ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ (ଏସ୍‌ଏଚ୍‌ଏମ୍‌)ରେ ଶୁକ୍ରବାର ଦିନ ହସ୍ପିଟାଲ ହୋରାଇଜନ୍‌ - ୨୦୨୫ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ୧୪ଟି ସ୍କୁଲ ଓ କଲେଜରୁ ଦଶମ ଶ୍ରେଣୀ ଓ ଯୁକ୍ତ ଦୁଇର ପ୍ରାୟ ୫୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହି ଥିଲେ ଯେ, ଦକ୍ଷତା ଏକ କଳା। ବର୍ତ୍ତମାନ ହସ୍ପିଟାଲିଟି ଟୁରିଜିମ୍‌ ଏକ ବଡ ବୃତ୍ତିଗତ ସୁଯୋଗ ପାଲଟିଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ପେସା ଭାବେ ଚୟନ କଲେ ସେମାନେ ଉପକୃତ ହେବା ସହିତ ବୃତ୍ତି କ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି କରି ପାରିବେ ବୋଲି ପ୍ରଫେସର ନନ୍ଦ କହିଥିଲେ। 

ସେହିପରି ଉନ୍ନତମାନର ଟେକ୍‌ନୋଲୋଜିର ବିକାଶ ହେବା ଫଳରେ ସ୍ୱାସ୍ଥ୍ୟ, ଶିକ୍ଷା ତଥା ହସ୍ପିଟାଲିଟି ଓ ଟୁରିଜିମ୍‌ କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀମାନେ ଉପକୃତ ହୋଇ ପାରିବେ ବୋଲି ସେ କହି ଥିଲେ। 

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ‘ଛପନ ଭୋଗ’ର ପ୍ରତିଷ୍ଠାତା ଶ୍ରୀ ସତ୍ୟବ୍ରତ ମହାନ୍ତି ଯୋଗ ଦେଇ କହିଥିଲେ ଯେ, ସାଧାରଣତଃ ଲୋକମାନେ ଏହି ବୃତ୍ତିକୁ ଏତେ ଗୁରୁତ୍ୱ ଦେଉ ନଥିବା ବେଳେ ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହି ବୃତ୍ତି ପ୍ରତି ଆଗ୍ରହ ଦେଖା ଦେଉଛି ବୋଲି ସେ କହିଥିଲେ। 

ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ପାର୍ଲେର ଡିଭିଜନାଲ ସେଲ୍‌ସ ମ୍ୟାନେଜର ଶ୍ରୀ ନରେନ୍ଦ୍ର ସିଂ ଓ ମୋନିନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବିଜିନେସ୍‌ ଡେଭଲପମେଣ୍ଟ ମ୍ୟାନେଜର (ଇଷ୍ଟ ଇଣ୍ଡିଆ) ଶ୍ରୀ ପାର୍ଥ ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖି ଥିଲେ। ଏସ୍‌ଏଚ୍‌ଏମ୍‌ର ଡିନ୍‌ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ଦେବା ସହିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ କହି ଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଏସ୍‌ଏଚ୍‌ଏମ୍‌ର ଆସିଷ୍ଟାଣ୍ଟ ପ୍ରଫେସର ଓ ପ୍ରୋଗ୍ରାମ୍‌ କୋର୍ଡିନେଟର ଶ୍ରୀ ଶୁଭ୍ରାଂଶୁ ସାହାଣୀ ଧନ୍ୟବାଦ ଅର୍ପଣ କରି ଥିଲେ।