ପିପିଲି,୧୬/୧୨: ହରଚଣ୍ଡି ପ୍ରସାଦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବାଧାପ୍ରାପ୍ତ । ଆଜିକୁ ୫ଦିନ ଧରି ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଫାଟକରେ ଝୁଲୁଛି ତାଲା । ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀ ନିୟମିତ ଡାକ୍ତରଖାନା ଅସୁନଥିବା, ଅଧିକାଂଶ ସମୟ ଡାକ୍ତରଖାନା ବନ୍ଦ ରହୁଥିବା ସମ୍ପର୍କରେ ଗ୍ରାମବାସୀ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଥିଲେ । ୮ଦିନ ପୂର୍ବେ ଉକ୍ତ ଡାକ୍ତର ଓ କର୍ମଚାରୀ ଡାକ୍ତରଖାନା ପରିସରରେ ମଦ ପିଉଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଗତ ୧୨ତାରିଖରୁ ଅଞ୍ଚଳବାସୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପକାଇଥିବାରୁ ଅପ୍ରତିକର ସ୍ଥିତି ଦେଖାଦେଇଛି ।
୫ଦିନ ହେଲା ଡାକ୍ତରଖାନା ବନ୍ଦ ରହିଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ନଥିବା ଜଣାପଡ଼ିଛି । ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ପୁରୀ, କଣାସ ବ୍ଲକ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ପଞ୍ଚାୟତ ବାସୀ ସ୍ବାସ୍ଥ୍ୟ ସେବା ଉପରେ ନିର୍ଭର କରିଥାନ୍ତି । ଏବେ ତାଲା ପଡିବା ଦ୍ଵାରା ଆଜିକୁ ୫ଦିନ ହେଲା ରୋଗୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।