ନୂଆଦିଲ୍ଲୀ, ୨୪।୪: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏବେ 'ହୋର୍ମୁଜ ପ୍ରଣାଳୀ' ବିଶ୍ୱ ଯୁଦ୍ଧର ନୂଆ କେନ୍ଦ୍ରବିନ୍ଦୁ ପାଲଟିଛି । ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ସାମୁଦ୍ରିକ ବ୍ୟାପାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଗୋଟେ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଠୋର ଚେତାବନୀ ଏବଂ ଅନ୍ୟପଟେ ଇରାନ ନୌସେନାର 'ଡାଇରେକ୍ଟ ଆକ୍ସନ' ସମୁଦ୍ର ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଏହି ସଙ୍କଟମୟ ସ୍ଥିତିରେ ଭାରତୀୟ ନୌସେନା ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛି "ଆମ ସାଙ୍ଗରେ ଲାଗିଲେ ଆମେ ଛାଡ଼ିବୁନି" ।

ଭାରତୀୟ ନୌସେନାର 'ପ୍ରାଇମେରୀ ଏରିଆ ଅଫ୍ ଇଣ୍ଟ୍ରେଷ୍ଟ':

ନିକଟରେ ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଡି.କେ. ତ୍ରିପାଠୀ ଦେଶର ନୂତନ ସାମୁଦ୍ରିକ ସୁରକ୍ଷା ରଣନୀତି ଜାରି କରିଛନ୍ତି । ଏହି ରଣନୀତିରେ ହୋର୍ମୁଜ ପ୍ରଣାଳୀକୁ ଭାରତ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବା 'ପ୍ରାଇମେରୀ ଏରିଆ ଅଫ୍ ଇଣ୍ଟ୍ରେଷ୍ଟ' ଭାବେ ଘୋଷଣା କରାଯାଇଛି । ଏହାର ଅର୍ଥ ହେଉଛି, ଏହି ଅଞ୍ଚଳରେ ହେଉଥିବା ପ୍ରତ୍ୟେକଟି ସାମରିକ ଓ ଭୂ-ରାଜନୈତିକ ଗତିବିଧି ଉପରେ ଭାରତୀୟ ନୌସେନାର ସିଧାସଳଖ ନଜର ରହିବ ଏବଂ ଆବଶ୍ୟକ ପଡ଼ିଲେ କଠୋର ପଦକ୍ଷେପ ନିଆଯିବ ।

ସମୁଦ୍ରରେ ଇରାନର ଗୁଣ୍ଡାଗର୍ଦ୍ଦି: ଭାରତୀୟ ଜାହାଜ ଉପରକୁ ଗୁଳିମାଡ଼

ଗତ କିଛି ଦିନ ହେବ ଇରାନର ସୁରକ୍ଷା ବଳ ହୋର୍ମୁଜ ପ୍ରଣାଳୀରେ ବିଦେଶୀ ଜାହାଜଗୁଡ଼ିକୁ ଜବରଦସ୍ତ ଅଟକାଇବା ସହ ଗୁଳିମାଡ଼ କରୁଥିବା ଖବର ସାମ୍ନାକୁ ଆସୁଛି । ୧୮ ଏପ୍ରିଲ ୨୦୨୬ରେ ହୋର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଦୁଇଟି ଭାରତୀୟ ଜାହାଜ ଉପରକୁ ଇରାନ ସେନା ଗୁଳି ଚଳାଇଥିଲେ, ଯାହାଫଳରେ ଜାହାଜ ଦୁଇଟିକୁ ବାଧ୍ୟ ହୋଇ ପାରସ୍ୟ ଉପସାଗରକୁ ଫେରିବାକୁ ପଡ଼ିଥିଲା । ୨୨ ଏପ୍ରିଲ ୨୦୨୬ରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ (IRGC) ଦୁଇଟି ବିଦେଶୀ ଜାହାଜକୁ କବଜା କରିନେଇଛନ୍ତି । 'ୟୁଫୋରିଆ' ନାମକ ଏକ ଜାହାଜ ଉପରେ ଇରାନ ଗୁଳିମାଡ଼ କରିଛି, ଯେଉଁଥିରେ ୨୧ ଜଣ ଭାରତୀୟ କ୍ରୁ ସଦସ୍ୟ ରହିଛନ୍ତି । ସୌଭାଗ୍ୟବଶତଃ ସମସ୍ତ ନାବିକ ସୁରକ୍ଷିତ ଥିବା ଜଣାପଡ଼ିଛି ।

