ବଲାଙ୍ଗିର,୧୦/୧୦: ଟିଟିଲାଗଡ଼ ହୋଟେଲ ମାଲିକଙ୍କୁ ଗାଡ଼ି ଚପାଇ ହତ୍ୟା ଉଦ୍ୟମ ମାମଲା। ରିମାଣ୍ଡରେ ଆସିଲା ମୁଖ୍ୟ ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲ।୨୪ ଘଣ୍ଟିଆ ରିମାଣ୍ଡରେ ଆଣି ଟିଟିଲାଗଡ଼ ପୁଲିସ ଜେରା। ନକଲି ସିମ୍ ବ୍ୟବହାର କରି ନଗ୍ନ ଫଟୋ ବ୍ଲାକମେଲିଂ ନେଇ ଖୋଳତାଡ଼ ଜାରି। ଗତକାଲି ଏହି ମାମଲାରେ ପୁଲିସ ଆଉ ଦୁଇଜଣ ସହଯୋଗୀଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମୁରିବାହାଲ ଥାନା ଡୁଙ୍ଗୁରିପଡାର ଭକ୍ତବନ୍ଧୁ ଖର୍ସେଲ ଏବଂ ହାଟପଦାପଡାର ନରେଶ ବେହେରା ରହିଛନ୍ତି । ତେଣୁ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୩କୁ ଛୁଇଁଛି । ତେବେ ଅଭିଯୁକ୍ତମାନଙ୍କ ପାଖରୁ ପୁଲିସ ହତ୍ୟା ପାଇଁ ବ୍ୟବହୃତ ଓଆର ୨୩ଏଫ ୧୮୬୬ ଗାଡ଼ିକୁ ମଧ୍ୟ ଜବତ କରିଛି ।
ଅଭିଯୋଗକାରୀ ଶିବଦୟାଲ ଜୈନଙ୍କ ସ୍ତ୍ରୀଙ୍କୁ ମୁଖ୍ୟ ଅଭିଯୁକ୍ତ ଅଙ୍କିର ଏକତରଫା ଭଲ ପାଉଥିଲେ । ତେଣୁ କୌଶଳକ୍ରମେ ପ୍ରଥମେ ମହିଳାଙ୍କ ଫେକ ଫଟୋ ଭାଇରାଲ କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା । ହେଲେ ସେଥିରେ ବିଫଳ ହେବାରୁ ଶେଷରେ ସ୍ୱାମୀଙ୍କୁ ରାସ୍ତାରୁ ହଟାଇ ନିଜେ ଅଙ୍କୁର ପ୍ରେମ ନିବେଦନ କରିବାର ଯୋଜନା ଥିଲା । ସେଥିପାଇଁ ସେ ଭକ୍ତବନ୍ଧୁ ଏବଂ ନରେଶକୁ ୫ଲକ୍ଷର ସୁପାରୀ ଦେଇଥିଲେ । ଯେଉଁଥିରୁ ୫୦ହଜାର ଟଙ୍କାର ଅଗ୍ରୀମ ମଧ୍ୟ ଦିଆସରିଥିଲା। ଏହାବାଦ୍ ଅଙ୍କୁର ନିଜେ ସିମ୍ ବ୍ୟବସାୟରେ ଥିବାରୁ ଅନ୍ୟଙ୍କ ପ୍ରମାଣପତ୍ର ବ୍ୟବହାର କରି ଚଳାଉଥିବା ସିମରୁ ଧମକ ଦେବା ଅଭିଯୋଗରେ ତାଙ୍କ ନାଁରେ ସିନେ୍ଧକେଲା ଥାନାରେ ଆଉ ଏକ ମାମଲା ରୁଜୁ ହୋଇଥିବା ଏସପି କହିଥିଲେ । ତେବେ ଏହି ମାମଲାରେ ସିସିଟିଭି, ସାଇଣ୍ଟିଫିକ ଏବଂ ଫରେନ୍ସିକ ତଦନ୍ତର ସହାୟତା ନିଆଯାଇଥିବା କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୨୮ତାରିଖ ରାତ୍ରୀ ୯ଘଣ୍ଟା ୪୫ମିନିଟ ସମୟରେ ରେଲବାଇ ଷ୍ଟେସନ ନିକଟସ୍ଥ ସନଭିଉ ହୋଟେଲର ମାଳିକ ଶିବଦୟାଲ ଜୈନ ନିଜ ଘରକୁ ସ୍କୁଟିଯୋଗେ ଫେରୁଥିବା ସମୟରେ ଏକ ନମ୍ବର ବିହୀନ ବୋଲୋରୋ ଗାଡ଼ି ତାଙ୍କୁ ପିଛା କରି ବିଡିଡିସିସି ବ୍ୟାଙ୍କ ସମ୍ମୁଖରେ ଶକ୍ତ ଧକ୍କା ଦେଇ ଫେରାର ମାରିଥିଲା । ଫଳସ୍ୱରୁପ ଶ୍ରୀ ଦୟାଲ ଗୁରୁତର ଭାବେ ଆହତ ହୋଇ ତଲେ ପଡ଼ିଯାଇଥିବା ବେଳେ ସ୍କୁଟି ଟି ୫୦ଫୁଟ ଦୁରକୁ ଛିଟିକି ଯାଇପଡ଼ିଥିଲା । ଏସମ୍ପର୍କରେ ଖବରପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ । ଶିବଦୟାଲଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି ଓ ସ୍କୁଟିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏନେଇ ୨୯ତାରିଖରେ ଶିବଦୟାଲ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରିନଥିଲା । ପରେ ବଲାଙ୍ଗିର ଏସପିଙ୍କ ହସ୍ତକ୍ଷେପ ପରେ ମାମଲା ରୁଜୁ ହୋଇଥିବା ଅଭିଯୋଗ ହୋଇଛି । ପୁଲିସ ସହରର ବିଭିନ୍ନ ସିସିଟିଭି ଫୁଟେଜ ସଂଗ୍ରହ କରି ଉକ୍ତ ଆଧାରରେ ତଦନ୍ତକୁ ବ୍ୟାପକ କରିଥିଲା । ପରେ ପୁଲିସ ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଆଜି ମୁଖ୍ୟ ଅଭିଯୁକ୍ତ ଆଙ୍କୁର ଅଗ୍ରଓ୍ବାଲଙ୍କୁ ରିମାଣ୍ଡରେ ଆଣି ଜେରା କରୁଛି ପୁଲିସ।