ନୂଆଦିଲ୍ଲୀ : ପାକିସ୍ତାନର ମାଟିରେ ଭାରତର ଶତ୍ରୁଙ୍କ କାଳସାଜି ଘୂରି ବୁଲୁଥିବା ଅଜଣା ଆକ୍ରମଣକାରୀ, ଆଉ ଏକ ବଡ଼ ଆତଙ୍କବାଦୀକୁ ନର୍କକୁ ପଠାଇ ଦେଇଛନ୍ତି। ଗୁରୁବାର ଖବର ଆସିଛି ଯେ, ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନର ପାକିସ୍ତାନ ଅଧିକୃତ କାଶ୍ମୀର ଅର୍ଥାତ୍ ପିଓକେରେ ଗୁଳି କରି ହତ୍ୟା କରଯାଇଛି। ଗତ କିଛି ବର୍ଷରୁ ଅଲଗା ଅଲଗା ସହରରେ ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀଙ୍କୁ ବାଛି ବାଛି ଟାର୍ଗେଟ୍ କରାଯାଉଛି। ମୋଟରସାଇକେଲରେ ଆସିଥିବା ଏହି ଅଜଣା ଆକ୍ରମଣକାରୀମାନେ ଏବେସୁଦ୍ଧା ଲଶ୍କର , ଜୈଶ ଓ ହିଜବୁଲର ଅନେକ ଶୀର୍ଷ କମାଣ୍ଡରଙ୍କୁ ହତ୍ୟା କରିଛନ୍ତି।
ଏହିସବୁ ରହସ୍ୟପୂର୍ଣ୍ଣ ହତ୍ୟା ପଛରେ ପାକିସ୍ତାନର ସୁରକ୍ଷା ଏଜେନ୍ସି ଓ ସେଠାରେ ମୁଖା ପିନ୍ଧି ବସି ଥିବା ଆତଙ୍କୀଙ୍କ ନିଦ ଉଡ଼ାଇ ଦେଇଛି। କାହାକୁ ବି ଜଣା ନାହିଁ ଏହି ଆତଙ୍କୀମାନଙ୍କ ଜୀବନ ନେଉଥିବା , ଏହି ଅଜ୍ଞାତ ଆକ୍ରମଣକାରୀ ମାନେ କିଏ ।
ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନକୁ କେମିତି କରାଗଲା ହତ୍ୟା ?
ଭାରତ ସରକାରଙ୍କ ପକ୍ଷରୁ ୨୦୨୨ରେ ଆତଙ୍କୀ ଘୋଷିତ କରାଯାଇ ଥିବା ହମଜା ବୁରହାନ ଏବେ ଏହି ଦୁନିଆରେ ନାହିଁ। ତାକୁ ମୁଜଫରାବାଦରେ ଅଜଣା ଆକ୍ରମଣକାରୀମାନେ ଅନେକ ଗୁଳି କରିବା ପରେ ତାର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ହମଜା ବୁରହାନର ପ୍ରକୃତ ନାମ ଅର୍ଜୁମନ୍ଦ ଗୁଲଜାର ଡାର ଥିଲା ଏବଂ ସେ ବିପଜ୍ଜନକ ଆତଙ୍କୀ ସଙ୍ଗଠନ ଅଲ ବଦର ସହ ଲିପ୍ତ ଥିଲା। ୨୦୧୯ ମସିହାରେ ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣର ଷଡ଼ଯନ୍ତ୍ରରେ ତାର ବଡ଼ ହାତ ଥିଲା, ଯେଉଁଥିରେ ଭାରତର ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇ ଥିଲେ। ଏହି ଆକ୍ରମଣ ପର ଠାରୁ ସେ ଭାରତର ବଡ଼ ଶତ୍ରୁ ପାଲଟି ଯାଇ ଥିଲା। କିନ୍ତୁ ପିଓକେରେ ଅଜଣା ବନ୍ଧୁକଧାରୀମାନେ ତାକୁ ଗୁଳି କରି ହତ୍ୟା କରି ସବୁଦିନ ପାଉଁ ଚୁପ୍ କରି ଦେଲେ।
ଲାହୋରରେ ଲଶ୍କରର ସଂସ୍ଥାପକ ଅମିର ହମଜା ଉପରେ କେମିତି ହୋଇଥିଲା ଆକ୍ରମଣ ?
