ନୂଆଦିଲ୍ଲୀ,୦୧/୦୩; ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ କୌଣସି ଲମ୍ବା ଓ ପାରମ୍ପରିକ ଯୁଦ୍ଧ କେବେ ହୋଇନାହିଁ । ତଥାପି ଏହି ତିନି ଦେଶ ମଧ୍ୟରେ ଅନେକ ଥର ପ୍ରତ୍ୟକ୍ଷ ଆକ୍ରମଣ ହୋଇଛି । ଅଧିକାଂଶ ମିସାଇଲ, ଡ୍ରୋନ୍ ଓ ଆକାଶ ମାର୍ଗରୁ ଆକ୍ରମଣ ଜରିଆରେ ଏହି ଛୋଟ ଯୁଦ୍ଧ ହୋଇଛି । ଅଦ୍ୟାବଧି ମୋଟ୍ ୫-୬ ଥର ଏଭଳି ପ୍ରତ୍ୟକ୍ଷ ଯୁଦ୍ଧ ହୋଇଛି । ସବୁଠୁ ବଡ଼ ଯୁଦ୍ଧ ଜୁନ୍, ୨୦୨୫ରେ ହୋଇଥିଲା, ଯାହା ୧୨ ଦିନ ଚାଲିଥିଲା । ଯୁଦ୍ଧରେ ଇସ୍ରାଏଲ ଓ ଆମେରିକା ପ୍ରତି ଥର ଇରାନର ଅଧିକ କ୍ଷତି କରିଛନ୍ତି । ତଥାପି ଇରାନ ପ୍ରତିଶୋଧ ନେଇଛି । ଯୁଦ୍ଧ ଛୋଟ ହେଲେ ମଧ୍ୟ ପ୍ରତି ଥର ପୂରା ମଧ୍ୟପ୍ରାଚ୍ୟ ଭୟଭୀତ ହୋଇଛି ଏବଂ ତୈଳ ମୂଲ୍ୟ ବଢ଼ିଛି ।

୧୯୮୮ : ଦିନକରେ ଶେଷ ୧୯୮୮ରେ ଆମେରିକା ଓ ଇରାନ ମଧ୍ୟରେ ଏକ ଛୋଟ ଯୁଦ୍ଧ ହୋଇଥିଲା, ଯାହାର ନାମ ଥିଲା ଅପରେସନ୍ ପ୍ରେଇଂ ମଣ୍ଟିସ୍ । ଏହି ଯୁଦ୍ଧ କେବଳ ଗୋଟିଏ ଦିନରେ ଶେଷ ହୋଇଥିଲା । ଆମେରିକା ବିଜୟ ହାସଲ କରିଥିଲା । ଏଥିରେ ଆମେରିକାର କେବଳ ୨ ଜଣ ସୈନ୍ୟ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷେ, ଇରାନର ୫୬ ସୈନ୍ୟ ନିହତ ହୋଇଥିଲେ । ଇରାନ ନୌସେନା ଅଧା ଧ୍ୱଂସ ହୋଇଥିଲା । ଏହାର ଦୁଇଟି ବଡ଼ ଜାହାଜ ବୁଡ଼ିବା ସହିତ ଅନେକ ଛୋଟ ଜାହାଜ ନଷ୍ଟ ହୋଇଥିଲା । ତୈଳ ପ୍ଲାଟ୍ଫର୍ମ ବି ଜଳିଯାଇଥିଲା । ଆମେରିକାର ଗୋଟିଏ ହେଲିକପ୍ଟର ନଷ୍ଟ ହୋଇଥିଲା । ଯୁଦ୍ଧରେ ଆମେରିକା ଇରାନ ନୌସେନାକୁ ହରାଇଥିଲା ।

ଜାନୁଆରୀ, ୨୦୨୦: କମାଣ୍ଡର କାସିମ ନିହତ ଇରାନର ସୈନ୍ୟ ଅଧିକାରୀ କମାଣ୍ଡର କାସିମ ସୁଲେମାନୀଙ୍କୁ ଆମେରିକା ହତ୍ୟା କଲା । ଇରାନ ପ୍ରତିଶୋଧ ନେବାକୁ ଇରାକ ସ୍ଥିତ ଆମେରିକୀୟ ଘାଟି ଉପରେ ୧୧ ମିସାଇଲ ମାଡ଼ କଲା । ଏହି ଯୁଦ୍ଧ ବି ମାତ୍ର କିଛି ସମୟର ଥିଲା । ଏଥିରେ କୌଣସି ସୈନିକଙ୍କ ମୃତ୍ୟୁ ହୋଇନଥିଲା । କ୍ଷତି କମ୍ ହୋଇଥିଲେ ହେଁ, ଉଭୟ ପକ୍ଷରେ ଉତ୍ତେଜନା ଖୁବ୍ ବଢ଼ିଯାଇଥିଲା ।

