ନୂଆଦିଲ୍ଲୀ, ୦୮/୦୬: ବଢ଼ୁଥିବା ବିଦ୍ୟୁତ ବିଲକୁ ନେଇ ଚିନ୍ତିତ କି ? ପ୍ରତିମାସ ମୋଟା ଅଙ୍କର ବିଦ୍ୟୁତ ବିଲ୍ ଦେଉଥିଲେ ସୋଲାର ପ୍ୟାନେଲ୍ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରେ। ବର୍ତ୍ତମାନ ସମୟରେ ଘରୋଇ ବିଦ୍ୟୁତ ଖର୍ଚ୍ଚ କମାଇବା ଓ ସ୍ୱଚ୍ଛ ଶକ୍ତି ବ୍ୟବହାର ପାଇଁ ସୋଲାର ସିଷ୍ଟମ୍ର ଚାହିଦା ଦ୍ରୁତ ଗତିରେ ବଢ଼ୁଛି। କିନ୍ତୁ ଘର ପାଇଁ କେଉଁ କ୍ଷମତାର ସୋଲାର ପ୍ୟାନେଲ୍ ଦରକାର ଏବଂ ଏହା କେତେ ସମୟ ବ୍ୟାକଅପ୍ ଦେଇପାରିବ, ସେନେଇ ଅନେକଙ୍କ ମନରେ ପ୍ରଶ୍ନ ରହିଛି। । ଆଜିକାଲି ବଜାରରେ ଅନେକ ପ୍ରକାରର ସୋଲାର ପ୍ୟାନେଲ୍ ଉପଲବ୍ଧ ହେଉଥିବା ବେଳେ ଜାଣନ୍ତୁ ଆପଣଙ୍କ ଘର ପାଇଁ କେଉଁ ପ୍ରକାରର ସୋଲାର ପ୍ୟାନେଲ ଦରକାର ଯାହା ଆପଣଙ୍କୁ ପକେଟକୁ ସୁହାଇବ। ଘରେ ବିଦ୍ୟୁତ୍ କଟିଗଲେ କେତେ ସମୟ ଯାଏ ଚାଲେ ଆସନ୍ତୁ ଜାଣିବା ଏହି ରିପୋର୍ଟରେ।
5kw ସୋଲାର ସିଷ୍ଟମ୍ କେତେ ବ୍ୟାକଅପ୍ ଦେଇପାରିବ?
ଧରନ୍ତୁ ଆପଣଙ୍କ ଘରେ 5kW ସୋଲାର ସିଷ୍ଟମ୍ ସହ 10kWh ବ୍ୟାଟେରୀ ଲାଗିଛି। ଯଦି ଘରର ବିଦ୍ୟୁତ ବ୍ୟବହାର ପ୍ରାୟ 1kW ରହେ, ତେବେ ବ୍ୟାଟେରୀ ପ୍ରାୟ ୧୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାକଅପ୍ ଦେଇପାରିବ। କିନ୍ତୁ ଏକାସାଥିରେ AC, ଗିଜର, ୱାଶିଂ ମେସିନ୍ ଭଳି ଅଧିକ ବିଦ୍ୟୁତ ଖର୍ଚ୍ଚ କରୁଥିବା ଉପକରଣ ଚାଲୁ କଲେ ବ୍ୟବହାର 2kW କିମ୍ବା ତା'ଠାରୁ ଅଧିକ ହୋଇପାରେ। ସେହି କ୍ଷେତ୍ରରେ ବ୍ୟାକଅପ୍ ସମୟ ପ୍ରାୟ ୫ ଘଣ୍ଟାକୁ କମିଯାଇପାରେ।
ବ୍ୟାଟେରୀ କାହିଁକି ଗୁରୁତ୍ୱପୂର୍ଣ୍ଣ?
ସୋଲାର ପ୍ୟାନେଲ୍ ଦିନରେ ସୂର୍ଯ୍ୟକିରଣରୁ ବିଦ୍ୟୁତ ଉତ୍ପାଦନ କରେ, କିନ୍ତୁ ସେହି ବିଦ୍ୟୁତ ବ୍ୟାଟେରୀରେ ସଞ୍ଚୟ ହୁଏ। ରାତିରେ କିମ୍ବା ବିଦ୍ୟୁତ କଟ୍ ହେଲେ ଏହି ବ୍ୟାଟେରୀ ଘରକୁ ବିଦ୍ୟୁତ ଯୋଗାଇଥାଏ। ତେଣୁ ବ୍ୟାକଅପ୍ ସମୟ ପ୍ରାୟତଃ ବ୍ୟାଟେରୀର କ୍ଷମତା ଉପରେ ନିର୍ଭର କରେ।
ସାରା ରାତି ଚାଲିବ କି?
ଯଦି ବ୍ୟାଟେରୀ କ୍ଷମତା ଅଧିକ ଥାଏ ଏବଂ କେବଳ LED ବଲ୍ବ, ଫ୍ୟାନ୍, ଟିଭି, ୱାଇ-ଫାଇ ରାଉଟର୍ ଭଳି ଜରୁରୀ ଉପକରଣ ବ୍ୟବହାର କରାଯାଏ, ତେବେ ଅନେକ ସୋଲାର ସିଷ୍ଟମ୍ ସାରା ରାତି ବ୍ୟାକଅପ୍ ଦେଇପାରେ। କିନ୍ତୁ AC, ଇଲେକ୍ଟ୍ରିକ୍ ଗିଜର, ଇଣ୍ଡକ୍ସନ୍ କୁକଟପ୍ କିମ୍ବା ବଡ଼ ପାଣି ପମ୍ପ ଭଳି ହେଭି ଲୋଡ୍ ଚାଲିଲେ ବ୍ୟାକଅପ୍ ସମୟ ଶୀଘ୍ର କମିଯାଏ।
ଘର ପାଇଁ କେଉଁ ସୋଲାର ସିଷ୍ଟମ୍ ଉପଯୁକ୍ତ?
ସୋଲାର ସିଷ୍ଟମ୍ ବାଛିବା ପୂର୍ବରୁ ଘରର ଦୈନିକ ବିଦ୍ୟୁତ ବ୍ୟବହାର, ଚାଲୁଥିବା ଉପକରଣ ଏବଂ ବ୍ୟାକଅପ୍ ଆବଶ୍ୟକତାର ସଠିକ୍ ଆକଳନ କରିବା ଉଚିତ୍। ଠିକ୍ କ୍ଷମତାର ସୋଲାର ପ୍ୟାନେଲ୍ ଓ ବ୍ୟାଟେରୀ ବାଛିଲେ ବିଦ୍ୟୁତ ବିଲ୍ ଯଥେଷ୍ଟ କମିବା ସହ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ମଧ୍ୟ ମିଳିପାରିବ।
ଅଧିକ ପଢନ୍ତୁ-PM Modi: ଇଣ୍ଡୋନେସିଆରେ ମୋଦିଙ୍କ Math Politics; '୮' ଫର୍ମୁଲାରେ ମୁଗ୍ଧ ଜାକାର୍ତ୍ତାବାସୀ