ନୂଆଦିଲ୍ଲୀ,୨୬/୦୫: ଉତ୍ତର ପ୍ରଦେଶ ଉନ୍ନାଓର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଓଲଟିଲା ଡବଲ ଡେକର ବସ୍। ଫଳରେ ଘଟଣାସ୍ଥଳରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବସ୍ରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ। ମଙ୍ଗଳବାର ସକାଳେ ବସଟି ଦିଲ୍ଲୀରୁ ବିହାର ଯାଉଥିବା ବେଳେ ଏହି ଘଟଣା ଘଟିଛି। ପୁଲିସର ତଦନ୍ତ ଅନୁଯାୟୀ, ଭୋର ସମୟରେ ଡ୍ରାଇଭର ନିଦରେ ଶୋଇ ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି।
ଆହୁରି ପଢନ୍ତୁ-Ranveer Singh Banned : 'ଡନ୍-୩' ଛାଡିବା ରଣବୀରଙ୍କୁ ପଡ଼ିଲା ମହଙ୍ଗା, ଫିଲ୍ମ ଇଣ୍ଡଷ୍ଟ୍ରିରୁ ବ୍ୟାନ୍ କଲା FWICE
ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ, ବସ୍ଟି ଦ୍ରୁତଗତିରେ ଯାଉଥିଲା। ଆଉରାସ୍ ପୁଲିସ ଷ୍ଟେସନ୍ ଅଞ୍ଚଳରେ ଏକ୍ସପ୍ରେସ୍ୱେର ୨୬୨ କିଲୋମିଟର ନିକଟରେ, ଡ୍ରାଇଭର ହଠାତ୍ ନିୟନ୍ତ୍ରଣ ହରାଇଥିଲେ। ନିୟନ୍ତ୍ରଣ ବାହାରେ ବସ୍ଟି ଏକ ଡିଭାଇଡର୍ରେ ଧକ୍କା ଦେଇ ଓଲଟି ପଡ଼ିଥିଲା ଏବଂ ଏକ୍ସପ୍ରେସ୍ୱେ ରେଲିଂରେ ଝୁଲି ପଡ଼ିଥିଲା। ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ବସ୍ର କାଚ ଭାଙ୍ଗିଯିବା ସହ ଅନେକ ଯାତ୍ରୀ ଝରକାରୁ ଏକ୍ସପ୍ରେସ୍ୱେ ଉପରେ ଛିଟିକି ପଡ଼ିଥିଲେ।
ସ୍ଥାନୀୟ ଲୋକ ଏବଂ ପଥଚାରୀଙ୍କ ସୂଚନା ପାଇ ତୁରନ୍ତ ଆଉରାସ୍ ପୁଲିସ ଷ୍ଟେସନ, ୟୁପିଡିଏ ଉଦ୍ଧାରକାରୀ ଦଳ ଏବଂ ଅନେକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ରେ ଫସି ରହିଥିବା ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ, ଡାକ୍ତର ଗୁରୁତର ଆହତମାନଙ୍କୁ ଲକ୍ଷ୍ନୌର ଟ୍ରମା ସେଣ୍ଟର ଏବଂ ଅନ୍ୟ ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ରେଫର କରିଥିଲେ। ପୁଲିସ ଅଧିକାରୀଙ୍କ ଅନୁଯାୟୀ, ମୃତକଙ୍କ ମୃତଦେହକୁ ହେପାଜତକୁ ନିଆଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ସେମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚାଲିଛି।