ଭୁବନେଶ୍ୱର, ୨୦/୦୧ : ଭୁବନେଶ୍ଵର ୧ନଂ ହାଟରେ ଭୟାବହ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ପ୍ରାୟ ୫୦ ଦୋକାନ। ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲେ ୧୩ଟି ଦମକଳ ବାହିନୀ। ଜଳିପୋଡ଼ି ଛାରଖାର ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଚାରିଆଡ଼େ ବ୍ୟାପି ଯାଇଥିବା ସୂଚନା ମିଳିଛି। ବିଏମସି ମେୟର ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି। ଅଧିକ ପ୍ଲାଷ୍ଟିକ୍ ବ୍ୟବହାର କରିବାରୁ ବାରମ୍ଵାର ନିଆଁ ଲାଗୁଥିବା ସୁଲୋଚନା ଦାସ କହିଛନ୍ତି। ମେୟର କହିଛନ୍ତି ଯେ, ଦୋକାନୀଙ୍କୁ ବାରମ୍ଵାର ସଚେତନ କରାଯାଉଥିବା ସତ୍ତ୍ଵେ ଶୁଣୁନଥିଲେ କି ଏସଓପି ପାଳନ କରୁନଥିଲେ। ବାରମ୍ଵାର ଜବରଦଖଲ ଉଚ୍ଛେଦ କରୁଥିଲେ ବି ମାନୁନଥିଲେ। ଏନଫୋର୍ସମେଣ୍ଟ ସ୍କ୍ଵାଡ୍ ମଧ୍ୟ ସଚେତନ କରୁଥିଲେ। ବ୍ୟବସାୟୀମାନେ ଅସୁରକ୍ଷିତ ଭାବେ ମନଇଚ୍ଛା ବିଦ୍ୟୁତ ତାର ଟାଣୁଥିଲେ। 

ସେପଟେ ହାଟ ନିଆଁକୁ ନେଇ ବିଏମସି କମିଶନର ଚଞ୍ଚଳ ରାଣା କହିଛନ୍ତି ଯେ, କିଛି ବ୍ୟବସାୟୀ ବହୁଳ ମାତ୍ରାରେ ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି। ପାଲ ପକାଇ ରାସ୍ତାକୁ ସଙ୍କୁଚିତ କରି ଦେଇଛନ୍ତି। ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଏସଆରସି ପକ୍ଷରୁ ସ୍ଵୀକୃତି ମିଳିଛି। ଏନେଇ ଡିପିଆର ପ୍ରସ୍ତୁତ କରାଯାଇ ଏସଆରସିଙ୍କୁ ଦିଆଯାଇଥିଲା। ଏସଆରସି ପ୍ରାୟ ୨୦ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛନ୍ତି।

ସୂଚନାନୁଯାୟୀ, ରାତି ପ୍ରାୟ ୨ଟା ବେଳେ ଭୁବନେଶ୍ଵର ୧ନଂ ହାଟରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରବାକୁ ଚେଷ୍ଟା କରିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଆଖି ପିଛୁଳାକେ ଚାରିଆଡ଼େ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ମାର୍କେଟ୍ ର ୫୦ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ନିଆଁକୁ ଆୟତ୍ତ କରିବାକୁ ୧୩ଟି ଅଗ୍ନିଶମ ଗାଡି ନିୟୋଜିତ ଥିଲେ। ଦୀର୍ଘ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ଚିଫ୍ ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ କହିଛନ୍ତି ଯେ, ଖବର ମିଳିବା ପରେ ତୁରନ୍ତ ଅଗ୍ନିଶମ ଗାଡି ପହଞ୍ଚିଥିଲା। ପ୍ରାୟ ୭୦ ଜଣ କର୍ମଚାରୀ ନିୟୋଜିତ ଥିଲେ। ହାଟରେ ପ୍ଲାଷ୍ଟିକ୍ ନିଆଁକୁ ଅଧିକ ବଳ ଯୋଗାଇଥିଲା। ଏବେ ହାଟରୁ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ। ସୂଚନା ଥାଉକି, ଗତ ଅକ୍ଟୋବର ମାସରେ ଅଗ୍ନିକାଣ୍ଡ ଘଟି ଏକାଧିକ ଦୋକାନ ପୋଡ଼ି ଯାଇଥିଲା।