ପାକିସ୍ତାନର ଲାହୋର ସହରରେ ଲଶ୍କର-ଏ-ତୈୟବାର ସଂସ୍ଥାପକ ସଦସ୍ୟଙ୍କ ମଧ୍ୟରେ ସଂପୃକ୍ତ ଅମିର ହମଜାକୁ ମଧ୍ୟ ଚଳିତ ବର୍ଷ ଅପ୍ରେଲରେ ଟାର୍ଗେଟ୍ କରାଯାଇ ଥିଲା। ବାଇକରେ ଆସି ଅଜଣା ଆକ୍ରମଣକାରୀ ଅମିର ହମଜା ଉପରେ ହଠାତ୍ ଆଖିବୁଜା ଫାୟାରିଂ କରି ଥିଲେ। ଏହି ପ୍ରାଣଘାତୀ ଆକ୍ରମଣରେ ସେ ସଂପୂର୍ଣ୍ଣ ରୂପେ ଆହତ ହୋଇ ଥିଲା ,ଏହାପରେ ତାର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ଅମିର ହମଜା ଭାରତ ବିରୋଧରେ ଦୀର୍ଘ ସମୟରୁ ବିଷ ଓଗାଳିବା ଓ ଆତଙ୍କୀ ନେଟୱର୍କକୁ ମଜବୁତ କରିବାର କାମ କରୁ ଥିଲା।
ମସୁଦ ଅଜହର ଓ ହାଫିଜ ସଇଦର ନିକଟତରଙ୍କୁ କିଏ ମାରି ଥିଲା ?
ଜୈଶ-ଏ-ମହମ୍ମଦର ଚିଫ୍ ମୌଲାନା ମସୁଦ ଅଜହରର ବଡ଼ ଭାଇ ମହମ୍ମଦ ତାହିର ଅନୱରର ମଧ୍ୟ ଗତ ମାସରେ ପାକିସ୍ତାନରେ ରହସ୍ୟମୟ ସ୍ଥିତିରେ ମୃତ୍ୟୁ ହୋଇ ଥିଲା। ସେ ଜୈଶର ସବୁ ବଡ଼ ବଡ଼ ଅପରେସନକୁ ସମ୍ଭାଳି ଥିଲା। ଗତ ବର୍ଷ ମାର୍ଚ୍ଚରେ ୨୬/ ୧୧ ମୁମ୍ୱାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ଖୁବ ନିକଟତର ଅବୁ କତଲ ଓରଫ କତଲ ସିନ୍ଧିକୁ ଝେଲମ ସିନ୍ଧରେ ଅଜଣା ଆକ୍ରମଣକାରୀ ମାନେ ମାରି ଦେଇ ଥିଲେ। କତଲ ସିନ୍ଧି ୨୦୨୪ ମସିହାରେ ଜମ୍ମୁ-କାଶ୍ମୀରର ରିଆସିରେ ତୀର୍ଥଯାତ୍ରୀଙ୍କ ବସ୍ ଉପରେ ହୋଇଥିବା ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଥିଲା। ଏହା ବ୍ୟତୀତ କରାଚୀରେ ହାଫିଜ ସଇଦର ଆଉ ଜଣେ ସାଥି ମୁଫତି କ୍ୟାସର ଫାରୁକକୁ ମଧ୍ୟ ଅଜଣା ଆକ୍ରମଣକାରୀ ମାନେ ମଦରସା ନିକଟରେ ପିଠିରେ ଗୁଳି କରି ହତ୍ୟା କରି ଦେଇ ଥିଲେ।
ପଠାନକୋଟ ଆକ୍ରମଣର ଅପରାଧୀ ଶାହିଦ ଲତିଫର ନିପାତ କେମିତି ହୋଇଥିଲା ?
୨୦୧୬ରେ ଭାରତର ପଠାନକୋଟ ଏୟାରବେସରେ ହୋଇଥିବା ବଡ଼ ଆତଙ୍କୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶାହିଦ ଲତିଫକୁ ସିୟାଲକୋଟର ଏକ ମସଜିଦରେ ଅଜଣା ବନ୍ଧୁକଧାରୀମାନେ ଗୁଳି କରି ଥିଲେ। ୫୪ ବର୍ଷିୟ ଶାହିଦ ଲତିଫ ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ସାମିଲ ଥିଲା ଏବଂ ଦୀର୍ଘ ଦିନରୁ ପାକିସ୍ତାନରେ ରହି କାଶ୍ମୀରୀ ଯୁବବର୍ଗଙ୍କୁ ପ୍ରଲୋଭିତ କରିବା କାର୍ଯ୍ୟ କରୁଥିଲା। ଏହିପରି ଲଶ୍କରର ଆଉ ଏକ ବିପଜ୍ଜନକ ଭର୍ତ୍ତି କମାଣ୍ଡର ଅକରମ ଖାନ ଗାଜି ମଧ୍ୟ ନଭେମ୍ୱର ୨୦୨୩ରେ ମୋଟର ସାଇକେଲରେ ଆସିଥିବା ଆକ୍ରମଣକାରୀଙ୍କ ଗୁଳିର ଶିକାର ହୋଇଥିଲା। ଗାଜି ଭାରତରେ ଆତଙ୍କୀଙ୍କ ଅନୁପ୍ରବେଶ କରାଇବା ପାଇଁ ନୂଆ ପିଲାଙ୍କୁ ବ୍ରେନୱାଶ କରାଉ ଥିଲା।
ଖ୍ୱାଜା ସାହିଦର ମୁଣ୍ଡକାଟ ଏବଂ ବିମାନ ଅପହରଣ ଅଭିଯୁକ୍ତର ମୃତ୍ୟୁ କିପରି ହେଲା ?
