ନୂଆଦିଲ୍ଲୀ : ସଫଳତା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଫି’ ଓ ବଡ଼ ବଡ଼ ସହରର ଚାକଚକ୍ୟ କଣ ନିହାତି ଜରୁରି ? ଯଦି ଆପଣଙ୍କ ମନରେ ମଧ୍ୟ କେବେ ଏହି ପ୍ରଶ୍ନ ଆସେ ତ ପଞ୍ଜାବର ରାଜପୁରାରେ ରହୁ ଥିବା ରସନୀତଙ୍କ ସଫଳତା ଆପଣଙ୍କ ସବୁ ଆଶଙ୍କାକୁ ଦୂର କରିଦେବ। ଭାରତର ସବୁଠୁ ପ୍ରତିଷ୍ଠିତ ଓ ସବୁଠୁ କଠିନ ଭାବେ ଜଣାଶୁଣା ୟୁନିୟନ ପବ୍ଲିକ୍ ସର୍ଭିସ କମିଶନର ସିଭିଲ ସେବା ପରୀକ୍ଷାରେ ଜଣେ ୨୨ ବର୍ଷିୟା ଯୁବତୀ ତାହା କରି ଦେଖାଇଛନ୍ତି , ଯାହା ଉପଯୁକ୍ତ ସୁବିଧା ସୁଯୋଗ ପାଉଥିବା ପ୍ରାର୍ଥୀ, ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିବା ପରେ ମଧ୍ୟ କରି ପାଇ ପାରି ନାହାନ୍ତି।
ନିକଟରେ ୬ ମାର୍ଚ୍ଚ ୨୦୨୬ରେ ଯେବେ ୟୁପିଏସସି ୨୦୨୫ର ନିଯୁକ୍ତି ପ୍ରକ୍ରିୟାର ଫାଇନାଲ ରେଜଲ୍ଟ ଜାରି କରିଥିଲା ତ ଏଥିରେ ମୋଟ ୯୫୮ ଜଣ ପ୍ରାର୍ଥୀ ଆଇଏଏସ୍, ଆଇପିଏସ ଓ ଆଇଏଫଏସ୍ ଭଳି ପଦ ପାଇଁ ନିଜର ସ୍ଥାନ ପକ୍କା କରିଥିଲେ। ଏଥିରୁ ଗୋଟିଏ ନାଁ ହେଉଛି ରସନୀତ କୌର,ଯିଏକି ପୂରା ଦେଶରେ ୫୨ତମ ରାଙ୍କ୍ (ଏଆଇଆର ୫୧)ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ସବୁଠୁ ଅଧିକ ଆଶ୍ଚର୍ଯ୍ୟକର ଓ ପ୍ରେରଣାଦାୟୀ କଥା ଏହା ଯେ, ରସନୀତ ଏହି ସଫଳତା ନିଜର ପ୍ରଥମ ପ୍ରୟାସରେ ଏବଂ କୌଣସି ମହଙ୍ଗା କୋଚିଂ କ୍ଲାସ ବିନା ହାସଲ କରିଛନ୍ତି।
ପଞ୍ଜାବର ପଟିଆଲା ଜିଲ୍ଲା ସ୍ଥିତ ଏକ ଖୁବ୍ ଛୋଟ ଓ ଶାନ୍ତ ଟାଉନ ରାଜପୁରା ନିବାସୀ ରସନୀତ। ଏକ ସାଧାରଣ ଓ ମଧ୍ୟବିତ୍ତ ପରିବାରର ଝିଅ ସେ।ତାଙ୍କର ବାପା ଜସବିନ୍ଦର ସିଂହ ପଞ୍ଜାବ ଷ୍ଟେଟ୍ ପାୱାର କର୍ପୋରେସନ ଲିମିଟେଡ୍ (ପିଏସପିସିଏଲ)ରେ ଜଣେ ଲାଇନମ୍ୟାନ ଭାବେ ଚାକିରି କରନ୍ତି। ରସନୀତ ପିଲା ଦିନରୁ ଦେଖିଛନ୍ତି ତାଙ୍କ ବାପା କେମିତି କଠିନ ଝାଳବୁହା ପରିଶ୍ରମ କରନ୍ତି। ବାପାଙ୍କର ଏହି ସଂଘର୍ଷ ତାଙ୍କ ଭିତରେ ଏକ ଏମିତି ନିଆଁ ଜଳାଇ ଥିଲା,ଯାହାକି ସେ ସିଭିଲ ସର୍ଭିସ ମାଧ୍ୟମରେ ଦେଶ ଓ ସମାଜ ପାଇଁ କିଛି ବଡ଼ କରିବାର ଇଚ୍ଛା ଜାଗ୍ରତ କରିଥିଲେ। ସେ ନିଜର ଅଭାବ ଓ ସମସ୍ୟାକୁ କେବେ ଦୁର୍ବଳତା ଭାବିବାକୁ ଦେଇ ନଥିଲେ , ବରଂ ଏହାକୁ ନିଜର ସବୁଠୁ ବଡ଼ ଶକ୍ତି କରି ଥିଲେ।
