ନୂଆଦିଲ୍ଲୀ,୨୨।୧୦:  ସାରା ଦେଶର ବହୁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ୍)ସ୍କୁଲକୁ ବମ୍‌ରେ ଉଡାଇବାର ଧମକ। ଏହି ସ୍କୁଲ ଭିତରେ ଦୁଇଟି ଦିଲ୍ଲୀ ଓ ଗୋଟିଏ ହାଇଦ୍ରାବାଦର ରହିଛି। ଏହି ଧମକ ଇ-ମେଲ ଜରିଆରେ ସ୍କୁଲ ମ୍ୟାନେଜମେଣ୍ଟକୁ ସୋମବାର ବିଳମ୍ବିତ ରାତିରେ ଦିଆଯାଇଛି। ଏହି ଧମକ ରୋହିଣୀର ପ୍ରଶାନ୍ତ ବିହାରରେ ହୋଇଥିବା ଜୋରଦାର ଆକ୍ରମଣର ଠିକ୍ ତା ପରଦିନ ହୋଇଥିଲା। ଏହି ବିସ୍ଫୋରଣରେ ସିଆରପିଏଫ୍‌ ସ୍କୁଲର କାନ୍ଥ ଭାଙ୍ଗି ଯାଇଥିଲା। ତେବେ ଏହି ବିସ୍ଫୋରଣରେ କେହି ଆହତ ହୋଇ ନାହାନ୍ତି। କିନ୍ତୁ ପାଖରେ ଥିବା ଏକ ଦୋକାନର ସାଇନବୋର୍ଡ ଓ ବାହନ କ୍ଷତିଗ୍ରସ୍ତ ହୋଇଥିଲା।

ଦିଲ୍ଲୀ ପୋଲିସ ଏହି ମାମଲାରେ ଖଲିସ୍ତାନୀ ଲିଙ୍କ ଯାଞ୍ଚ କରୁଛି। ସୋମବାର ଦିଳ୍ଲୀ ପୋଲିସ ଏହି ମାମଲାରେ ଟେଲିଗ୍ରାମ ଆପ୍‌କୁ ଚିଠି ଲେଖିଛି। ଏହି ଚିଠିରେ ଟେଲିଗ୍ରାମ୍କୁ ସେହି ଚ୍ୟାନେଲ ବିଷୟରେ ସୂଚନା ମଗାଯାଇଛି, ଯାହା ଉପରେ ବମ୍‌ ଧମକ ଦିଆଯାଇଥିଲା। ଉଲ୍ଲେଖନୀୟ ଯେ, ଗତ କିଛି ଦିନ ହେବ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣକୁ ବୋମା ବିସ୍ଫୋରଣ ନେଇ ମିଛ ଧମକ ଦିଆଯାଇଥିଲା। ଏଥିରେ   ୧୦୦ରୁ ଅଧିକ ବିମାନକୁ ଧମକ ଦିଆଯାଇଥିଲା।

ପୋଲିସ ଏହା ମଧ୍ୟ କହିଛି ଯେ, ଘଟଣାର ପୂର୍ବ ରାତିରେ ଜଣେ ସନ୍ଦିଗ୍ଧର ସିସିଟିଭି କ୍ୟାମେରା ଫୁଟେଜ୍ ଜବତ କରାଯାଇଥିଲା। ବିସ୍ଫୋରଣର ଠିକ୍ ପୂର୍ବରୁ ସାଇଟ୍‌ ପାଖରେ ଦେଖିବାକୁ ମିଳିଥିବା ୧୦-୧୨ରୁ ଜଣ ଲୋକଙ୍କୁ ପଚରା ଉଚରା କରାଯାଇଛି। ରବିବାର ହୋଇଥିବା ବିସ୍ଫୋରଣର କିଛି ଘଣ୍ଟା ପରେ ‘ଜଷ୍ଟିସ୍ ଲିଗ୍ ଇଣ୍ଡିଆ’ ନାମକ ଏକ ଚ୍ୟାନେଲ କଥିତ ଟେଲିଗ୍ରାମ୍‌ ପୋଷ୍ଟ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ପୋଷ୍ଟରେ ବିସ୍ଫୋରଣର ଏକ ଭିଡିଓ ଥିଲା, ଯାହାର ତଳେ ‘ଖଲିସ୍ତାନ ଜିନ୍ଦାବାଦ’ ଓ୍ବାଟରମାର୍କ ଥିଲା।