ହାଟ ନିଆଁକୁ ନେଇ ପ୍ରତିକ୍ରିୟା

ଏକାମ୍ର ବିଧାୟକ ବାବୁ ସିଂ... 
ବାବୁ ସିଂ କହିଛନ୍ତି ଯେ, ୧୦ ଦିନ ଭିତରେ ଏସଓପି ଆସିବ। ହାଟ କମିଟି ସହ ଆଲୋଚନା ହେବ। ହାଟର ସୁରକ୍ଷା, ସ୍ଥାୟିତ୍ୱକୁ ନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ ଦୋକାନୀଙ୍କୁ ସହାୟତା ପ୍ରଦାନ କରାଯିବ।

କର୍ପୋରେଟର ଅମରେଶ ଜେନା...
ଏକ ନମ୍ବର ହାଟ ଦାୟିତ୍ୱରେ ଥିବା ବିଏମ୍ସି ଅଧିକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟନୁଷ୍ଠାନ ଦାବି କଲେ ୪୫ ନମ୍ବର କର୍ପୋରେଟର ଅମରେଶ ଜେନା। ହାଟର ସମ୍ପୂର୍ଣ୍ଣ ନକ୍ସା ପରିବର୍ତ୍ତନ ପାଇଁ ସରକାରଙ୍କୁ ଦେଲେ ପ୍ରସ୍ତାବ। କହିଲେ ବିଏମସିର ଅବହେଳା ପାଇଁ ଘଟିଛି ଅଗ୍ନିକାଣ୍ଡ। 

ବିଜେପି ନେତା ଜଗନ୍ନାଥ ପ୍ରଧାନ....
ବିଏମସି ମେୟର ଓ କର୍ମଚାରୀଙ୍କ ପାଇଁ ଅଗ୍ନିକାଣ୍ଡ ଘଟିଛି। ହାଟ ପରିଚାଳନରେ ବିଏମସି ସମ୍ପୂର୍ଣ୍ଣ ଫେଲ ମାରିଥିବା କହିଲେ ଜଗନ୍ନାଥ ପ୍ରଧାନ। ସୁରକ୍ଷା ଦୃଷ୍ଟି କୋଣରୁ ବର୍ତ୍ତମାନ ଜଳାପୋଡ଼ା ସ୍ଥାନରେ ଦୋକାନ ନ କରେଇ ଦେବାକୁ ଦାବି କଲେ। ନୂତନ ହାଟ ନିର୍ମାଣ ପାଇଁ ସରକାର ପ୍ରଦାନ କରିଥିବା ୨୦ କୋଟି ଟଙ୍କା ପାଇଁ ଧନ୍ୟବାଦ ଦେଲେ।

ବିଧାୟକ ଅନନ୍ତ ନାରାୟଣ ଜେନା...
ଧନହାନୀ ହୋଇଥିବା ଦୋକାନୀଙ୍କୁ ଆର୍ଥିକ ସହାୟତା ଓ ଥଇଥାନ ଦାବି କଲେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା।

ଏହି ଖବରଟିକୁ ପଢନ୍ତୁ- ଶୀତ ଯାଇନି ଡରାଇଲାଣି ଖରା: ରାତିରେ ୧୨ଂ, ଦିନରେ ୩୨ଂ ଛୁଇଁଲା ପାରଦ, ଆଗକୁ ଉତ୍ତର ଆଭ୍ୟନ୍ତରୀଣର କୁଆପଥର ବର୍ଷା ସମ୍ଭାବନା