ଭୁବନେଶ୍ୱର,୨୮/୦୮: ଚୀନର ହାଙ୍ଗଝୌରେ ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମହିଳା ଏସିଆ କପ୍ ହକି । ହକି ଇଣ୍ଡିଆ ପକ୍ଷରୁ ଗୁୁରୁବାର ଭାରତୀୟ ଦଳ ଘୋଷଣା ହୋଇଛି । ସଲିମା ଟେଟେ ଦଳର ନେତୃତ୍ୱ ନେବେ । ଭେଟେରାନ ଗୋଲକିପର ସବିତାଙ୍କୁ ଦଳରେ ସୁଯୋଗ ମିଳି ନାହିଁ । ଘୋଷିତ ୨୦ ଜଣିଆ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବରେ ସୁନେଲିତା ଟପ୍ପୋଙ୍କୁ ସୁଯୋଗ ମିଳିଛି ।
ଏସିଆ କପ୍ ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖରେ ଶେଷ ହେବ । ଏଥିରେ ଚାମ୍ପିଅନ ଦଳ ୨୦୨୬ ମହିଳା ବିଶ୍ୱକପ୍କୁ ସିଧାସଳଖ ଯୋଗ୍ୟତା ହାସଲ କରିବ । ତେଣୁ ଭାରତୀୟ ଦଳ ପାଇଁ ଏସିଆ କପ୍ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଭାରତ ପୁଲ ବି’ରେ ଜାପାନ, ଥାଇଲାଣ୍ଡ ଓ ସିଙ୍ଗାପୁର ସହ ସ୍ଥାନ ପାଇଛି । ୫ ତାରିଖରେ ଥାଇଲାଣ୍ଡ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ । ସେହିପରି ୬ରେ ଜାପାନ ଓ ୮ରେ ସିଙ୍ଗାପୁର ଦଳକୁ ଭେଟିବାର ସୂଚୀ ରହିଛି ।
୨୦ ଜଣ ଖେଳାଳି ଦଳରେ ସ୍ଥାନ ପାଇଥିଲେ ବି ଓଡ଼ିଶାରୁ ମାତ୍ର ଜଣେ ଖେଳାଳି ସ୍ଥାନ ପାଇବା ହକିପ୍ରେମୀଙ୍କୁ ନିରୁତ୍ସାହିତ କରିଛି । ପ୍ରକୃତରେ ଓଡ଼ିଆ ଖେଳାଳି ଜାତୀୟ ଦଳରେ ଖେଳିବାକୁ ଅନଭିଜ୍ଞ ନା ଜାଣିଶୁଣି ସେମାନଙ୍କୁ ଅବହେଳା କରାଯାଉଛି ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି ।
କୋଚ ହରେନ୍ଦ୍ର ସିଂହ କହିଛନ୍ତି, ‘ଏସିଆ କପ୍ ପାଇଁ ଯେଉଁ ଖେଳାଳି ଚୟନ ହୋଇଛନ୍ତି ସେମାନଙ୍କୁ ନେଇ ଆମେ ଉତ୍ସାହିତ । ଦଳ ଚୟନ ପୂର୍ବରୁ ଖେଳାଳିମାନେ ପ୍ରଶିକ୍ଷଣ ଶିବିରରେ ବେଶ କଠିନ ପରିଶ୍ରମ କରିଥିଲେ । ଦଳରେ ବରିଷ୍ଠ ଓ ଯୁବା ଖେଳାଳିଙ୍କୁ ନେଇ ସନ୍ତୁଳନ ରହିଛି। ଏସିଆର ଶ୍ରେଷ୍ଠ ଦଳ ଗୁଡ଼ିକ ବିପକ୍ଷରେ ଆମ ଦଳ ଭଲ ପ୍ରଦର୍ଶନ କରିବ ବୋଲି ମୋର ବିଶ୍ୱାସ ।’
ଭାରତୀୟ ଦଳ: ଗୋଲକିପର-ବାନଶାରୀ ସୋଲାଙ୍କି ଓ ବିଚୁଦେବୀ ଖାରିବାମ । ଡିଫେଣ୍ଡର-ମନୀଷା ଚୌହାନ, ଉଦିତା, ଜ୍ୟୋତି, ସୁମନ ଦେବୀ ଥୌଦାମ, ନିକି ପ୍ରଧାନ, ଇସିକା ଚୌଧୁରୀ । ମିଡ୍ଫିଲ୍ଡର-ନେହା, ବୈଷ୍ଣବୀ ଫାଲକେ, ସଲିମା ଟେଟେ, ଶର୍ମିଳା ଦେବୀ, ଲାଲରେମସିଆମି, ସୁନେଲିତା ଟପ୍ପୋ । ଫରୱାର୍ଡ-ନଭନୀତ କୌର, ଋତୁଜା ପିସାଲ, ବିୟୂଟୀ ଡୁଙ୍ଗ ଡୁଙ୍ଗ, ମମତାଜ ଖାନ, ଦୀପିକା ଓ ସଙ୍ଗୀତା କୁମାରୀ ।