ନୂଆଦିଲ୍ଲୀ ୨୬/୦୫: ବଲିଉଡ୍‌ର ସବୁଠୁ ଚର୍ଚ୍ଚିତ ଅଭିନେତା ରଣବୀର ସିଂହଙ୍କ ବିରୋଧରେ ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପଲଇ (ଏଫ୍‌ଡବ୍ଲ୍ୟଆଇସିଇ) ଏକ ବଡ଼ ପଦକ୍ଷେପ ନେଇଛି । ଏଫ୍‌ଡବ୍ଲ୍ୟୁଆଇସିଇ ତାଙ୍କୁ ନିଷିଦ୍ଧ ଘୋଷଣା କରିଛି । ତାଙ୍କ ବିରୋଧରେ ନନ୍-କୋଅପରେସନ୍ ଡାୟରେକ୍ଟିଭ ଜାରି କରିଛି । ଏହା ଜରିଆରେ ରଣବୀରଙ୍କ ସହ କାମ ନ କରିବାକୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ କହିଛି । ଫରହାନ ଅଖତରଙ୍କ ଫିଲ୍ମ ‘ଡନ୍-୩’ ସୁଟିଂର କିଛି ଦିନ ପୂର୍ବରୁ ରଣବୀର ହଠାତ୍ ଫିଲ୍ମ ଛାଡ଼ିବାକୁ ଘୋଷଣା କରିବା ପରେ ଏହି ସ୍ଥିତି ଉପୁଜିଛି ।

ଫରହାନ ଅଖତର ଓ ରଣବୀର ସିଂହଙ୍କ ମଧ୍ୟରେ ଚାଲିଥିବା ‘ଡନ୍-୩’ ବିବାଦକୁ ନେଇ ଏଫ୍‌ଡବ୍ଲ୍ୟଆଇସିଇ ମଧ୍ୟସ୍ଥତାରେ ସାମିଲ ହୋଇଥିଲା । ‘ଡନ୍-୩’ ଆରମ୍ଭରୁ ବିଳମ୍ବର ସମ୍ମୁଖୀନ ହେଉଥିଲା ଏବଂ ଆଗଧାଡ଼ିର ଷ୍ଟାର୍‌ଙ୍କ କାଷ୍ଟିଂ ଯୋଗୁ ଚର୍ଚ୍ଚାରେ ରହିଥିଲା । ରଣବୀରଙ୍କ ପୂର୍ବରୁ କିଆରା ଆଡ଼ଭାନି ଗର୍ଭାବସ୍ଥା ଯୋଗୁ ଫିଲ୍ମ ଛାଡ଼ିଥିଲେ । ‘ଧୁରନ୍ଧର୍’ ଭଳି ମେଗା-ବ୍ଲକ୍‌ବଷ୍ଟର ଫିଲ୍ମ ପରେ ରଣବୀର ହଠାତ୍ ‘ଡନ୍-୩’ ଛାଡ଼ିବାରୁ ନିର୍ମାତାଙ୍କର ବଡ଼ କ୍ଷତି ହେଲା । ଫରହାନ ଅଖତର ଓ ରିତେଶ ସିଦ୍ଧୱାନି ଦାବି କଲେ ଯେ ରଣବୀର ପ୍ରୋଜେକ୍ଟ ସୁଟିଂର ୧୦ ଦିନ ପୁର୍ବରୁ ଛାଡ଼ିଲେ । କିନ୍ତୁ ରଣବୀର କହିଲେ, ଫରହାନଙ୍କ ତରଫରୁ ଖୁବ୍ ବିଳମ୍ବ ହେଉଥିଲା । ଏଥିସହ ସେ କାହାଣୀକୁ ନେଇ ମଧ୍ୟ ଖୁସି ନଥିଲେ । ଫିଲ୍ମ ଛାଡ଼ିବା ପରେ ଫରହାନ ରଣବୀରଙ୍କୁ ୪୦ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ, ଯାହା ସେ ଅଦ୍ୟାବଧି ଦେଇନାହାନ୍ତି ।

ତେବେ ଏ ମାମଲାରେ ରଣବୀରଙ୍କ ଔପଚାରିକ ବୟାନ ସାମ୍ନାକୁ ଆସିଛି । ତାଙ୍କ ପ୍ରବକ୍ତା କହିଛନ୍ତି, ରଣବୀର ଫିଲ୍ମ ଇଣ୍ଡଷ୍ଟ୍ରି ଓ ‘ଡନ୍’ ଫ୍ରାଞ୍ଚାଇଜି ସହ ଜଡ଼ିତ ସମସ୍ତଙ୍କୁ ସମ୍ମାନ ଦିଅନ୍ତି । ‘ଡନ୍-୩’ ଘଟଣାକ୍ରମକୁ ନେଇ ରଣବୀର ଚୁପ୍ ରହିଛନ୍ତି, କାରଣ ତାଙ୍କର ବିଶ୍ୱାସ ଯେ ବୃତ୍ତିଗତ ମାମଲା ଓ ବ୍ୟକ୍ତିଗତ ସମ୍ପର୍କକୁ ଗରିମା, ବୁଦ୍ଧିବିଚାର ଓ ପରସ୍ପର ସମ୍ମାନର ସହ ସମ୍ଭାଳିବା ଉଚିତ୍ । କିଛି ଦିନ ହେଲା ଅନେକ କଥା ଓ ଗୁଜବ ଶୁଣିବାକୁ ମିଳୁଛି, କିନ୍ତୁ ରଣବୀର କଦାପି ସର୍ବସାଧାରଣରେ ପ୍ରତିକ୍ରିୟା ଦେବା ଜରୁରି ମନେ କରିନାହାନ୍ତି । ନିଜ କାମ ଓ ଆଗାମୀ ପ୍ରୋଜେକ୍ଟ ଉପରେ ତାଙ୍କର ପୂରା ଧ୍ୟାନ ରହିଛି ।

ଆହୁରି ପଢ଼ନ୍ତୁ...Dhurandhar 2 Collection: 'ଧୁରନ୍ଧର ୨'ର ନୂଆ ରେକର୍ଡ; ୬୭ ଦିନରେ ୧,୮୦୦ କୋଟି ପାର୍ କଲା କଲେକ୍ସନ, ବଜେଟ୍ ତୁଳନାରେ ୪୧୦% ଲାଭ