ଭୁବନେଶ୍ୱର,୨୮/୦୮: ଚୀନର  ହାଙ୍ଗଝୌରେ ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମହିଳା ଏସିଆ କପ୍‌ ହକି । ହକି  ଇଣ୍ଡିଆ ପକ୍ଷରୁ ଗୁୁରୁବାର ଭାରତୀୟ ଦଳ ଘୋଷଣା  ହୋଇଛି । ସଲିମା ଟେଟେ ଦଳର ନେତୃତ୍ୱ  ନେବେ । ଭେଟେରାନ ଗୋଲକିପର ସବିତାଙ୍କୁ ଦଳରେ ସୁଯୋଗ ମିଳି ନାହିଁ । ଘୋଷିତ ୨୦  ଜଣିଆ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି  ଭାବରେ ସୁନେଲିତା ଟପ୍ପୋଙ୍କୁ ସୁଯୋଗ ମିଳିଛି ।

ଏସିଆ କପ୍‌ ସେପ୍ଟେମ୍ବର ୫ ତାରିଖରୁ  ଆରମ୍ଭ ହୋଇ ୧୪ ତାରିଖରେ ଶେଷ ହେବ ।  ଏଥିରେ ଚାମ୍ପିଅନ ଦଳ ୨୦୨୬ ମହିଳା ବିଶ୍ୱକପ୍‌କୁ ସିଧାସଳଖ ଯୋଗ୍ୟତା ହାସଲ କରିବ । ତେଣୁ  ଭାରତୀୟ ଦଳ ପାଇଁ ଏସିଆ କପ୍‌ ବେଶ ଗୁରୁତ୍ୱପୂର୍ଣ୍ଣ  ରହିଛି । ଭାରତ ପୁଲ ବି’ରେ ଜାପାନ, ଥାଇଲାଣ୍ଡ  ଓ ସିଙ୍ଗାପୁର ସହ ସ୍ଥାନ ପାଇଛି । ୫ ତାରିଖରେ  ଥାଇଲାଣ୍ଡ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ  କରିବ । ସେହିପରି ୬ରେ ଜାପାନ ଓ ୮ରେ  ସିଙ୍ଗାପୁର ଦଳକୁ ଭେଟିବାର ସୂଚୀ ରହିଛି । 

୨୦ ଜଣ ଖେଳାଳି ଦଳରେ ସ୍ଥାନ ପାଇଥିଲେ  ବି ଓଡ଼ିଶାରୁ ମାତ୍ର ଜଣେ ଖେଳାଳି ସ୍ଥାନ ପାଇବା  ହକିପ୍ରେମୀଙ୍କୁ ନିରୁତ୍ସାହିତ କରିଛି । ପ୍ରକୃତରେ  ଓଡ଼ିଆ ଖେଳାଳି ଜାତୀୟ ଦଳରେ ଖେଳିବାକୁ  ଅନଭିଜ୍ଞ ନା ଜାଣିଶୁଣି ସେମାନଙ୍କୁ ଅବହେଳା  କରାଯାଉଛି ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି । 

କୋଚ ହରେନ୍ଦ୍ର ସିଂହ କହିଛନ୍ତି, ‘ଏସିଆ  କପ୍‌ ପାଇଁ ଯେଉଁ ଖେଳାଳି ଚୟନ ହୋଇଛନ୍ତି  ସେମାନଙ୍କୁ ନେଇ ଆମେ ଉତ୍ସାହିତ । ଦଳ ଚୟନ ପୂର୍ବରୁ ଖେଳାଳିମାନେ ପ୍ରଶିକ୍ଷଣ ଶିବିରରେ ବେଶ  କଠିନ ପରିଶ୍ରମ କରିଥିଲେ । ଦଳରେ ବରିଷ୍ଠ  ଓ ଯୁବା ଖେଳାଳିଙ୍କୁ ନେଇ ସନ୍ତୁଳନ ରହିଛି। ଏସିଆର ଶ୍ରେଷ୍ଠ ଦଳ ଗୁଡ଼ିକ ବିପକ୍ଷରେ ଆମ ଦଳ  ଭଲ ପ୍ରଦର୍ଶନ କରିବ ବୋଲି ମୋର ବିଶ୍ୱାସ ।’ 

ଭାରତୀୟ ଦଳ: ଗୋଲକିପର-ବାନଶାରୀ  ସୋଲାଙ୍କି ଓ ବିଚୁଦେବୀ ଖାରିବାମ । ଡିଫେଣ୍ଡର-ମନୀଷା ଚୌହାନ, ଉଦିତା, ଜ୍ୟୋତି, ସୁମନ ଦେବୀ ଥୌଦାମ, ନିକି ପ୍ରଧାନ, ଇସିକା ଚୌଧୁରୀ ।  ମିଡ୍‌ଫିଲ୍ଡର-ନେହା, ବୈଷ୍ଣବୀ ଫାଲକେ, ସଲିମା  ଟେଟେ, ଶର୍ମିଳା ଦେବୀ, ଲାଲରେମସିଆମି,  ସୁନେଲିତା ଟପ୍ପୋ । ଫରୱାର୍ଡ-ନଭନୀତ  କୌର, ଋତୁଜା ପିସାଲ, ବିୟୂଟୀ ଡୁଙ୍ଗ ଡୁଙ୍ଗ, ମମତାଜ ଖାନ, ଦୀପିକା ଓ ସଙ୍ଗୀତା କୁମାରୀ ।