍‌-ଜଫ୍‌ ମରୁ ଅଞ୍ଚଳ ‘ୱିଣ୍ଟର ଓଣ୍ଡରଲ୍ୟାଣ୍ଡ୍‌’ରେ ରୂପାନ୍ତରିତ ହୋଇଛି । ଗତ ସପ୍ତାହରୁ ସାଉଦି ଆରବ ଅସ୍ୱାଭାବିକ ପାଣିପାଗ ସ୍ଥିତିର ସମ୍ମୁଖୀନ ହେଉଛି । ଗଲା ବୁଧବାର ପ୍ରବଳ ବର୍ଷା ସହିତ ଭାରୀ ମାତ୍ରାରେ କୁଆପଥର ବୃଷ୍ଟି ହୋଇଥିଲା । ଅଲ୍‌-ଜଫ୍‌ର କେତେକ ସ୍ଥାନ ସମେତ ଉତ୍ତର ସୀମା, ରିୟାଦ ଓ ମକ୍କା ଅଞ୍ଚଳରେ ବୃଷ୍ଟିପାତ ହୋଇଥିଲା । ଏହି ଅପ୍ରତ୍ୟାଶିତ ପାଣିପାଗ ଆସିର, ତାବୁକ ଓ ଅଲ୍‌ ବାହା ଆଦି ଅଞ୍ଚଳକୁ ପ୍ରଭାବିତ କରିଛି । 

ମରୁ ଅଞ୍ଚଳ ଅଲ୍‌-ଜଫ୍‌ରେ ଲଗାତାର ବର୍ଷା ଓ କୁଆପଥର ବୃଷ୍ଟି ପରେ ତୁଷାରପାତ ହୋଇଥିଲା । ଏହା ସମଗ୍ର ମରୁ କ୍ଷେତ୍ରକୁ ଧଳା ଚାଦରରେ ଆଚ୍ଛାଦିତ କରିଥିଲା । ବରଫାବୃତ୍ତ ପର୍ବତମାଳାର ଦୃଶ୍ୟ ସକାଳୁ ସକାଳୁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବଡ଼ ସର୍‌ପ୍ରାଇଜ୍‌ ଥିଲା । ବର୍ଷତମାମ ଶୁଷ୍କ ଜଳବାୟୁର ସମ୍ମୁଖୀନ ହେଉଥିବା ଅଲ୍‌ଜଫ୍‌ର ଏହି ପରିବର୍ତ୍ତିତ ରୂପ କେବଳ ଜଳବାୟୁ ବିଶେଷଜ୍ଞ ନୁହେଁ, ସମଗ୍ର ବିଶ୍ୱର ଧ୍ୟାନ ଆକର୍ଷଣ କରିଛି । ଯଦିଓ ଏହାକୁ କିଛି ଲୋକ ଜଳବାୟୁ ପରିବର୍ତ୍ତନର କୁପରିଣତି ବୋଲି ମତ ଦେଇଛନ୍ତି, ତଥାପି ବର୍ଷା ଓ ତୁଷାରପାତ ଏହି ମରୁ ଭୂଖଣ୍ଡର ଶୁଷ୍କ ପିଣ୍ଡରେ ପ୍ରାଣ ସଞ୍ଚାର କରିଛି । ଏହି ଦୃଶ୍ୟ ଅଲ୍‌ଜଫ୍‌ରେ ସୁନ୍ଦର ବସନ୍ତ ଋତୁର ଆଗମନ ପାଇଁ ମାର୍ଗ ପ୍ରଶସ୍ତ କରିଛି । ବସନ୍ତ ଋତୁରେ ଏ ଅଞ୍ଚଳ ଲାଭେଣ୍ଡର, କ୍ରାଇସନ୍ଥେମମ୍‌ ଭଳି ଫୁଲରେ ରଙ୍ଗିନ୍‌ ହୋଇଯାଏ । 

ବିଭିନ୍ନ ସୁଗନ୍ଧିତ ଉଦ୍ଭିଦର ବାସ୍ନାରେ ମହକିଉଠେ, ଯାହା ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରେ । ସଦ୍ୟ ସ୍ଥିତିକୁ ଦେଖି ସାଉଦି ପାଣିପାଗ ବିଭାଗ ଜଳବାୟୁ ଜନିତ ଗମ୍ଭୀର ପରିଣାମ ବିଷୟରେ ଚେତାବନୀ ଦେଇଛି । ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ଓ କୁଆପଥର ବୃଷ୍ଟି ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି । ଏହା ଦ୍ୱାରା ଯାତାୟାତ ଉପରେ ପ୍ରଭାବ ପଡ଼ିପାରେ । ଶକ୍ତିଶାଳୀ ପବନ ସହିତ ଝଡ଼ର ଆଶଙ୍କା ବି ରହିଛି । ସାଉଦି ଆରବ ଏଭଳି ଅସ୍ୱାଭାବିକ ଜଳବାୟୁ ସ୍ଥିତିର ସମ୍ମୁଖୀନ ହେଉଥିବା ଏକମାତ୍ର ଦେଶ ନୁହେଁ । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟ ସମାନ ଜଳବାୟୁ ପ୍ରଣାଳୀ ଦ୍ୱାରା ପ୍ରଭାବିତ ହୋଇଛି । 

