ଦୈନନ୍ଦିନ ଖାଦ୍ୟପେୟରେ ଅଧିକାଂଶ ଲୋକ କ୍ଷୀରକୁ ସାମିଲ କରିଥାନ୍ତି । ବିଶେଷ କରି ଶିଶୁମାନଙ୍କ ସ୍ୱାସ୍ଥ୍ୟ, ହାଡ଼ ଶକ୍ତ ହେବା ଏବଂ ଶାରୀରିକ ବିକାଶ ପାଇଁ କ୍ଷୀର ନିହାତି ଆବଶ୍ୟକ । କିନ୍ତୁ, ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଆମେ ଦୈନିକ ପିଉଥିବା କିମ୍ୱା ରୋଷେଇରେ ବ୍ୟବହାର କରୁଥିବା କ୍ଷୀର ପ୍ରକୃତରେ ଶୁଦ୍ଧ ତ ? କ୍ଷୀରରେ ମିଶ୍ରଣ ବା ଭେଜାଲ ଆଜିକାଲି ଏକ ବଡ଼ ସମସ୍ୟା ପାଲଟିଛି । ଗାଢ଼ତା ବଢ଼ାଇବା ପାଇଁ ଏଥିରେ ପାଣି, ଷ୍ଟାର୍ଚ, ଡିଟରଜେଣ୍ଟ ଏବଂ ବିଭିନ୍ନ ବିଷାକ୍ତ କେମିକାଲ ମିଶାଯାଉଛି, ଯାହା ଶରୀର ଉପରେ ମାରାତ୍ମକ ପ୍ରଭାବ ପକାଇଥାଏ । ତେବେ ଟିକେ ସତର୍କ ରହିଲେ ଆପଣ ଘରୋଇ ଉପାୟରେ କ୍ଷୀରର ଅସଲି ଓ ନକଲି ପଛର ସତ୍ୟତା ଜାଣିପାରିବେ । ଆସନ୍ତୁ ଜାଣିବା କେମିତି କରିବେ ଯାଞ୍ଚ:

୧. ପାଣି ମିଶ୍ରଣର ସହଜ ଯାଞ୍ଚ

କ୍ଷୀରରେ ପାଣି ମିଶାଇବା ସବୁଠାରୁ ପୁରୁଣା ଓ ସାଧାରଣ ଉପାୟ । ଏହାଦ୍ୱାରା କ୍ଷୀରର ପୋଷକ ତତ୍ତ୍ୱ କମିଯାଏ । କ୍ଷୀରର ଏକ ବୁନ୍ଦାକୁ କୌଣସି ଚିକ୍କଣ ଢାଲୁ ସ୍ଥାନ ଯେପରିକି କାଚ କିମ୍ବା ଟାଇଲ୍ସ ଉପରେ ପକାନ୍ତୁ । ଯଦି କ୍ଷୀର ବୁନ୍ଦାଟି ଧୀରେ ଧୀରେ ତଳକୁ ବହିଯାଏ ଏବଂ ପଛରେ ଏକ ଧଳା ଦାଗ ଛାଡ଼ିଯାଏ, ତେବେ ଜାଣିବେ କ୍ଷୀର ଶୁଦ୍ଧ ଅଛି । କିନ୍ତୁ, ଯଦି କ୍ଷୀର ବୁନ୍ଦାଟି କୌଣସି ଦାଗ ନଛାଡ଼ି ଦ୍ରୁତ ଗତିରେ ବହିଯାଏ, ତେବେ ସେଥିରେ ଅଧିକ ପାଣି ମିଶିଥିବା ସ୍ପଷ୍ଟ ହୋଇଥାଏ ।

