ଝାରସୁଗୁଡ଼ା, ୨୨/୦୨ : ଝାରସୁଗୁଡ଼ାରେ ଭୟଙ୍କର ଦୁର୍ଘଟଣା। ସଦର ଥାନା ଆଗରେ ଚିପ୍ସ ବୋଝେଇ ଟ୍ରେଲର ସହ ବୋଲେରୋ ଧକ୍କା। ଦୁର୍ଘଟଣାରେ ୫ ପୁଲିସ କର୍ମଚାରୀ ମୃତ। ୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତଦେହ ଝାରସୁଗୁଡ଼ା DHHକୁ ସ୍ଥାନାନ୍ତର କରାଯାଇଛି। ମୃତକମାନେ ହେଲେ ଡ୍ରିଲ ସବ୍ ଇନ୍ସପେକ୍ଟର ନିରଞ୍ଜନ କୁଜୁର, APR କାଶୀରାମ ଭୋଇ, APR ହାବିଲଦାର ଲିଙ୍ଗରାଜ ଧୂରୁଆ, APR ଦେବଦତ୍ତ ସା, ହୋମଗାର୍ଡ ଭକ୍ତବନ୍ଧୁ ମିର୍ଧା।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଶନିବାର ରାତିରେ ରେଙ୍ଗାଲି ଥାନାର ଏକ ଗ୍ରାମକୁ ଜଣେ ପୁଲିସ କନଷ୍ଟେବଳଙ୍କ ବାହାଘର ଭୋଜିରେ ଯୋଗ ଦେବାକୁ ଯାଇ ଫେରୁଥିବା ବେଳେ ରବିବାର ଭୋର ସକାଳ ପ୍ରାୟ ସାଢେ ତିନିଟାରେ ଦୁର୍ଘଟଣା ଘଟିଛି। ଝାରସୁଗୁଡ଼ା ସଦର ଥାନା ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଚିପ୍ସ ବୋଝେଇ ଟ୍ରେଲର ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ। ବୋଲେରୋ ଗାଡିଟି ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଟିମ ଗାଡି ଭିତରୁ ମୃତଦେହଗୁଡିକୁ ବାହାର କରିଥିଲେ। ଗୁରୁତରମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଜଣେ ଝାରସୁଗୁଡ଼ା ଜିଲ୍ଲା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଖବର ପ୍ରସାରିତ ହେବା ପରେ ଜିଲ୍ଲାପାଳ ଏବଂ ଏସପି ଜିଲ୍ଲା ସଦର ଡାକ୍ତରଖାନାରେ ପହଞ୍ଚଚି ମୃତକଙ୍କ ପରିବାର ବର୍ଗଙ୍କୁ ସାନ୍ତ୍ବନା ଦେବା ସହ ପରିସ୍ଥିତି ଅନୁଧ୍ୟାନ କରିଥିଲେ।ଟ୍ରେଲର ଚାଳକଙ୍କୁ ଅଟକ ରଖାଯାଇଥିବା ବେଳେ ଗାଡିଟିକୁ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି।.
ଦେଖନ୍ତୁ ଦୁର୍ଘଟଣାର ଲାଇଭ୍-
ଏହି ଖବରଟିକୁ ପଢନ୍ତୁ- ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ସୋମବାର ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା