ସୋର, ୬।୫ : ପ୍ରେମ ଜନିତ ଘଟଣାଙ୍କୁ ନେଇ ଯୁବକକୁ ପିଟି ପିଟି ହତ୍ୟା କରିବା ଘଟଣାରେ ସିମୁଳିଆ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ୨ ଜଣ ହେଲେ ସମ୍ପର୍କରେ ମାମୁଁ ଓ ଭଣଜା।
ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପଇଁତିରିଶ ସାହି ଗ୍ରାମର ସୁବାସ ସୁତାର ଜନୈକ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ଏହାକୁ ନେଇ ଯୁବତୀଙ୍କ ସମ୍ପର୍କୀୟ ଆସି ସୁବାସଙ୍କୁ ଘରୁ ଉଠାଇ ଆଣି ଏକ ଘରେ ହାତ ଗୋଡ଼ ବାନ୍ଧି ଠେଙ୍ଗାରେ ପିଟି ଥିଲେ l ଫଳରେ ସୁବାସଙ୍କ ନାକରୁ ପ୍ରବଳ ରକ୍ତତ୍ସାବ ହୋଇଥିଲା। ଗୁରୁତର ହୋଇ ପଡିବାରୁ ଆକ୍ରମଣକାରୀ ସୁବାସଙ୍କୁ ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରିଥିଲେ l ଅବସ୍ଥା ଗୁରୁତର ହେବାରୁ ମେଡିକାଲରେ ଛାଡି ପଳେଇ ଯାଇଥିଲେ। ପରିବାର ଲୋକ ଖବର ପାଇ ସିମୁଳିଆ ମେଡିକାଲରେ ପହଞ୍ଚି ଭଦ୍ରକ ମେଡିକାଲକୁ ନେଇଥିଲେ l ଭଦ୍ରକ ମେଡିକାଲରେ ସୁବାସଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ମୃତ୍ୟୁ ପରେ ସୁବାସଙ୍କ ଭିଣୋଇ ସୁବାସଙ୍କୁ ହତ୍ୟା କରାଯାଇଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ସିମୁଳିଆ ପୋଲିସ ଆକ୍ରମଣ କରିଥିବା ୨ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l ପ୍ରେମ ଜନିତ ହତ୍ୟା ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପାରିବାରିକ ବିବାଦ ଯୋଗୁଁ ହତ୍ୟା ହୋଇଥିବା ନେଇ ସଦର ଏସ୍ଡ଼ିପିଓ ଶୁଭ୍ରାଂଶୁ ଶେଖର ନାୟକ ସିମୁଳିଆ ଥାନା ପରିସର ରେ ସାମ୍ବାଦିକ ସମ୍ମିଲନି କରି ସୂଚନା ଦେଇଛନ୍ତି l