୨. ଷ୍ଟାର୍ଚ ମିଶ୍ରଣର ପରୀକ୍ଷା

କ୍ଷୀରକୁ ମୋଟା ବା ଗାଢ଼ ଦେଖାଇବା ପାଇଁ ଅନେକ ସମୟରେ ଭେଜାଲ ବ୍ୟବସାୟୀ ଏଥିରେ ଚାଉଳ କିମ୍ବା ମକାରୁ ପ୍ରସ୍ତୁତ ଷ୍ଟାର୍ଚ ମିଶାଇଥାନ୍ତି । ଅଳ୍ପ କିଛି କ୍ଷୀର ନେଇ ସେଥିରେ କିଛି ବୁନ୍ଦା ଆୟୋଡିନ ସଲ୍ୟୁସନ ମିଶାନ୍ତୁ । ଯଦି ଆୟୋଡିନ ମିଶିବା ପରେ କ୍ଷୀରର ରଙ୍ଗ ନୀଳ ହୋଇଯାଏ, ତେବେ ସେଥିରେ ଷ୍ଟାର୍ଚ ମିଶିଛି ବୋଲି ପ୍ରମାଣିତ ହୁଏ । ରଙ୍ଗରେ କୌଣସି ପରିବର୍ତ୍ତନ ନହେଲେ କ୍ଷୀର ସୁରକ୍ଷିତ ।

ଏହା ବି ପଢ଼ନ୍ତୁ... World Plastic Surgery Day: କସମେଟିକ୍ ସର୍ଜରୀ କରୁଛନ୍ତି କି ? ପସ୍ତାଇବା ଆଗରୁ ଡାକ୍ତରଙ୍କୁ ପଚାରନ୍ତୁ ଏହି ୧୦ ପ୍ରଶ୍ନ ...

୩. ଡିଟରଜେଣ୍ଟ ମିଶ୍ରଣର ଚୋରି ଧରନ୍ତୁ

କ୍ଷୀରରେ ଫେଣ ଏବଂ ଅଧିକ ଧଳା ଦିଶିବା ଲାଗି ଲୁଗାଧୁଆ ଡିଟରଜେଣ୍ଟ ପାଉଡର ଭଳି ବିପଦଜନକ ଜିନିଷ ମଧ୍ୟ ମିଶାଯାଉଛି, ଯାହା ପେଟ ରୋଗର ମୁଖ୍ୟ କାରଣ ସାଜିଥାଏ । ଏକ କାଚ ଗ୍ଲାସରେ ସମାନ ପରିମାଣର କ୍ଷୀର ଏବଂ ପାଣି ମିଶାଇ ତାକୁ ଜୋରରେ ସେକ୍ କରନ୍ତୁ । ଯଦି ସୃଷ୍ଟି ହୋଇଥିବା ଫେଣ ଶୀଘ୍ର ମରିଯାଏ, ତେବେ କ୍ଷୀର ଠିକ୍ ଅଛି । କିନ୍ତୁ ଯଦି ସାବୁନ ପାଣି ଭଳି ବହଳିଆ ଫେଣ ବହୁ ସମୟ ପର୍ଯ୍ୟନ୍ତ ଜମି ରହେ, ତେବେ ସେଥିରେ ଡିଟରଜେଣ୍ଟ ମିଶିଥିବା ଆଶଙ୍କା ରହିଛି ।

୪. ସିନ୍ଥେଟିକ୍ କ୍ଷୀରକୁ ଏମିତି ଚିହ୍ନନ୍ତୁ

ରାସାୟନିକ ପଦାର୍ଥରେ ପ୍ରସ୍ତୁତ ସିନ୍ଥେଟିକ୍ କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହାକୁ ଆପଣ ଗନ୍ଧ ଏବଂ ସ୍ୱାଦରୁ ଚିହ୍ନିପାରିବେ । ସାଧାରଣ କ୍ଷୀରକୁ ଗରମ କଲେ ଏକ ପ୍ରାକୃତିକ ସୁଗନ୍ଧ ଆସେ । କିନ୍ତୁ, ସିନ୍ଥେଟିକ୍ କ୍ଷୀରକୁ ଗରମ କଲେ ସେଥିରୁ ସାବୁନ କିମ୍ବା କେମିକାଲ୍ ଭଳି ଦୁର୍ଗନ୍ଧ ବାହାରେ । ଯଦି କ୍ଷୀର ପିଇବା ବେଳେ ପିତା କିମ୍ବା ଅଜବ ରାସାୟନିକ ସ୍ୱାଦ ଲାଗେ, ତେବେ ସତର୍କ ହୋଇଯାଆନ୍ତୁ । ଏହା ସହିତ ସିନ୍ଥେଟିକ୍ କ୍ଷୀର ଗରମ ହେଲେ ଅଧିକ ହଳଦିଆ ବା ଗାଢ଼ ଦେଖାଯାଇଥାଏ ।