ସମ୍ବଲପୁର/ବୁର୍ଲା,୨୧/୧୨: ସମ୍ବଲପୁର ଗସ୍ତରେ ଆସୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ।  ଆପାତତଃ ଗସ୍ତ ତାରିଖ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଆସନ୍ତା ୨୮ କିମ୍ବା ୩୦ରେ ସେ ଆସିପାରନ୍ତି ।  ଏହି ଅବସରରେ ସେ ବୁର୍ଲା ଭିମ୍‌ସାର୍‌ ସୁପର  ସ୍ପେସାଲିଟି ହସ୍ପିଟାଲ୍‌ ଉଦ୍‌ଘାଟନ କରିବେ । ଏନେଇ  ଭିମ୍‌ସାର୍‌ ନିର୍ଦ୍ଦେଶକ ଅନ୍ୟ ବିଭାଗ ଓ ଅଧିକାରୀଙ୍କୁ  ଚିଠି ଲେଖି ପ୍ରସ୍ତୁତ ରହିବାକୁ କହିଛନ୍ତି । ଗତ  ନଭେମ୍ବର ୧୮ରେ ଏହି ସୁପର ସ୍ପେସିଆଲିଟି  ହସ୍ପିଟାଲ ଉଦ୍‌ଘାଟନ ହେବାର ଥିଲା । କିନ୍ତୁ  କୌଣସି କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ସମ୍ବଲପୁର ଆସି  ପ୍ରଥମେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବେ । ପରେ ଭିନ୍ନ ଭିନ୍ନ ୪ଟି କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।  ୧୮୫୭ ଡିସେମ୍ବର ୩୦ରେ ବ୍ରିଟିଶ  ପୁଲିସ୍‌ ଦ୍ୱାରା କୁଦୋପାଲିରେ ସଂଘଠିତ  ନରସଂହାରକୁ ନେଇ ପ୍ରକାଶିତ ଏକ  ପୁସ୍ତକ ଉନ୍ମୋଚନ କରିବେ । ଏଥିରେ  ସମ୍ବଲପୁରର ଗୌରବମୟ ଇତିହାସ, ଦେଶ ସ୍ୱାଧୀନତା  ପାଇଁ ସଂଘର୍ଷ ଓ ବଳିଦାନ ସମ୍ପର୍କରେ ଉଲ୍ଲେଖ ରହିଛି ।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ  ବୁକ୍‌ ଟ୍ରଷ୍ଟ ପକ୍ଷରୁ ଐତିହାସିକ ଗବେଷଣା କରି ଏହାକୁ ପ୍ରକାଶନ କରାଯାଇଛି । ଇଂରେଜଙ୍କ ଦ୍ୱାରା ହୋଇଥିବା ଏହି ବର୍ବରକାଣ୍ଡରେ ୫୮ ଜଣ ସହିଦ ହୋଇଥିଲେ । 

ଜଣେ ବରିଷ୍ଠ ବିଜେପି ନେତାଙ୍କ ସୂଚନା  ଅନୁସାରେ, ଶ୍ରୀ ଶାହ ଆସନ୍ତା ୨୮  ତାରିଖରେ ସମ୍ବଲପୁର ଆସିପାରନ୍ତି ।  ପୂର୍ବରୁ ୩୦ ତାରିଖ ଧାର୍ଯ୍ୟ ହୋଇଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ  ସୂଚନା ଆସିନାହିଁ । ଯଦି ୩୦ ତାରିଖ  କାର୍ଯ୍ୟକ୍ରମ ବାତିଲ ହୁଏ, ଏହାର  ଦିନକ ପୂର୍ବରୁ ଅର୍ଥାତ୍‌ ୨୮ ତାରିଖରେ ସମ୍ବଲପୁର  ଆସିବେ । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ  ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୁଦୋପାଲି ଉପରେ  ଲିଖିତ ଐତିହାସିକ ପୁସ୍ତକକୁ ଉନ୍ମୋଚନ କରିବେ ।  ଏହାସହ ଆଉ ୩ଟି କାର୍ଯ୍ୟକ୍ରମରେ ସାମିଲ  ହେବେ । ଏଥିରେ ବୁର୍ଲା ଭିମସାର୍‌ ସୁପର ସ୍ପେସାଲିଟି  ହସ୍ପିଟାଲ୍‌ ଉଦ୍‌ଘାଟନ କାର୍ଯ୍ୟକ୍ରମ ମଧ୍ୟ ରହିଛି।