ଲଶ୍କର-ଏ-ତୈୟବାର ଟପ୍ କମାଣ୍ଡର ଖ୍ୱାଜା ଶାହିଦ ଓରଫ ମିୟାଂ ମୁଜାହିଦର ମୃତଦେହ ଏଲଓସି ନିକଟରେ ନିଲମ ଘାଟୀରେ ଖୁବ୍ ଭୟଙ୍କର ସ୍ଥିତିରେ ମିଳି ଥିଲା। ଅଜ୍ଞାତ ଆକ୍ରମଣକାରୀମାନେ ପ୍ରଥମେ ତାକୁ ଅପହରଣ କରି, ତାକୁ ଅତି ନିର୍ଦ୍ଦୟଭାବେ ଆଘାତ ଦେଇ ତାର ମୁଣ୍ଡ ଶରୀରରୁ ଅଲଗା କରି ଦେଇଥିଲେ। ଏହା ପୂର୍ବରୁ ୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସର ଆଇସି-୮୧୪ ବିମାନକୁ ହାଇଜ୍ୟାକ୍ କରିଥିବା ମୁଖ୍ୟ ଆତଙ୍କୀଙ୍କ ମଧ୍ୟରେ ଥିବା ମିସ୍ତ୍ରି ଜହର ଇବ୍ରାହିମକୁ କରାଚୀରେ ହତ୍ୟା କରାଯାଇ ଥିଲା। ସେ ଜାହିଦ ଅଖୁନ୍ଦ ନାମରେ ଫେକ୍ ପରିଚୟରେ ରହୁଥିଲା। କିନ୍ତୁ ଅଜଣା ଆକ୍ରମଣକାରୀମାନେ ତାର ମୁଣ୍ଡରେ ପଏଣ୍ଟ ବ୍ଲାକ୍ ରେଞ୍ଜରୁ ଦୁଇଟି ଗୁଳି କରି ତାକୁ ନିପାତ କରିଥିଲେ।
UAPA ର ତାଲିକାର କେଉଁ କେଉଁ ଆତଙ୍କୀକୁ ହତ୍ୟା କରାଯାଇ ସାରିଛି ?
ୟୁଏପିଏ ତାଲିକାରେ ଥବା ମୋଟ ୫୭ ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀଙ୍କ ମଧ୍ୟରେ ଅନେକ ବଡ଼ ବଡ଼ ନାଁ ଥିବା ଆତଙ୍କୀଙ୍କୁ ଗତ କିଛି ଦିନରେ ହତ୍ୟା କରାଯାଇ ସାରିଛି। ଏଥିରୁ ଅଧିକାଂଶ ଆତଙ୍କୀଙ୍କୁ ପାକିସ୍ତାନରେ ଅଜଣା ଆକ୍ରମଣକାରୀ ମାନେ ଗୁଳି କରି ଥିଲେ , ଆଉ କିଛି ଜଣ ଅନ୍ୟ ଦେଶରେ ହତ୍ୟାର ଶିକାର ହୋଇଥିଲେ।
ନମ୍ୱର-୬ : ଲଖବୀର ସିଂହ ଓରଫ ରୋଡେ – ଖାଲିସ୍ତାନ ଲିବରେସନ ଫ୍ରଣ୍ଟର ଏହି ଟପ୍ ଆତଙ୍କୀ ପାକିସ୍ତାନରେ ଲୁଚି ବସି ଥିଲା। ଡିସେମ୍ୱର ୨୦୨୩ରେ ପାକିସ୍ତାନର ଲାହୋରରେ ହାର୍ଟ ଆଟାକ୍ କାରଣରୁ ତାର ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଥିଲା।
ନମ୍ୱର-୮: ପରମଜିତ ସିଂହ ଓରଫ ପଞ୍ଜୱଡ – ଖାଲିସ୍ତାନ କମାଣ୍ଡୋ ଫୋର୍ସର ଚିଫ୍ , ଯିଏ ଦୀର୍ଘ ଦିନରୁ ପାକିସ୍ତାନରେ ଶରଣ ନେଇଥିଲେ। ୬ ମେ ୨୦୨୩ରେ ଲାହୋରର ଜୋହର ଟାଉନ ସୋସାଇଟିରେ ସକାଳ ବୁଲା ସମୟରେ ଦୁଇ ଅଜଣା ବାଇକର ଆକ୍ରମଣକାରୀ ତାକୁ ଗୁଳି କରି ହତ୍ୟା କରିଥିଲେ।