୨୦୨୪: ଦୁଇ ଛୋଟ ଯୁଦ୍ଧ ଏପ୍ରିଲ, ୨୦୨୪ରେ ଇରାନ ଇସ୍ରାଏଲ ଉପରେ ୩୦୦ରୁ ଅଧିକ ଡ୍ରୋନ୍ ଓ ମିସାଇଲ ଆକ୍ରମଣ କଲା । ଇସ୍ରାଏଲ ଏହାର ଜବାବ ଦେଲା । ଏହି ଯୁଦ୍ଧ ୧-୨ ଦିନ ଚାଲିଲା । ଇସ୍ରାଏଲ ୯୯ ପ୍ରତିଶତ ଆକ୍ରମଣ ରୋକିବା ଫଳରେ କ୍ଷତି ଖୁବ୍ କମ୍ ହେଲା । ଏହା ପରେ ପୁଣି ଅକ୍ଟୋବର, ୨୦୨୪ରେ ଇରାନ ୧୮୦ ମିସାଇଲ ଛାଡ଼ିଲା । ଇସ୍ରାଏଲ ବି ଇରାନ ଉପରେ ଆକ୍ରମଣ କଲା । ଏହା ମଧ୍ୟ ୧-୨ ଦିନର ଯୁଦ୍ଧ ଥିଲା । ଦୁଇଟିଯାକରେ ଇସ୍ରାଏଲର ବିଜୟ ହୋଇଥିଲା ।

୨୦୨୫: ୧୨ ଦିନର ଯୁଦ୍ଧ ଜୁନ୍, ୨୦୨୫ରେ ଇସ୍ରାଏଲ ଓ ଆମେରିକା ସହିତ ଇରାନର ସବୁଠୁ ବଡ଼ ଯୁଦ୍ଧ ହୋଇଥିଲା । ଏହାକୁ ୧୨ ଦିନର ଯୁଦ୍ଧ କୁହାଯାଏ । ଜୁନ୍ ୧୩ରୁ ୨୪ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଲା । ଇସ୍ରାଏଲ ଓ ଆମେରିକା ମିଶି ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଦୁର୍ବଳ କରିଦେଲେ । ଯୁଦ୍ଧରେ ଇରାନର ୧୦୬୦ରୁ ୧୧୯୦ ଜଣ ପ୍ରାଣ ହରାଇଲେ । ତନ୍ମଧ୍ୟରେ ୪୦୦ରୁ ଅଧିକ ସାଧାରଣ ନାଗରିକ ଥିଲେ । ଅନ୍ୟପକ୍ଷେ, ଇସ୍ରାଏଲର ୨୮ ଜଣ ପ୍ରାଣ ହରାଇଲେ । ଇରାନର ଅନେକ ପରମାଣୁ ପ୍ଲାଣ୍ଟ୍, ମିସାଇଲ କାରଖାନା ଓ ଏୟାର ଡିଫେନ୍ସ ଧ୍ୱସ୍ତ ହୋଇଗଲା । ଆମେରିକା ଜୁନ୍ ୨୨ରେ ଇରାନର ୩ ପରମାଣୁ ପ୍ଲାଣ୍ଟ୍ରେ ଆକ୍ରମଣ କଲା । ଯୁଦ୍ଧରେ ଆମେରିକା ଓ ଇସ୍ରାଏଲର ବିଜୟ ହେଲା ।

ଏହା ବି ପଢନ୍ତୁ...ଖାମେନେଇଙ୍କ ମୃତ୍ୟୁ ସହ ସରିଲା ୪୭ ବର୍ଷର ଶାସନ, ଆମେରିକାରୁ ଆସି ଏହି ବ୍ୟକ୍ତି ସମ୍ଭାଳିବେ କ୍ଷମତା !

୨୦୨୬: ବର୍ତ୍ତମାନର ଯୁଦ୍ଧ ଶନିବାର ଅର୍ଥାତ୍ ଫେବ୍ରୁଆରୀ ୨୮ରେ ଇସ୍ରାଏଲ ଓ ଆମେରିକା ଇରାନ ଉପରେ ଆକ୍ରମଣ କରିଛନ୍ତି । ଯୁଦ୍ଧ କେତେ ଦିନ ଚାଲିବ ଓ କାହାର କେତେ କ୍ଷତି ହେବ, ବିଶେଷଜ୍ଞ ଏହାର ଭିନ୍ନ ଭିନ୍ନ ଆକଳନ ଉପସ୍ଥାପନ କରୁଛନ୍ତି । ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘଟିତ ପ୍ରତ୍ୟକ୍ଷ ଯୁଦ୍ଧରେ ଇରାନର ଅଧିକ କ୍ଷତି ହୋଇଛି । ଯୁଦ୍ଧ ପ୍ରତି ଥର ବିଶ୍ୱରେ ଉତ୍ତେଜନା ବଢ଼ାଇଛି ।