ଗତ ଅକ୍ଟୋବର ୧୪ରେ ୟୁଏଇର ଜାତୀୟ ପାଣିପାଗ କେନ୍ଦ୍ର ବିଭିନ୍ନ ସ୍ଥାନରେ ବୃଷ୍ଟିପାତ, ଝଡ଼ତୋଫାନ ଓ କୁଆପଥର ବୃଷ୍ଟି ଆଶଙ୍କା କରି ସତର୍କ ସୂଚନା ଜାରି କରିଥିଲା । ଆରବ ସାଗରରୁ ଓମାନ ଆଡ଼କୁ ଲଘୁଚାପ ଉକ୍ତ ଅଞ୍ଚଳର ଜଳବାୟୁ ସ୍ଥିତିରେ ଏହି ପରିବର୍ତ୍ତନର କାରଣ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଥିଲା । ଏହି ଅପ୍ରତ୍ୟାଶିତ ଶୀତକାଳୀନ ଜଳବାୟୁ ମଧ୍ୟପ୍ରାଚ୍ୟରେ ନୂଆ ଜଳବାୟୁ ପ୍ୟାଟର୍ନ ଉପରେ ଆଲୋକପାତ କରିଛି । ସେଥିପାଇଁ ଏଠାକାର ଅଧିକାଂଶ ଶୁଷ୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇପାରେ । 

ଅଲ୍‌-ଜଫ୍‌ରେ ତୁଷାରପାତ କେବଳ ଉକ୍ତ ଭୂଖଣ୍ଡର ଜଳବାୟୁ ଇତିହାସରେ ଅନନ୍ୟ ଅଧ୍ୟାୟ ଯୋଡ଼ିଛି ତାହା ନୁହେଁ, ସ୍ଥାନୀୟ ବାସିନ୍ଦା ଓ ଆଗନ୍ତୁକଙ୍କୁ ଶୀତକାଳୀନ ପରିଦୃଶ୍ୟର ଏହି ବିରଳ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଛି । ମରୁଭୂମିରେ ପ୍ରକୃତିର ଅନନ୍ୟ ସ୍ପର୍ଶ ସାଉଦି ଆରବବାସୀଙ୍କୁ ଆନନ୍ଦମୟ ଅନୁଭବ ପ୍ରଦାନ କରିଛି ସତ, କିନ୍ତୁ ଏହା ବଡ଼ ଧରଣର ବୈଶ୍ୱିକ ଜଳବାୟୁ ବିପଦର ଆଶଙ୍କାକୁ ବି ବଢ଼ାଇ ଦେଇଛି । ଶୁଷ୍କ ଭୂଖଣ୍ଡରେ ତୁଷାରପାତ ବିଶ୍ୱରେ ଭୟଙ୍କର ଜଳବାୟୁ ସଙ୍କଟର କାରଣ ହୋଇପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ବିଶ୍ୱର ସର୍ବବୃହତ ମରୁଭୂମି ସାହାରାରେ ସବୁଜିମା ସୃଷ୍ଟି ଏହି ଘଟଣାର ଅନ୍ୟତମ ଉଦାହରଣ । ସେପଟେ ଜଳବାୟୁ ଅନିୟମିତତାର ପ୍ରଭାବ ହିମାଳୟ ଉପରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ଶୀତ ଋତୁରେ ବି ପାହାଡ଼ରେ ଉତ୍ତାପ ରେକର୍ଡ ଭାଙ୍ଗୁଛି । ନଭେମ୍ବରରେ ହିମାଳୟର ଅନେକ ସ୍ଥାନରେ ପାରଦ ଶୂନ ତଳକୁ ଚାଲିଯାଉଥିଲା । ବର୍ତ୍ତମାନ କିନ୍ତୁ ଏଠାରେ ସର୍ବାଧିକ ତାପମାତ୍ରା ୨୪-୨୯ ଡିଗ୍ରୀ ମଧ୍ୟରେ ରହିଛି । ଏହା ସ୍ୱାଭାବିକଠୁ ୩-୪ ଡିଗ୍ରୀ ଅଧିକ । ସେହିପରି ସର୍ବନିମ୍ନ ତାପମାତ୍ରା ୭-୧୧ ଡିଗ୍ରୀ ସେଲ୍‌ସିୟସ୍‌, ଯାହା ସ୍ୱାଭାବିକଠୁ ୧-୨ ଡିଗ୍ରୀ ଅଧିକ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.