ସମୁଦ୍ର ମଝିରେ ଫସିଛି ୧୪ଟି ଭାରତୀୟ ଜାହାଜ:

ବର୍ତ୍ତମାନ ପର୍ସିଆନ ଗଲ୍ଫରେ ପ୍ରାୟ ୧୩ଟି ଭାରତୀୟ ଏବଂ ଗୋଟିଏ ଭାରତୀୟ ମାଲିକାନା ବିଶିଷ୍ଟ ବିଦେଶୀ ଜାହାଜ ଅଟକି ରହିଛି । ସେମାନଙ୍କ ସୁରକ୍ଷା ପାଇଁ ଭାରତୀୟ ନୌସେନାର ୭ଟି ଯୁଦ୍ଧ ଜାହାଜ ହୋର୍ମୁଜ ପ୍ରଣାଳୀ ନିକଟରେ ଲଙ୍ଗର ପକାଇ ପ୍ରସ୍ତୁତ ରହିଛନ୍ତି । ଏପର୍ଯ୍ୟନ୍ତ ନୌସେନାର ସହାୟତାରେ ୧୦ଟି ଜାହାଜକୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି । କେବଳ ହୋର୍ମୁଜ ନୁହେଁ, ବରଂ ବିଶ୍ୱ ବାଣିଜ୍ୟ ଏବଂ ଶକ୍ତି ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ଅନ୍ୟାନ୍ୟ ସାମୁଦ୍ରିକ ପଥ ଯେପରିକି ବାବ୍ ଅଲ୍-ମନ୍ଦେବ୍ ଏବଂ ସୁଏଜ୍ କେନାଲ, ମାଲାକ୍କା ଏବଂ ସିଙ୍ଗାପୁର ପ୍ରଣାଳୀ, କେପ୍ ଅଫ୍ ଗୁଡ୍ ହୋପ୍, ସୁଣ୍ଡା ଏବଂ ଲୋମ୍ବୋକ୍ ପ୍ରଣାଳୀ ଉପରେ ମଧ୍ୟ ଭାରତୀୟ ନୌସେନା କଡ଼ା ନଜର ରଖିଛି । ଇରାନ ଏବଂ ପାଶ୍ଚାତ୍ୟ ଦେଶଙ୍କ ମଧ୍ୟରେ ଜାରି ରହିଥିବା ଏହି ଶୀତଳ ଯୁଦ୍ଧ ଏବେ ସମୁଦ୍ରକୁ ରକ୍ତାକ୍ତ କରିବାକୁ ବସିଲାଣି । କିନ୍ତୁ ଭାରତୀୟ ନୌସେନାର ବର୍ଦ୍ଧିତ ଶକ୍ତି ଏବଂ ରଣନୈତିକ ପ୍ରସ୍ତୁତି ସ୍ପଷ୍ଟ ସଙ୍କେତ ଦେଉଛି ଯେ, ନିଜର ନାବିକ ଏବଂ ବାଣିଜ୍ୟିକ ସ୍ୱାର୍ଥ ରକ୍ଷା ପାଇଁ ଭାରତ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ।

ଆହୁରି ପଢ଼ନ୍ତୁ... ଇରାନ ଉପରେ ପରମାଣୁ ବୋମା ପକାଇବ କି ଆମେରିକା ? ବଡ଼ ବୟାନ ଦେଲେ ଟ୍ରମ୍ପ