ନମ୍ୱର- ୧୨: ହରଦୀପ ସିଂହ ନିଜ୍ଜର - ଖାଲିସ୍ତାନୀ ଆତଙ୍କୀ ସଙ୍ଗଠନ ‘ଖାଲିସ୍ତାନ ଟାଇଗର ଫୋର୍ସ’ର ଚିଫ୍ । ୧୮ ଜୁନ ୨୦୨୩କୁ କାନାଡାର ସରେ ସହରରେ ଏକ ଗୁରୁଦ୍ୱାରର ପାର୍କିଂରେ ଅଜଣା ଆକ୍ରମଣକାରୀମାନେ ତାକୁ ଗୁଳି କରି ହତ୍ୟା କରି ଥିଲେ।
ନମ୍ୱର-୨୨ : ଶାହିଦ ଲତିଫ ଓରଫ ଛୋଟା ଶାହିଦ ଭାଇ – ୨୦୧୬ ମସିହାର ପଠାନକୋଟ ଏୟାରବେସ୍ ଆକ୍ରମଣର ମୁଖ୍ୟ ମାଷ୍ଟରମାଇଣ୍ଡ ଅକ୍ଟୋବର ୨୦୨୩ରେ ପାକିସ୍ତାନର ସିୟାଲକୋଟର ଏକ ମସଜିଦର ଏଜଣା ବନ୍ଧୁକଧାରୀମାନେ ତାକୁ ଗୁଳି କରି ହତ୍ୟା କରିଥିଲେ।
ନମ୍ୱର-୩୮ : ଅର୍ଜୁମନ୍ଦ ଗୁଲଜାର ଡାର ଓରଫ ହମଜା ବୁରହାନ – ୨୦୧୯ର ପୁଲୱାମା ଆତ୍ମଘାତୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ଅଲ୍ ବଦରର ଆତଙ୍କୀ। ନିକଟରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ମୁଜଫରବାଦରେ ଅଜ୍ଞାତ ଆକ୍ରମଣକାରୀମାନେ ତାକୁ ଗୁଳି କରି ମାରି ଦେଇଥିଲେ।
ନମ୍ୱର ୪୩ : ବଶୀର ଅହମ୍ମଦ ପିର ଓରଫ ଇମିତୟାଜ ଆଲମ – ହିଜବୁଲ ମୁଜାହିଦ୍ଦିନର ଟପ୍ କମାଣ୍ଡର, ଯିଏ କାଶ୍ମୀରରେ ଆତଙ୍କୀଙ୍କ ଅନୁପ୍ରବେଶ କରାଇବାର ଇନଚାର୍ଜ ଥିଲା, ଫେବ୍ରୁଆରୀ ୨୦୨୩ରେ ପାକିସ୍ତାନର ରାୱାଲପିଣ୍ଡିରେ ଏକ ଦୋକାନ ବାହାରେ ଅଜଣା ଆକ୍ରମଣକାରୀ ତାକୁ ପଏଣ୍ଟ ବ୍ଲାକ ରେଞ୍ଜରେ ଗୁଳି କରି ଉଡ଼ାଇ ଦେଇଥିଲେ।
ଏହିପରି ଭାରତର ସରକାରଙ୍କର ତାଲିକାରେ ଥିବା ପ୍ରାୟ ୬ଜଣ ବଡ଼ ଓ ଭୟଙ୍କର ଆତଙ୍କୀ ଏବେସୁଦ୍ଧା ନିପାତ ହୋଇ ସାରିଛନ୍ତି। ଅଧିକାଂଶ ଆତଙ୍କୀଙ୍କ ନିପାତ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ହୋଇଛି।
ଏହାସହ ମଧ୍ୟ ପଢନ୍ତୁ : Pulwama attack mastermind Killed: ପୁଲୱାମା ମାଷ୍ଟରମାଇଣ୍ଡ ହମ୍ଜା ବୁରାନ POKରେ ନିପାତ, ଅଜଣା ବ୍ୟକ୍ତି ଚଳାଇଲେ ଗୁଳି