ଖଜୁରୀପଡ଼ା ୨୬/୦୪ : ଭଙ୍ଗା ଦଦରା ଘରେ  ବସବାସ କରୁଥିବା ଅସହାୟ ଗରିବ ପରିବାର କିମ୍ବା ବାସହୀନ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ଅନ୍ତୋଦୟ  ଗୃହ ଯୋଜନା ରେ ସାମିଲ କରି ଘର ଯୋଗାଇ ଦେବାକୁ ସରକାର ଯୋଜନା କରିଛନ୍ତି। କିନ୍ତୁ ପ୍ରକୃତ ହିତାଧିକାରୀଙ୍କୁ ଘର ମିଳୁ  ନ ଥିବା ଅଭିଯୋଗ ହେଉଛି।  ଏପରିକି ଘର ଖଣ୍ଡିଏ ପାଇଁ ପ୍ରଶାସନ ନିକଟକୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି ହିତାଧିକାରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଖଜୁରୀପଡ଼ା ବ୍ଲକର ବଲସକୁମ୍ପା ଗ୍ରାମ ପଞ୍ଚାୟତ  ନବଗୁବା ( ଜମ୍ବୁସାହି)  ଗ୍ରାମରେ।

ଏହି ଗ୍ରାମର   ଯମୁନା କହଁର (୫୮) ଏବଂ ତାଙ୍କ ଝିଅ ସ୍ୱର୍ଣ୍ଣ କହଁର (୨୭) ଅତି ଦୟନୀୟ ଭାବରେ ଭଙ୍ଗା ଦଦରା ଘରେ ରହୁଛନ୍ତି । ଘର ଅବସ୍ଥା ଶୋଚନୀୟ ଥିବା ଯୋଗୁଁ ବର୍ଷା,ଶୀତ ,କାକରରେ ସାହି ପଡିଶା, ସମ୍ପର୍କୀୟ ଲୋକଙ୍କ ଘର ବାରଣ୍ଡାରେ ରହୁଛନ୍ତି।ଘର ଖଣ୍ଡେ ପାଇବା ଆଶାରେ ବ୍ଲକ  ଏବଂ ପଞ୍ଚାୟତ   କାର୍ଯ୍ୟାଳୟରେ ଲିଖିତ ଭାବେ ଆବେଦନ କରିଥିଲେ।  କିନ୍ତୁ  ଆଜି ପର୍ଯ୍ୟନ୍ତ ଘର ଖଣ୍ଡେ  ମିଳି ନାହିଁ  । ସରକାରୀ ସହାୟତା କହିଲେ ଚାଉଳ ୧୦ କିଲୋ ଏବଂ ବିଧବା ଭତ୍ତା ମିଳୁଛି ।  ସେଥିରେ ପରିବାର ଗୁଜୁରାଣ ମେଣ୍ଟାଇବାକୁ ପଡୁଛି । ୨୦୨୦ରେ  ହୋଇଥିବା   ଲଗାଣ ବର୍ଷା, ପବନରେ ଘରର କାନ୍ଥ ସବୁ ଭୁଶୁଡ଼ି ଯାଇଥିଲ।। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ   ତତ୍କାଳୀନ ବିଡ଼ିଓ, ତହସିଲଦାର ,ସରପଞ୍ଚ,ବ୍ଲକ ଅଧ୍ୟକ୍ଷ,ଉପାଧ୍ୟକ୍ଷ,ରାଜସ୍ୱ ନିରୀକ୍ଷକ ଅଧିକାରୀ ସମସ୍ତେ  ଆସି ଦେଖିବା ପରେ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ପର୍ଯ୍ୟନ୍ତ ଘର ଖଣ୍ଡେ ପାଇବାରୁ ବଞ୍ଚିତ ଅଛନ୍ତି ।

ଏ ନେଇ ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତିଙ୍କୁ ଜଣାଇବାରୁ ସେ କହିଛନ୍ତି ଯେ କୌଣସି ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ନ ହୁଅନ୍ତୁ ସେ ଦିଗରେ ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ ପ୍ରଶାସନ ନଜିର ରଖିଛି । ଯମୁନା କହଁରର ସମସ୍ୟା ତଦନ୍ତ କରି ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।