ନୂଆଦିଲ୍ଲୀ,୧୮।୮: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ଏବଂ ଭାରତୀୟ ନିର୍ବାଚନ କମିଶନଙ୍କ ମଧ୍ୟରେ ବଢୁଛି ବିବାଦ । ବିରୋଧୀ ଦଳ ଏବେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ପଦରୁ ବହିଷ୍କାର କରିବାକୁ ନୋଟିସ ଆଣିବା ଉପରେ ବିଚାର କରୁଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ପଦକ୍ଷେପ ନିଆଯାଇପାରେ। ନିର୍ବାଚନ କମିଶନଙ୍କ କାର୍ଯ୍ୟରେ ବଡ଼ ଧରଣର ତ୍ରୁଟି ଏବଂ 'ଭୋଟ୍ ଚୋରି' ଅଭିଯୋଗ ପରେ ପଦରୁ ବହିଷ୍କାର କରିବାକୁ ଚେଷ୍ଟା କରୁଛି ବିରୋଧି। ଏହା ବିହାରରେ ସ୍ପେଶାଲ ଇନଟେନସିଭ୍ ରିଭିଜନ୍( ଏସଆଇଆର) ବିବାଦ ପରେ ଆରମ୍ଭ ହୋଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି।
ପ୍ରଥମେ ଏହା ବୁଝିବା ଗୁରୁତ୍ୱପୂର୍ଣ୍ଣ ଯେ ମୁଖ୍ୟ ନିର୍ବାଚନ କମିଶନର ପଦବୀ ଏକ ପ୍ରମୁଖ ସାମ୍ବିଧାନିକ କର୍ତ୍ତୃପକ୍ଷ, ଯାହାଙ୍କର ଭାରତରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ଏହି ପଦବୀର ସ୍ୱାଧୀନତା ଏବଂ ସ୍ୱାୟତ୍ତତାକୁ ସୁରକ୍ଷା ଦେବା ଭାରତୀୟ ଗଣତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଭାରତର ସମ୍ବିଧାନରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପଦବୀରୁ ବହିଷ୍କାର ପାଇଁ ବହୁତ ଜଟିଳ ବ୍ୟବସ୍ଥା ଅଛି, ଯାହା ସୁପ୍ରିମକୋର୍ଟ ବିଚାରପତିଙ୍କୁ ବହିଷ୍କାର କଲା ଭଳି ସମାନ।
ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପଦଚ୍ୟୁତ ସମ୍ପର୍କିତ ବ୍ୟବସ୍ଥା ସମ୍ବିଧାନର ଧାରା ୩୨୪(୫) ରେ ଦିଆଯାଇଛି। ସମ୍ବିଧାନର ଧାରା ୩୨୪(୫) ରେ କୁହାଯାଇଛି ଯେ, ମୁଖ୍ୟ ନିର୍ବାଚନ କମିଶନରଙ୍କୁ ସୁପ୍ରିମକୋର୍ଟର ବିଚାରପତିଙ୍କ ପରି ସମାନ ପଦ୍ଧତିରେ ଏବଂ ସମାନ ଆଧାରରେ ପଦରୁ ବହିଷ୍କାର କରାଯାଇପାରିବ। ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପଦରୁ ବହିଷ୍କାର କରିବାର 'ପଦ୍ଧତି' ଏବଂ 'ଭିତ୍ତି' ପାଇଁ ସମ୍ବିଧାନରେ ନିର୍ଦ୍ଧାରିତ ନିୟମ ରହିଛି। ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ସୁପ୍ରିମକୋର୍ଟ ବିଚାରପତିଙ୍କୁ ବହିଷ୍କାର କଲା ଭଳି ସାମ୍ବିଧାନିକ ଢାଞ୍ଚାକୁ ବୁଝିବା ଆବଶ୍ୟକ।
ଭାରତୀୟ ସମ୍ବିଧାନର ଧାରା ୧୨୪(୪) ଅନୁସାରେ, ସୁପ୍ରିମକୋର୍ଟର କୌଣସି ବିଚାରପତିଙ୍କୁ ତାଙ୍କ ପଦରୁ ହଟାଇ ହେବନି, ଯେଉଁ ପର୍ଯ୍ୟନ୍ତ ରାଷ୍ଟ୍ରପତି କୌଣସି ନିର୍ଦେଶ ଦେଇ ନାହାନ୍ତି। ଏହି ନିର୍ଦେଶ ସେତେବେଳେ ପାସ୍, ହୋଇପାରିବ ଯେତେବେଳେ ସଂସଦର ଉଭୟ ଗୃହ(ଲୋକସଭା-ରାଜ୍ୟସଭା)ର ଅଧିବେଶନରେ ବିଚାରପତିଙ୍କୁ ହଟାଇବାର ପ୍ରସ୍ତାବ ପାସ୍ ନକରିଛି। ଏହି ପ୍ରସ୍ତାବ 'ପ୍ରମାଣିତ ଦୁର୍ବ୍ୟବହାର' କିମ୍ବା 'ଅକ୍ଷମତା' ଆଧାରରେ ଗୃହୀତ ହେବା ଆବଶ୍ୟକ। ଏହାକୁ ପାସ୍ କରିବା ପାଇଁ ଉଭୟ ଗୃହରେ 'ବିଶେଷ ବହୁମତ' ଆବଶ୍ୟକ। ଏହାର ଅର୍ଥ ହେଉଛି ଗୃହର ମୋଟ ସଦସ୍ୟଙ୍କ ସଂଖ୍ୟାଗରିଷ୍ଠତା ଏବଂ ଉପସ୍ଥିତ ଏବଂ ଭୋଟ ଦେଉଥିବା ସେହି ଗୃହର ସଦସ୍ୟଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶରୁ ସଦସ୍ୟଙ୍କ ସଂଖ୍ୟାଗରିଷ୍ଠତା ଦରକାର। ଠିକ୍ ଏଭଳି ପକ୍ରିୟା ଭଳି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପଦରୁ ହଟାଇବା ଏତେ ସହଜ ନୁହେଁ।