ଖଲ୍ଲିକୋଟ, ୫।୪ : ଖଲ୍ଲିକୋଟ ଅଞ୍ଚଳରେ ରବିବାର ଅପରାହ୍ନରେ ହଠାତ୍ ମାଡ଼ି ଆସିଲା କଳାହାଣ୍ଡିଆ ମେଘ ସହ ପବନ । ଚାହୁଁ ଚାହୁଁ ଉଡ଼ାଇ ନେଲା ଘରର ଟିଣ ସହ ଭାଙ୍ଗି ଦେଇଗଲା ବଡ ବଡ ଗଛ । ଖଲ୍ଲିକୋଟ ଅଂଚଳର ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତାରେ ପଡ଼ିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇ ଖଲ୍ଲିକୋଟ୍ ସାହିର ୩ଟି ଘରର ଟିଣ ଉଡାଇ ନେଇଛି। ସେହିପରି ଭୁବନେଶ୍ୱର ଠାରୁ ଆସିକାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ନିର୍ମଳଝର ଠାରେ ବିରାଟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଦୁଇ ପାର୍ଶ୍ୱରେ ଗାଡ଼ି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି । ସେପଟେ ବେଗୁନିଆପଡ଼ା ଅଞ୍ଚଳରେ ବଜ୍ରପାତ୍ ଘଟି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ କୋଦଳା ମେଡ଼ିକାଲ ରେ ଚିକିତ୍ସା କରାଯାଇ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।