ଆଜିକା ସମୟରେ ଯେଉଁଠି ୟୁପିଏସସିର ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀମାନେ ଦିଲ୍ଲୀର ମୁଖାର୍ଜୀ ନଗର କିମ୍ୱା ରାଜେନ୍ଦ୍ର ନଗର ଯାତ୍ରା କରନ୍ତି ଏବଂ ବଡ଼ ବଡ଼ କୋଚିଂରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି , ସେଠାରେ କିନ୍ତୁ ରସନୀତ ପୂରା ଅଲଗା ଏବଂ ସାହସିକ ରାସ୍ତା ବାଛି ଥିଲେ।ସେ ଘରେ ରହି ସେଲଫ୍ –ଷ୍ଟଡି ଉପରେ ନିଜର ପୂରା ଧ୍ୟାନ କେନ୍ଦ୍ରିତ କରିଥିଲେ। ନିଜକୁ ସେ ଗୋଟେ ବର୍ଷ ପାଇଁ ଏକ ରୁମ୍ରେ ଆବଦ୍ଧ କରି ଦେଲେ , ଏବଂ ଏଥିରେ ହିଁ ସେ ନିଜର ତପସ୍ୟାର କେନ୍ଦ୍ର କରିଦେଲେ । ଏହି ସମୟରେ ସେ ସାମାଜିକ ଜୀବନ , ବିବାହ ,ପାର୍ଟି ଓ ବନ୍ଧୁଙ୍କ ଠାରୁ ସଂପୂର୍ଣ୍ଣ ଦୂରତା ରଖିଲେ। ତାଙ୍କ ମନରେ କେବଳ ଗୋଟିଏ କଥା ଥିଲା ପ୍ରଥମ ପ୍ରୟାସ ହିଁ ତାଙ୍କର ଶେଷ ପ୍ରୟାସ ହେବା ଉଚିତ୍। ଏହ ଲକ୍ଷକୁ ହାସଲ କରିବା ପାଇଁ କୌଣସି ପ୍ରକାରର ଢିଲା ବା ଅଧା ଅଧୁରା ମନକୁ ସେ ଆପଣାଇ ନଥିଲେ।
ରସନୀତ ଦିଲ୍ଲୀ ଯିବା ପରିବର୍ତ୍ତେ , ଡିଜିଟାଲ ଯୁଗର ଶକ୍ତିର ସଠିକ୍ ବ୍ୟବହାର କରିଥିଲେ ଏବଂ ନିଜର ଲ୍ୟାପଟପ୍କୁ ହିଁ ନିଜର ସବୁଠୁ ବଡ଼ କୋଚିଂ କରିଥିଲେ। ସେ ଅନେକ ଭଲ ଭଲ ଅନଲାଇନ ଲର୍ଣ୍ଣି ପ୍ଲାଟଫର୍ମସ, ୟୁଟ୍ୟୁବ୍ ଚ୍ୟାନେଲ୍ସ ଓ ସରକାରୀ ୱେବସାଇଟ୍କୁ ଦେଖିଲେ। ନିଜକୁ ଅପଡେଟ୍ ରଖିଲେ ଏବଂ ଦେଶର ସବୁଠୁ ପ୍ରତିଷ୍ଠିତ ସଂସ୍ଥାରେ ପଢୁ ଥିବା ଛାତ୍ରଙ୍କ ସମକକ୍ଷ ହେବାକୁ ସେ ଭଲ ଭଳ ଡିଜିଟାଲ ନୋଟ୍ସ ପ୍ରସ୍ତୁତ କଲେ, ଏବଂ ଅନଲାଇନ ଟେଷ୍ଟ ସିରିଜର ଖୁବ୍ ଅଭ୍ୟାସ କଲେ। ଆଉ ଶେଷରେ ଯାହା କରି ଦେଖାଇଲେ ତାହା ଆଜି ସମସ୍ତଙ୍କ ସାମ୍ନାରେ।
ରସନୀତ କୌରଙ୍କର ଏହି କାହାଣୀ ସେହି ଲକ୍ଷ ଲକ୍ଷ ୟୁପିଏସସି ପ୍ରାର୍ଥୀଙ୍କ ପାଇଁ ଏକ ଚମତ୍କାର ପ୍ରେରଣାର ରଶ୍ମୀ ପରି, ଯାହାକି ଆପଣ ଦେଶର ଯେକୌଣସି କୋଣରେ ବସି ଆଇଏସ ହେବାର ନିଜର ସ୍ୱପ୍ନକୁ ବାସ୍ତବରେ ପରିଣତ କରି ପାରିବେ।