ନୂଆଦିଲ୍ଲୀ : ଆୟରଲ୍ୟାଣ୍ଡ ବିପକ୍ଷରେ ସିରିଜ ହାରିବା ପରେ, ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡରେ ପହଞ୍ଚିଛି। ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳା ଯିବ, ଯେଉଁଥିରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ ମ୍ୟାଚରୁ ସୁଯୋଗ ଦେବା ପାଇଁ ଆଲୋଚନା ହେଉଛି। କିନ୍ତୁ ଟିମ୍ ଇଣ୍ଡିଆର ସହାୟକ ପ୍ରଶିକ୍ଷକ ରିଆନ୍ ଟେନ୍ ଡୋସ୍କାଥ ସ୍ପଷ୍ଟ ଭାବେ କହିଛନ୍ତି , ଟିମ୍ ତା’ର ଖେଳାଳିମାନଙ୍କୁ ପୂର୍ଣ୍ଣ ସୁଯୋଗ ଦିଏ, ଏବଂ ସୂର୍ଯ୍ୟବଂଶୀଙ୍କୁ ତାଙ୍କ ସୁଯୋଗର ଅପେକ୍ଷା କରିବାକୁ ପଡିବ। ହେଲେ, ସୁନୀଲ ଗାଭାସ୍କରଙ୍କ ଭଳି କିମ୍ବଦନ୍ତୀ ତାଙ୍କୁ ପ୍ରଥମ ମ୍ୟାଚରୁ ହିଁ ସୁଯୋଗ ଦେବା ବିଷୟରେ କହିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷରେ ଯେଉଁଭଳି ଭାବେ ଦଳକୁ ପରାଜୟ ମିଳିଛି, ଏହାପରେ ଏହି ୧୫ ବର୍ଷୀୟ ଖେଳାଳିଙ୍କୁ ସୁଯୋଗ ଦେବାକୁ ଦାବି ଆହୁରି ଜୋରଦାର ଉଠିଛି। ପ୍ରଶ୍ନ ହେଉଛି ବୈଭବ ସୂର୍ଯ୍ୟବଂଶୀ ପ୍ଲେଇଂ ଇଲେଭେନରେ କିପରି ସ୍ଥାନ ପାଇବେ ? କେମିତି ତାଙ୍କୁ ଟିମରେ ଫିଟ୍ କରାଯିବ, କାରଣ ସଞ୍ଜୁ ସାମସନ ଟି-୨୦ ବିଶ୍ୱକପ୍ ଜିତାଇଛନ୍ତି ଏବଂ ଅଭିଷେକ ଶର୍ମା ମଧ୍ୟ ବିଶ୍ୱର ନମ୍ବର -୧ ଟି-୨୦ ବ୍ୟାଟସମ୍ୟାନ।
ଯଦି ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ସାମସନ-ଅଭିଷେକ ଯୋଡ଼ିକୁ ବଦଳାଇବାକୁ ଚାହୁଁ ନାହିଁ, ତ ବୈଭବ ସୂର୍ଯ୍ୟବଂଶୀଙ୍କୁ ତିନି ନମ୍ବରରେ ସୁଯୋଗ ଦିଆ ଯାଇ ପାରେ। ଇଶାନ କିଶାନ ମଧ୍ୟ ଚାରି ନମ୍ବରରେ ବ୍ୟାଟିଂ କରି ପାରନ୍ତି। ଯଦି ଏହା ହୁଏ, ତେବେ ଶ୍ରେୟସ ଆୟର ୫ ନମ୍ବରରେ, ତିଲକ ବର୍ମା ୬ ନମ୍ବରରେ, ଶିବମ ଦୁବେ ୭ ନମ୍ବରରେ ଏବଂ ଅକ୍ଷର ପଟେଲ ୮ ନମ୍ବରରେ ବ୍ୟାଟିଂ କରି ପାରିବେ। ଯଦି ଏହା ହୁଏ, ସୂର୍ଯ୍ୟାଂଶ ଶେଡଗେଙ୍କୁ ବାଦ ଦିଆଯାଇ ପାରେ। ହେଲେ, ଏହି ପରିସ୍ଥିତିରେ, ଶିବମ ଦୁବେ ଚାରି ଓଭର ବୋଲିଂ କରିବେ ବୋଲି ଆଶା କରାଯାଏ, ଯାହା ଏକ ସମସ୍ୟା ମଧ୍ୟ, କାରଣ ତାଙ୍କ ବୋଲିଂ ସେତେ ମଜବୁତ ନୁହେଁ।
ଯଦି ଟିମ୍ ଇଣ୍ଡିଆ ଶେଡଗେଙ୍କୁ ସୁଯୋଗ ଦେବାକୁ ଚାହୁଁଛି, ତେବେ ତିଲକ ବର୍ମାଙ୍କୁ ବାଦ ଦେଇ ସୂର୍ଯ୍ୟବଂଶୀଙ୍କୁ ନମ୍ବର ୩ରେ ସ୍ଥାନ ଦେବା ଆଉ ଏକ ବିକଳ୍ପ। ହେଲେ, ତିଲକ ବର୍ମାଙ୍କ ପ୍ରଦର୍ଶନକୁ ଦେଖିଲେ, ଏହା ଅସମ୍ଭବ ମନେହୁଏ। ଅନ୍ୟ ଏକ ବିକଳ୍ପ ହେଉଛି ସଞ୍ଜୁ ସାମସନଙ୍କୁ ବାଦ ଦେବା, କିନ୍ତୁ ତାହା ମଧ୍ୟ ଅସମ୍ଭବ।
ଏବେ ଗୋଟିଏ ପ୍ରଶ୍ନ କାହିଁକି ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ଦେବା ଗୁରୁତ୍ତ୍ୱପୂର୍ଣ୍ଣ। ଏହି ୧୫ ବର୍ଷୀୟ ଖେଳାଳି ବର୍ତ୍ତମାନ ଦମଦାର ଫର୍ମରେ ଅଛନ୍ତି, ଯେତେବେଳେ କି ଟିମ୍ ଇଣ୍ଡିଆର ଟପ୍ ଅର୍ଡର ଖରାପ ଫର୍ମରେ ଥିବା ଦେଖାଯାଉଛି। ବିଶେଷକରି ସଞ୍ଜୁ ସାମସନ, ଇଶାନ କିଶାନ ଏବଂ ଶ୍ରେୟସ ଆୟର ଆୟରଲ୍ୟାଣ୍ଡ ବିପକ୍ଷରେ ବହୁତ ସାଧାରଣ ଦେଖାଯାଉ ଥିଲେ। ଏହା ହିଁ ଏକମାତ୍ର କାରଣ ଯେ, ଟପ୍ ଅର୍ଡରରେ ସୂର୍ଯ୍ୟବଂଶୀଙ୍କ ଭଳି ବ୍ୟାଟସମ୍ୟାନଙ୍କୁ ସୁଯୋଗ ଦେବା ନିହାତି ଜରୁରୀ।
ଏହାସହ ମଧ୍ୟ ପଢନ୍ତୁ - India vs Ireland: ଖାଲି ବୈଭବଙ୍କ ଡେବ୍ୟୁ ନୁହେଁ...ଆୟର୍ଲାଣ୍ଡଠୁ କାହିଁକି ହାରିଲା ଭାରତ , ଜାଣନ୍ତୁ ୬ ବଡ଼ କାରଣ